ଗାଡିଆପଡ଼ା ଘାଟିରୁ ଗଳିତ ଶବ ଉଦ୍ଧାର : ଜମିବାଡ଼ି ବିବାଦରୁ ହତ୍ୟା, ଅଭିଯୁକ୍ତ ଗିରଫ
କନ୍ଧମାଳ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗାଡ଼ିଆପଡ଼ା ଘାଟିର ପ୍ରଥମ ବୁଲାଣିରୁ ଅତିରିକ୍ତ ତହସିଲଦାର ବ୍ରହ୍ମାନନ୍ଦ ଥାଟିଙ୍କ ଉପସ୍ଥିତିରେ ପୁଲିସ ଗଳିତ ଶବ ଉଦ୍ଧାର କରିଛି । ମୃତକ ଜଣକ ହେଲେ ନୟାଗଡ଼ ଜିଲ୍ଲାର ଗଣିଆ ଥାନା ଅନ୍ତର୍ଗତ ଆଡ଼କଟା ପଞ୍ଚାୟତର ଉପର ହଦପଶି ଗ୍ରାମର ଚରଣ ବେହେରା(୫୦) । ପ୍ରକାଶ ଯେ, ଗତ ଜାନୁଆରୀ ୩୦ତାରିଖ ଦିନ ଗାଁରେ ଅଷ୍ଟପ୍ରହରୀ ଚାଲିଥିବା ବେଳେ ଗାଁର କିଛି ଲୋକ ଚରଣ ବେହେରାଙ୍କୁ ମଦ ପିଇବାକୁ ଡାକି ନେଇଥିଲେ । ଚରଣ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ଚରଣଙ୍କ କୌଣସି ସନ୍ଧାନ ନ ପାଇ ପରିବାର ଲୋକେ ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଥାନାରେ ୧୦/୨୫ ମାମଲା ରୁଜୁ କରି ଗଣିଆ ପୁଲିସ୍ ତଦନ୍ତ ଆରମ୍ଭ କରିଦେଇଥିଲା । ହତ୍ୟା ଘଟଣାରେ ସଂପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ପିଣ୍ଟୁ ବେହେରାକୁ ଗିରଫ କରିବା ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି । ଅଭିଯୁକ୍ତକୁ ସାଙ୍ଗରେ ଧରି ହତ୍ୟାକାଣ୍ଡର ରିକ୍ରିଏସନ୍ କରିଛି ପୁଲିସ୍ । ଏଥିସହିତ କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅନ୍ତର୍ଗତ ଗାଡ଼ିଆପଡ଼ା ଘାଟିରୁ ଚରଣଙ୍କ ଗଳିତ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଫୁଲବାଣୀ ମେଡ଼ିକାଲକୁ ପଠାଯାଇଛି । ସେପଟେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ଥିଲା । ତେଣୁ ଜାନୁଆରୀ ୩୦ ତାରିଖରେ ଚରଣକୁ ମଦ ପିଏଇ ଯୋଜନାବଦ୍ଧ ଭାବେ ହତ୍ୟା କରି ଆଣି ଗାଡିଆପଡା ଘାଟିରେ ଫିଙ୍ଗି ଦେଇଥିବା ମୁଖ୍ୟ ଅଭିଯୁକ୍ତ ପିଣ୍ଟୁ କହିଛି ।