ପାକ ସେନା ଉପରେ ଆକ୍ରମଣ, ୬୦ ମୃତ
ନୂଆଦିଲ୍ଲୀ: ପାକିସ୍ତାନୀ ସେନା ଉପରେ ଆତ୍ମଘାତୀ ଆକ୍ରମଣ ହୋଇଛି । ବାଲୋଚ ଲିବରେସନ ଆର୍ମି(ବିଏଲଏ)ର ଫିଦାୟୀ ୟୁନିଟ ଦ୍ୱାରା କରାଯାଇଥିବା ଏହି ଆକ୍ରମଣରେ ୬୦ ଜଣ ପାକ୍ ସୈନ୍ୟ ନିହତ ହୋଇଛନ୍ତି । ବାଲୋଚିସ୍ତାନର ଟର୍ବାଟ ନିକଟରେ ଗତ ଶନିବାର ଏହି ଆକ୍ରମଣ କରାଯାଇଛି । ପାକ୍ ସେନାର ଏକ କାରକେଡ କରାଚିରୁ ଟର୍ବାଟ ଯାଉଥିଲା । ଏଥିରେ ସେନାର ୭ଟି ଗାଡ଼ି ଏବଂ ୫ଟି ବସ ରହିଥିଲା । ଶନିବାର ଅପରାହ୍ନ ପ୍ରାୟ ୫ଟା ୪୫ରେ ବିଏଲଏର ଫିଦାୟୀ ୟୁନିଟ ସଦସ୍ୟ କାରକେଡ ସାମ୍ନାକୁ ଆସି ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲେ । ଆକ୍ରମଣକାରୀ ଫିଦାୟୀ ସଙ୍ଗତ ବିହାର ଅଲି ବୋଲି ଚିହ୍ନଟ ହୋଇଛି । ଏହି ବିସ୍ଫୋରଣରେ ୬୦ ସୈନ୍ୟ ପ୍ରାଣ ହରାଇଥିବାବେଳେ ୩୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଘଟଣା ପାଇଁ ବିଏଲଏ ନିଜକୁ ଦାୟୀ କରିଛି । ବିଏଲଏ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ଆମ ମିଶନ ସଫଳ ହୋଇଛି । ବାଲୋଚିସ୍ତାନ ଉପରେ କବଜା କରିବାକୁ ଚାହୁଁଥିବା କୌଣସି ରାଷ୍ଟ୍ରକୁ ସଫଳ ହେବାକୁ ଦିଆଯିବ ନାହିଁ । ଯେଉଁମାନେ ଏହାକୁ ନିଜ ଅଧୀନକୁ ନେବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବାଲୋଚିସ୍ତାନ ସୁରକ୍ଷିତ ସ୍ଥାନ ନୁହେଁ ବୋଲି ବିଏଲଏ ଚେତାବନୀ ଦେଇଛି ।