ଶ୍ରୀମନ୍ଦିରରେ ବାମନଜନ୍ମ ନୀତି ସମ୍ପନ୍ନ

 ପୁରୀ : ଗୁରୁବାର ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ବାମନଜନ୍ମ ନୀତି ସଂପନ୍ନ ହୋଇଯାଇଛି । ବାମନ ପ୍ରତିମାଙ୍କୁ ପଞ୍ଚାମୃତରେ ସ୍ନାନ କରାଯାଇ ଖଣ୍ଡୁଆ ଘୋଡ଼ାଯାଇଥିଲା । ଏହାପରେ ପାରମ୍ପରିକ ବିଧିବିଧାନ ଅନୁଯାୟୀ ସଂପନ୍ନ ହୋଇଥିଲା ବାମନଜନ୍ମ ନୀତି । ମାର୍କେଣ୍ଡଶ୍ୱର ସାହିରୁ ବାମନ ମୂର୍ତ୍ତି ପଟି ଅଣାଯାଇ ବଟଦ୍ୱାର ଦେଇ ସୋମନାଥ ମଣ୍ଡପ ଉପରେ ରଖାଯାଇଥିଲା । ମାଜଣା ସରିବା ପରେ ବାମନ ମୂର୍ତ୍ତିପଟିଙ୍କୁ ବନ୍ଦାପନା ଓ ପ୍ରସାଦଲାଗି କରାଯାଇଥିଲା । ଏହାପରେ ବାମନ ବା କୃଷ୍ଣ ଦକ୍ଷିଣଘର ଓ ଦୁର୍ଗାଦେବୀ ଭଣ୍ଡାରଘରକୁ ବିଜେ କରିଥିଲେ । ମଧ୍ୟାହ୍ନଧୂପ ଉଠିବା ପରେ ବାମନଜନ୍ମ ନୀତି ସଂପାଦନ ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା ।