ଲାଞ୍ଚ ମାମଲାରେ ଡବ୍ଲୁ୍ୟଇଓଙ୍କୁ ଜେଲଦଣ୍ଡ
କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକରେ କାର୍ଯ୍ୟରତ ଡବ୍ଲୁ୍ୟଇଓ ରଞ୍ଜନ ଜେନାଙ୍କୁ ଏକ ଲାଞ୍ଚ ମାମଲାର ବିଚାର କରି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ଚାରିବର୍ଷ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ହେଲେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ଦଣ୍ଡାଦେଶ ରହିଛି । ପ୍ରକାଶ ଯେ, ତତ୍କାଳୀନ କିରିକୁଟି ୟୁଜି ଏମଇ ସ୍କୁଲ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ରସିଂଙ୍କ ସ୍କୁଲର ଏକ ଜରୁରୀ ବିଲ୍ ପାସ୍ କରିବା ପାଇଁ ଡବ୍ଲୁ୍ୟଇଓ ରଞ୍ଜନ ଜେନା ଦଶ ହଜାର ଟଙ୍କା ଦାବି କରିଥିଲେ । ଫଳରେ ପ୍ରଧାନ ଶିକ୍ଷକ ଶ୍ରୀ ସିଂ ଶେଷରେ ୬ ହଜାର ଟଙ୍କା ଦେବା ପାଇଁ ରାଜି ହୋଇଥିଲେ । ଆଉ ପୂର୍ବ ପ୍ରସ୍ତୁତି ପ୍ରକାରେ ୨୦୧୬ ଡିସେମ୍ବର ୨୨ତାରିଖରେ ୬ହଜାର ଟଙ୍କା ଲାଞ୍ଚ ଦେବା ବେଳେ ସେଠାରେ ଛକି ବସିଥିବା ଭିଜିଲାନ୍ସ ବିଭାଗ ଅଧିକାରୀ ପି.ଛତ୍ରିୟା, ଓ ସିକନ୍ଦର ହେମ୍ବ୍ରମ ପ୍ରମୁଖ ଜେନାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ସମସ୍ତ ଅର୍ଥ ଜବତ କରିଥିଲେ । ଆଜି ଏହି ମାମଲାର ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ଅଭିଯୁକ୍ତ ରଞ୍ଜନ ଜେନାଙ୍କ ବିରୋଧରେ ଉପରୋକ୍ତ ରାୟ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଭିଜିଲାନ୍ସ ପିପି ଭି.ଭି ରାମଦାସ ମକଦ୍ଦମା ପରିଚାଳନା କରିଥିଲେ ।