ବିସିସିଆଇ କାର୍ଯ୍ୟକାରୀ ସଭାପତି ହେଲେ ରାଜୀବ ଶୁକ୍ଳା 

 ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ବୋର୍ଡ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା । ପୂର୍ବତନ ଭାରତୀୟ କ୍ରିକେଟର ରୋଜର ବିନ୍ନି ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ ୬୫ ବର୍ଷୀୟ ଶୁକ୍ଲା ବିସିସିଆଇର ଉପାଧ୍ୟକ୍ଷ ଥିଲେ । ନିକଟରେ, ବିସିସିଆଇ ସୂତ୍ର ପିଟିଆଇକୁ କହିଛନ୍ତି ଯେ, ବର୍ତ୍ତମାନର ସଭାପତି ରୋଜର ବିନ୍ନି ଜୁଲାଇରେ ୭୦ ବର୍ଷ ବୟସରେ ପଦାର୍ପଣ କରିବେ । ବିସିସିଆଇ ନିୟମ ଅନୁଯାୟୀ, ୭୦ ବର୍ଷ ବୟସ ହେବା ପରେ ଯେକୌଣସି ଅଧିକାରୀଙ୍କୁ ପଦ ଛାଡିବାକୁ ପଡିବ ।୨୦୨୨ ମସିହାରେ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେଇ ବିନି ବୋର୍ଡର ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ରିପୋର୍ଟ ଅନୁଯାୟୀ, ରାଜୀବ ଶୁକ୍ଲା କିଛି ମାସ ପାଇଁ ଦାୟିତ୍ୱ ଗ୍ରହଣ କରିବେ । ନୂତନ ସଭାପତି ନିର୍ବାଚିତ ହେବା ପର୍ଯ୍ୟନ୍ତ ସେ କାର୍ଯ୍ୟକାରୀ ସଭାପତି ଭାବରେ କାର୍ଯ୍ୟ କରିବେ ।  ଶୁକ୍ଲା ୨୦୨୦ ମସିହାରୁ ବିସିସିଆଇର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି । ସୂଚନାଥାଉ କି, ରୋଜର ବିନ୍ନି ୧୯୮୩ ମସିହାରେ ଭାରତୀୟ କ୍ରିକେଟ ଦଳର ଅଂଶ ଥିଲେ । ସେ ଦଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବିନି ବିଶ୍ୱକପରେ ସର୍ବାଧିକ ୧୮ଟି  ୱିକେଟ୍ ନେଇଥିଲେ । ୧୯୭୯ ରୁ ୧୯୮୭ ପର୍ଯ୍ୟନ୍ତ, ବିନି ଭାରତ ପାଇଁ ୨୭ ଟେଷ୍ଟ ଏବଂ ୭୨ ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ ।