ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଆନ୍ତର୍ଜାତିକୀକରଣ

ଓମ ପ୍ରସାଦ ପଟ୍ଟନାୟକ : କଟରେ ବିଶ୍ୱର ସବୁଠାରୁ ଦାମୀ, ଉନ୍ନତ କାରିଗରୀ ତଥା ପ୍ରଯୁକ୍ତିଜ୍ଞାନ କୌଶଳ ପାଇଁ ପ୍ରତିଷ୍ଠିତ ଅଗ୍ରଣୀ ମୋବାଇଲ୍ ନିର୍ମାତା କମ୍ପାନୀ ଆପଲ୍ ନିଜର ନୂତନ ଭର୍ସନ୍ ତଥା ଆଇଓଏସ୍ ୧୮.୪ରେ ୧୦ଟି ଭାରତୀୟ ଭାଷା ସମର୍ଥନ ସହିତ ଉନ୍ମୋଚନ ହୋଇଛି । ଅର୍ଥାତ୍ ଆପଲ୍ ମୋବାଇଲ୍ ଫୋନ୍ର ୟୁଜର୍ ଇଣ୍ଟରଫେସ୍ ବର୍ତ୍ତମାନ ୧୦ଟି ଭାରତୀୟ ଭାଷାରେ ଉପଲବ୍ଧ । ସବୁଠାରୁ ଖୁସିର କଥା ଯେ, ଓଡ଼ିଆ ଭାଷା ମଧ୍ୟ ଏହି ବୈଶିଷ୍ଟ୍ୟ ମଧ୍ୟରେ ଅନ୍ତର୍ଭୁକ୍ତ । ସାଧାରଣ ଭାଷାରେ କହିବାକୁ ଗଲେ ଭାରତ ସମେତ ବିଶ୍ୱର କୋଣ ଅନୁକୋଣରେ ଥିବା ପ୍ରତ୍ୟେକ ଓଡ଼ିଆ ଭାଷାଭାଷୀମାନଙ୍କ ପାଇଁ ବର୍ତ୍ତମାନ ନିଜ ମାତୃଭାଷାରେ ଏଭଳି ଏକ ଦାମୀ ମୋବାଇଲ୍ ଚଲାଇବାର ସୁଯୋଗ ଉପଲବ୍ଧ । ଓଡ଼ିଆ ଓ ହିନ୍ଦୀ ଭାଷା ସମେତ ପଞ୍ଜାବୀ, ଗୁଜରାଟୀ, ମରାଠୀ, ବଙ୍ଗଳା, ତେଲୁଗୁ, କନ୍ନଡ଼, ତାମିଲ, ମାଲାୟାଲମ୍, ଉର୍ଦ୍ଦୁ ଆଦି ଭାଷାକୁ ମଧ୍ୟ ଆପଲ୍ର ଏହି ବୈଶିଷ୍ଟ୍ୟ ସମର୍ଥନ କରୁଛି । ଏହା ନିଶ୍ଚୟ ଭାବରେ ଭାରତ ତଥା ବିଶ୍ୱର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଭାରତୀୟ ଭାଷାଭାଷୀଙ୍କ ପାଇଁ ଏକ ଖୁସି ଓ ଗର୍ବର କଥା । ଏହି ବୈଶିଷ୍ଟ୍ୟ କେବଳ ଭାରତୀୟ ଭାଷାରେ ସୀମିତ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ଫ୍ରେଞ୍ଚ୍, ସ୍ପାନିଶ୍, ଜର୍ମାନ୍, ଜାପାନୀଜ୍, ପର୍ତ୍ତୁଗୀଜ୍, କୋରିଆନ୍, ଚାଇନିଜ୍, ଇଟାଲୀୟ ଭଳି ଆହୁରି ଅନେକ ଭାଷାକୁ ମଧ୍ୟ ସମର୍ଥନ କରୁଛି । ଓଡ଼ିଆ ଭାଷାର ଏହି ବୈଶିଷ୍ଟ୍ୟକୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବ୍ୟବହାରକାରୀମାନଙ୍କର ଭିନ୍ନଭିନ୍ନ ପ୍ରତିକ୍ରିୟାମାନ ପ୍ରକାଶ ପାଇବାରେ ଲାଗିଛି । ତେବେ ସର୍ବାଧିକ ଭାବରେ ବ୍ୟବହାରକାରୀ ତଥା ୟୂଜର୍ସ୍ମାନଙ୍କର ସକାରାତ୍ମକ ପ୍ରତିକ୍ରିୟାମାନ ମିଳୁଛି । ଏହି ବୈଶିଷ୍ଟ୍ୟକୁ ନେଇ ୟୁଜର୍ସ୍ମାନେ ଆନନ୍ଦ ପ୍ରକାଶ କରିବା ସହିତ ଏହାକୁ ବହୁଳ ମାତ୍ରାରେ ବ୍ୟବହାର କରିବା ପାଇଁ ଆହ୍ୱାନ ମଧ୍ୟ କରିଛନ୍ତି ।
ତେବେ ଥରେ ଚିନ୍ତା କରି ଦେଖନ୍ତୁ ଯେ, କାହିଁକି ଆପଲ୍ ଭଳି ଏକ ପ୍ରତିଷ୍ଠିତ କମ୍ପାନୀ ଭାରତୀୟ ଭାଷା ସମେତ ଅନେକ ଅନ୍ତର୍ଜାତୀୟ ଭାଷାକୁ ଏତେ ଗୁରୁତ୍ୱ ଦେଉଛି? କେବଳ ଆପଲ୍ ନୁହେଁ, ଆଣ୍ଡ୍ରଏଡ୍, ଆମାଜନ୍, ନେଟ୍ଫ୍ଲିକ୍ସ୍, ଆଲିବାବା, ଗୁଗଲ୍, ମାଇକ୍ରୋସଫ୍ଟ୍, ଫେସ୍ବୁକ୍, ୟୁଟୁବ୍ ଭଳି ଅନେକ ବୃହତ୍ ଓ ପ୍ରତିଷ୍ଠିତ ଅନ୍ତର୍ଜାତୀୟ କମ୍ପାନୀଗୁଡ଼ିକ ମଧ୍ୟ ଅନେକ ବର୍ଷ ଆଗରୁ ଭାରତୀୟ ଭାଷା ସମେତ ଅନେକ ଅନ୍ତର୍ଜାତୀୟ ଭାଷା ସମୂହରେ ନିଜର ଇଣ୍ଟର୍ଫେସ୍କୁ ବିକଶିତ କରିଛନ୍ତି । ତେବେ ସମ୍ପ୍ରତି ବିଶ୍ୱର ପ୍ରାୟ ସମସ୍ତ ବୃହତ୍ କମ୍ପାନୀମାନେ ଇଂରାଜୀ ଭାଷା ସମେତ ଆଞ୍ଚଳିକ ତଥା କ୍ଷେତ୍ରୀୟ ଭାଷାରେ ନିଜ ଉତ୍ପାଦର ପ୍ରଚାରପ୍ରସାର ପାଇଁ କାହିଁକି ଆଗ୍ରହୀ?
ବର୍ତ୍ତମାନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବିକଶିତ ଧାରା ଏକ କଡ଼ ଲେଉଟାଇଛି ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ । କୃତ୍ରିମ ବୁଦ୍ଧିମତା ତଥା ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସ୍ ଆଧୁନିକ ବୈଷୟିକ ତଥା ଟେକ୍ନୋଲୋଜି କ୍ଷେତ୍ରରେ ଏକ ମାଇଲ୍ଖୁଣ୍ଟ୍ ବୋଲି କୁହାଯାଇପାରିବ । ଏଆଇ ଟେକ୍ନୋଲୋଜି ଦ୍ରୁତ ଗତିରେ ବିକଶିତ ହେଉଥିବା ବେଳେ ମନୁଷ୍ୟର ଚିନ୍ତାଶକ୍ତିଠାରୁ ଅନେକ ଆଗକୁ ଚାଲିଯାଇଛି । ଏକଦା ବେବି ବୁମର୍ ଜେନେରେଶନ୍ (୧୯୪୬-୧୯୬୪ ପିଢ଼ି) ଓ ଏକ୍ସ୍-ଜେନେରେଶନ୍ (୧୯୬୫-୧୯୮୦ ପିଢ଼ି) ସମୟରେ ଟେକ୍ନୋଲୋଜିର ଅଭୁ୍ୟଦୟ ହୋଇଥିଲେ ମଧ୍ୟ ସାମାଜିକ ଓ ଅର୍ଥନୈତିକ କାରଣରୁ ଏହା ଅତୀତରେ ଲୋକମାନଙ୍କ ପାଖରେ ଅପହଞ୍ଚ ଥିଲା ଏବଂ ସାମର୍ଥ୍ୟ ଥିବା ସୀମିତ ଲୋକଙ୍କ ପାଖରେ ପହଞ୍ଚିପାରିଥିଲା । ଯାହା ଫଳରେ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ଡିଭାଇସ୍ର ବୈଶିଷ୍ଟ୍ୟକୁ ଭଲ ଭାବରେ ବୁଝି ଏହାକୁ ଆପଣେଇବା ଏହି ପିଢ଼ିର ବ୍ୟକ୍ତିବିଶେଷଙ୍କ ପାଇଁ ଏକ ଚ୍ୟାଲେଞ୍ଜ୍ ଭାବରେ ଉଭା ହୋଇଛି । ତେବେ ମିଲେନିଆଲ୍ସ୍ ତଥା ୱାଇ-ଜେନେରେଶନ୍ (୧୯୮୦-୧୯୯୬ ପିଢ଼ି) ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ଡିଭାଇସ୍କୁ ଅତି ସହଜରେ ପରିଚାଳନା ଓ ନିୟନ୍ତ୍ରଣ କରିପାରୁଛନ୍ତି କାରଣ ଏହି ସମୟରେ ଇଣ୍ଟରନେଟ୍ ଓ ନୂତନ ଡିଜିଟଲ୍ ଟେକ୍ନୋଲୋଜିର ଅଭୁ୍ୟଦୟ ହେବା ସହିତ ଲୋକଙ୍କ ପାଖରେ ବିଭିନ୍ନ ମାଧ୍ୟମରେ ଅପେକ୍ଷାକୃତ କମ୍ ବାଧାରେ ପହଞ୍ଚିପାରିଲା । ଜେନେରେଶନ୍ ଜେଡ୍ ଓ ଆଲ୍ଫା (୧୯୯୭-୨୦୧୨ ଓ ୨୦୧୩-୨୦୨୫ ପିଢ଼ି)କୁ ଏକ ପ୍ରକାରର ସୁପର୍ ସୋନିକ୍ ପିଢ଼ି ମଧ୍ୟ କୁହାଯାଏ । କାରଣ ଏହି ପିଢ଼ି ଉନ୍ନତମାନର ଅତ୍ୟାଧୁନିକ ଟେକ୍ନୋଲୋଜିର ସର୍ବାଧିକ ବିବିଧତା ଏବଂ ଏହାର ବାଧାହୀନ ପ୍ରସାର ମଧ୍ୟରେ ହିଁ ଜନ୍ମ ନେଇଛନ୍ତି ଓ ବଢ଼ିଛନ୍ତି । ତେଣୁ ଅବାଧରେ ଏହି ପିଢ଼ି ନବୀନତମ ଟେକ୍ନୋଲୋଜି ସହିତ ଜନ୍ମରୁ ହିଁ ଅଙ୍ଗାଅଙ୍ଗୀ ଭାବରେ ଜଡ଼ିତ ରହିଲେ ।
ସାମ୍ପ୍ରତିକ ପରିସ୍ଥିତିରେ ବିଭିନ୍ନ ପିଢ଼ିର ରୁଚି, ଆଗ୍ରହ, ସ୍ପୃହା ଓ ପସନ୍ଦ ମଧ୍ୟ ଭିନ୍ନ ଭିନ୍ନ ରହୁଛି । ଏହି କାରଣରୁ ଉନ୍ନତ ସଫ୍ଟ୍ୱେୟର୍ ଓ ଏହାର ଅତ୍ୟାଧୁନିକ ଟେକ୍ନୋଲୋଜିକୁ ସମସ୍ତ ପିଢ଼ି ମଧ୍ୟରେ ଆଦୃତି ଲାଭ କରାଇବା ପାଇଁ ବହୁରାଷ୍ଟ୍ରୀୟ କମ୍ପାନୀମାନେ ବିଭିନ୍ନ ଦିଗରେ ପ୍ରଚେଷ୍ଟାରତ । ବିଶେଷ ଭାବରେ ବିଭିନ୍ନ ଅଞ୍ଚଳରେ ଭାଷାଗତ ବିବିଧତା ଯୋଗୁଁ ସୃଷ୍ଟି ହେଉଥିବା ବୈଷମ୍ୟ ଓ ବାଧାକୁ ଏଡ଼ାଇବା ପାଇଁ ବିଶ୍ୱର ପ୍ରାୟ ସମସ୍ତ ସଂସ୍ଥା ଭାଷାର ଆନ୍ତର୍ଜାତିକୀକରଣ ତଥା ଇଣ୍ଟର୍ନ୍ୟାସ୍ନାଲାଇଜେଶନ୍ ଦିଗରେ ଅଗ୍ରସର । ତେବେ ଏହାର ପ୍ରମୂଖ ଆଧାର ହେଲା ସ୍ଥାନୀୟକରଣ ତଥା ଲୋକଲାଇଜେଶନ୍ । ସଫ୍ଟ୍ୱେୟର୍କୁ ଯେକୌଣସି ଅଞ୍ଚଳ ଓ ଭାଷା ପ୍ରତି ଅନୁକୂଳ କରିବାର ପ୍ରକ୍ରିୟାକୁ ଆନ୍ତର୍ଜାତିକୀକରଣ କୁହାଯାଏ । ଉକ୍ତ ସଫ୍ଟୱେୟର୍କୁ ଏକ ନିର୍ଦ୍ଦିଷ୍ଟ ଭାଷା ଓ ସଂସ୍କୃତି ପ୍ରତି ଅନୁକୂଳ କରି ଗଢ଼ିତୋଳିବା ପ୍ରକ୍ରିୟାକୁ ସ୍ଥାନୀୟକରଣ କୁହାଯାଏ । ଅର୍ଥାତ୍ ସରଳରେ କହିବାକୁ ଗଲେ ଆନ୍ତର୍ଜାତିକୀକରଣ ଏକ ସଫ୍ଟ୍ୱେୟର୍କୁ ବୈଶ୍ୱିକ ପରିଯୋଜନା ପାଇଁ ପ୍ରସ୍ତୁତ କରିଥାଏ । ଅପରପକ୍ଷରେ ସ୍ଥାନୀୟକରଣ ଉକ୍ତ ସଫ୍ଟ୍ୱେୟର୍କୁ ଏକ ନିର୍ଦ୍ଦିଷ୍ଟ ବଜାର ପାଇଁ ପ୍ରସ୍ତୁତ କରିଥାଏ । ଆନ୍ତର୍ଜାତିକୀକରଣ ଓ ସ୍ଥାନୀୟକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଟ୍ରାନ୍ସ୍ଲେସନ୍ ତଥା ଅନୁବାଦ, ଟ୍ରାନ୍ସ୍ଲିଟରେସନ୍ ତଥା ଲିପ୍ୟନ୍ତରଣ, ଟ୍ରାନ୍ସ୍କ୍ରିପ୍ସନ୍ ତଥା ପ୍ରତିଲିପିକରଣ ଭଳି ଉପାୟ ଅନୁକରଣ କରାଯାଉଛି । ଏକ ନିର୍ଦ୍ଦିଷ୍ଟ କ୍ଷେତ୍ର କିମ୍ବା ଅଞ୍ଚଳର ଅଧିବାସୀମାନଙ୍କ ସହିତ ସହଜରେ ଭାବବିନିମୟ କରିବାର ସବୁଠାରୁ ପ୍ରକୃଷ୍ଟ ଓ ଉକôୃଷ୍ଟ ମାର୍ଗ ହେଲା ଭାଷା । ଆନ୍ତର୍ଜାତିକ ବଜାରରେ ଯୋଗାଯୋଗ କରିବା ପାଇଁ ଇଂରାଜୀ ଏକ ପ୍ରମୁଖ ଭାଷା ହୋଇଥିଲେ ହେଁ ଆଞ୍ଚଳିକ ଭାଷା ମାଧ୍ୟମରେ ଯୋଗାଯୋଗ ଏକ ପ୍ରଶସ୍ତ ସକାରାତ୍ମକ ସମ୍ଭାବନା ସୃଷ୍ଟି କରିଥାଏ । ଏଣୁ ବିଭିନ୍ନ ବଡ଼ବଡ଼ କମ୍ପାନୀମାନେ ଅଧୁନା ଏହି ଉପାୟକୁ ଆପଣେଇ ନେଇଛନ୍ତି । ବର୍ତ୍ତମାନ ସମୟରେ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ପ୍ରତ୍ୟେକଟି ଭାଷାଭାଷୀର ଜନସାଧାରଣଙ୍କ ବିଶ୍ୱାସ ଜିତିବା ସଙ୍ଗେସଙ୍ଗେ ଉତ୍ପାଦ ପ୍ରତି ସେମାନଙ୍କର ସମର୍ଥନ ବୃଦ୍ଧି କରାଇବା ସକାଶେ ଆନ୍ତର୍ଜାତିକୀକରଣ ଓ ସ୍ଥାନୀୟକରଣ ଯେ ଏକ ପ୍ରମୁଖ ମାଧ୍ୟମ, ଏଥିରେ କୌଣସି ସନେ୍ଦହ ନାହିଁ । ଆଜିକା ସମୟରେ ବିଭିନ୍ନ କ୍ଷେତ୍ରରେ ଜଗତୀକରଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଲୋକାଭିମୁଖୀ ନିମିତ୍ତ ଆନ୍ତର୍ଜାତିକୀକରଣ ଓ ସ୍ଥାନୀୟକରଣ ଏକ ଅପରିହାର୍ଯ୍ୟ ଅଙ୍ଗ ଭାବରେ ପରିଗଣିତ ହେବା ସଙ୍ଗେସଙ୍ଗେ ସୁସଙ୍ଗତି ଲାଭ କରିବା ପାଇଁ ଏହାର ସର୍ବାଧିକ ବ୍ୟବହାର ମଧ୍ୟ କରାଯାଉଛି ।
ବର୍ତ୍ତମାନର ଓ ଆଗାମୀ ପିଢ଼ିକୁ ନିଜର ଆଞ୍ଚଳିକ ଭାଷା ତଥା ମାତୃଭାଷା ପ୍ରତି ସମ୍ବେଦନଶୀଳ କରାଇବା ପାଇଁ ମଧ୍ୟ ଆନ୍ତର୍ଜାତିକୀକରଣ ଓ ସ୍ଥାନୀୟକରଣ ପଦ୍ଧତି ପ୍ରତ୍ୟକ୍ଷ ଭାବରେ ଦାୟୀ । କାରଣ ଅତି ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଆଧୁନିକୀକରଣ ଓ ଜଗତୀକରଣ ପ୍ରଭାବରେ ଆଜିର ପିଢ଼ି ନିଜର ଆଞ୍ଚଳିକ ଭାଷା ପ୍ରତି ଧୀରେଧୀରେ ସ୍ପୃହା ହରାଉଛନ୍ତି । ଇଂରାଜୀ ଭାଷାରେ ଯୋଗାଯୋଗକୁ ଅତି ସହଜରେ ଗ୍ରହଣ କରିବା ସହିତ ଏହାକୁ ନିଜ ଦୈନନ୍ଦିନ ଜୀବନରେ ମଧ୍ୟ ବହୁଳ ପରିମାଣରେ ବ୍ୟବହାର କରୁଛନ୍ତି । ତେବେ ଇଂରାଜୀ ଭାଷାର ବ୍ୟବହାରରେ କୌଣସି ସମସ୍ୟା ନଥିଲେ ମଧ୍ୟ ନିଜ ଆଞ୍ଚଳିକ ଭାଷା ପ୍ରତି ଗୌଣ ମନୋଭାବ ଏକ ନୂତନ ସମସ୍ୟା ଭାବରେ ଉଭା ହୋଇଛି । ଦୈନନ୍ଦିନ ଜୀବନରେ ଆଞ୍ଚଳିକ ଭାଷାର ବ୍ୟବହାର ବର୍ତ୍ତମାନର ପିଢ଼ି ପାଇଁ ଏକ ଦୁରୂହ ବ୍ୟାପାରରେ ପରିଣତ ହୋଇଛି । କିଛି କ୍ଷେତ୍ରରେ ପିଲାମାନେ ଇଂରାଜୀ ଭାଷାର ବ୍ୟବହାରକୁ ଏକ ପ୍ରତିଷ୍ଠା ପ୍ରତୀକ ଭାବରେ ଗ୍ରହଣ କରୁଥିବା ବେଳେ ଆଞ୍ଚଳିକ ଭାଷାର ବ୍ୟବହାରକୁ ନେଇ ହୀନମନ୍ୟତା ପ୍ରକାଶ କରୁଛନ୍ତି, ଯାହାକି ବର୍ତ୍ତମାନ ଏକ ପ୍ରମୁଖ ସମସ୍ୟା ଅଟେ । ତେଣୁ ଆନ୍ତର୍ଜାତିକୀକରଣ ଓ ସ୍ଥାନୀୟକରଣ ମାଧ୍ୟମରେ ବର୍ତ୍ତମାନ ଓ ଆଗାମୀ ପିଢ଼ିକୁ ନିଜର ଆଞ୍ଚଳିକ ଭାଷା ତଥା ମାତୃଭାଷା ଏବଂ ଏହାର ଇତିହାସ, ସଂସ୍କୃତି, ସଭ୍ୟତା ଆଦି ପ୍ରତି ଆକର୍ଷିତ କରାଇବା ସହିତ ଏଥିପ୍ରତି ସକାରାତ୍ମକ ମନୋଭାବ ପୋଷଣ, ରୁଚି ଓ ଆଗ୍ରହ ସୃଷ୍ଟି କରିହେବ । ନିଃସନେ୍ଦହରେ କୁହାଯାଇପାରିବ ଯେ ଏହା ଏକ ଯୁଗୋପଯୋଗୀ ପଦ୍ଧତି ।
ଅଠରଭାଗ, ପିପିଲି
ମୋ: ୯୮୧୮୮୪୭୮୦୬