ସଂସଦରେ ଅପରାଜିତାଙ୍କ ‘ଅତିଥି ଦେବୋ ଭବ’ର ଅବତାରଣା
ନୂଆଦିଲ୍ଲୀ: ଆଜି ଲୋକସଭାରେ ପାରିତ ହୋଇଥିବା ଶରଣାର୍ଥୀ ଓ ବିଦେଶୀ ନାଗରିକ ବିଲ୍ ୨୦୨୫କୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜର ଦୃଢ଼ ମତ ରଖିଛନ୍ତି । ପ୍ରାୟ ୧୪ ମିନିଟ୍ ଧରି ବିଲ୍ ସପକ୍ଷରେ ଯୁକ୍ତି ଉପସ୍ଥାପନ କରି ଅପରାଜିତା କହିଥିଲେ ଯେ, ଏପରି ଏକ ବିଲ୍ ସମୟର ଆବଶ୍ୟକତା ଅନେକ ଏବଂ ଏପରି ଏକ ବିଲ୍କୁ ସଂସଦରେ ଆଗତ କରିଥିବାରୁ ସେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଧନ୍ୟବାଦ ଜଣାଇଥିଲେ । ବିଲ୍କୁ ନେଇ ପ୍ରାଚୀନ ଗ୍ରନ୍ଥ ତୈତରୀୟ ଉପନିଷଦ୍ର ଉକ୍ତି ‘ଅତିଥି ଦେବୋ ଭବ’ର ଅବତାରଣା କରିଥିଲେ ସାଂସଦ । ସେହିପରି ଦେଶର ଜାତୀୟ ସୁରକ୍ଷାକୁ ନେଇ କହିଥିଲେ ଲୋକମାନେ ବୈଧ ଉପାୟରେ ଆସନ୍ତୁ, ଯେଉଁମାନଙ୍କ ଆସିବା ଦ୍ୱାରା, ଯେଉଁମାନଙ୍କ ରହିବା ଦ୍ୱାରା ଆମ ଦେଶର ସଂପତ୍ତି ଓ ସୁରକ୍ଷା ପ୍ରତି ଯେପରି କୌଣସି ନକରାତ୍ମକ ପ୍ରଭାବ ନ ପଡ଼େ ସେଥିପ୍ରତି ଏହି ବିଲ୍ରେ ବିଶେଷ ଦୃଷ୍ଟି ଦିଆଯାଇଛି । କଂଗ୍ରେସ ସାଂସଦ ମନୀଷ ତିୱାରୀ ବର୍ତ୍ତମାନ କାଳରେ ଏହି ବିଲ୍ର ଆବଶ୍ୟକତା କ’ଣ ନେଇ କରିଥିବା ପ୍ରଶ୍ନର ଜବାବ ରଖି ଅପରାଜିତା ୧୯୭୦ରେ ଆର ମଣ୍ଟେରିଆ ଭର୍ସେସ ଗୋଆ, ସୁପ୍ରିମକୋର୍ଟର ଏକ ମାମଲାର ଅବତାରଣା କରିଥିଲେ । ‘କୌଣସି ରାଜ୍ୟ ବାହ୍ୟ ବ୍ୟକ୍ତିଙ୍କ ପ୍ରବେଶ ଓ ବସବାସ କରିବାରର ନିଷ୍ପତ୍ତି ସେହି ରାଜ୍ୟର ଇଚ୍ଛାଧୀନ ଓ ଏହାକୁ ନେଇ ସନେ୍ଦହ ନ କରାଯିବା ଆବଶ୍ୟକତା ରହିଛି’ ବୋଲି ସେତେବେଳେ ସୁପ୍ରିମକୋର୍ଟ ରାୟ ଦେଇଥିଲେ ବୋଲି କହିଥିଲେ । ୧୯୭୦ର ସୁପ୍ରିମକୋର୍ଟଙ୍କ ରାୟକୁ ଦେଖିବାକୁ ଗଲେ କେନ୍ଦ୍ର ଗୃହ ମନ୍ତ୍ରାଳୟ ସଠିକ୍ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଣିଛନ୍ତି ବୋଲି ବିଲ୍ ସପକ୍ଷରେ ଯୁକ୍ତି ବାଢିଥିଲେ ଅପରାଜିତା ।