ନାବାଳିକା କୁକର୍ମକାରୀ ଓ ସହଯୋଗୀକୁ ୧୦ବର୍ଷ କାରାଦଣ୍ଡ

ଯାଜପୁର : ମଙ୍ଗଳବାର ଜନୈକା ନାବାଳିକାକୁ କୁକର୍ମ ମାମଲାର ରାୟ ପ୍ରକାଶ ପାଇଛି । ଯାଜପୁର ଆଡହକ ଏଡିଜେ ତଥା ସ୍ୱତନ୍ତ୍ର ପୋକଜୋ ଜଜ୍‌ ଶରତ କୁମାର ଦେହୁରୀ ୯ଜଣ ସାକ୍ଷୀଙ୍କ ସାକ୍ଷ୍ୟକୁ ଭିତ୍ତି କରି ଅଭିଯୁକ୍ତ ଗଣେଶ ବାଣ୍ଠ ଓ ତା’ର ସହଯୋଗୀ ଜଳଧର ନାୟକଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି । ଏଥି ସହିତ ୧୦ ହଜାର ଜରିମାନା ଏବଂ ଜରିମାନା  ଅନାଦେୟ ଅଧିକ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ଆଇନ ସେବା ପ୍ରାଧିକରଣ ପକ୍ଷରୁ ପୀଡ଼ିତାକୁ ୭ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବା ନେଇ ରାୟରେ ଉଲ୍ଲେଖ କରିଛନ୍ତି । ବିବରଣୀ ଅନୁଯାୟୀ, ୨୦୧୮ ଅଗଷ୍ଟ  ୫ ତାରିଖରେ ଜନୈକ ୧୫ ବର୍ଷୀୟା ନାବାଳିକା ଶୌଚ ହେବାକୁ ସନ୍ଧ୍ୟା ସମୟରେ ନିକଟସ୍ଥ ଗ୍ରାମ୍ୟ ପଡ଼ିଆକୁ ଯାଇଥିବା ବେଳେ କ୍ଷୀରୋ ଗ୍ରାମର କୁଳମଣି ବାଣ୍ଠଙ୍କ ପୁଅ ଗଣେଶ ବାଣ୍ଠ(୨୫) ଓ ତା’ର ସହଯୋଗୀ ଜଳଧର ନାୟକଙ୍କ ପୁଅ ରାକେଶ ନାୟକ (୨୭) ନାବାଳିକାର ମୁହଁରେ କପଡ଼ା ବାନ୍ଧି ବାଇକରେ ଉଠାଇ ନେଇ ଯାଇଥିଲେ ।

   ନାବାଳିକାକୁ ଏକ ଚାଳ ଛପର ଘରେ ଏକୁଟିଆ ଛାଡ଼ି କବାଟ ତାଲା ପକାଇ ଦୁଇଜଣ ପଳାଇ ଯାଇଥିଲେ । ପରଦିନ ଦୁଇଜଣ ସେହି ଘରେ ପହଞ୍ଚ ନାବାଳିକାକୁ ଗଣେଶ ବାଣ୍ଠ ଦୀର୍ଘ ୧୫ ଦିନ କୁକର୍ମ କରିଥିଲା । ଏଥିରେ ରାକେଶ ନାୟକ ସହଯୋଗ କରିଥିଲା । ଏନେଇ ନାବାଳିକାର ପିତା ୨୦୧୮ ମସିହା ଅଗଷ୍ଟ ୬ ତାରିଖରେ ନାବାଳିକାର ନିରୁର୍ଦ୍ଦିଷ୍ଠ ସମ୍ପର୍କରେ ପାଣିକୋଇଲି ଥାନାରେ ଅଭିଯୋଗ କରିଥିଲା । ପରେ ସେହି ମାସ ୯ ତାରିଖରେ ତାଙ୍କ ଝିଅକୁ ଅପହରଣ କରି ଉପରୋକ୍ତ ଯୁବକ ନେଇ ଯାଇଛନ୍ତି ବୋଲି ଅଭିଯୋଗ କରିଥିଲେ । ଏନେଇ ପାଣିକୋଇଲି ଥାନାରେ କେଶ ନଂ.୧୧୯/୧୮ରେ ତକ୍ରାଳୀନ ଥାନାଧିକାରୀ ଅଜୟ କୁମାର ଜେନା ବିଭିନ୍ନ ଦଫାରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପାର୍ଥ ରାୟ ପରିଚାଳନା କରୁଥିଲେ ।