ସନାତନ ଧର୍ମ ଓ ମାନବ ଜାତିର ଐକ୍ୟ
ପଙ୍କଜ କୁମାର ପାଣିଗ୍ରାହୀ : ହିନ୍ଦୁ ସମ୍ପ୍ରଦାୟର ଆଦି ଗ୍ରଂଥ ସନାତନ ଧର୍ମ ପୃଥିବୀର ଏକମାତ୍ର ସମୃଦ୍ଧ ମାନବଧର୍ମୀ ଚେତନାଶୀଳ ଲିପି ଯାହାର ବିକଳ୍ପ ନାହିଁ । ଏହା ସତ୍ୟ, ଚିରନ୍ତନ ଓ ଏକକ ମାତ୍ର ଯେଉଁଥିରେ ବର୍ଣ୍ଣିତ ଅନେକ ତଥ୍ୟ ଅନ୍ୟ କୌଣସି ଧର୍ମରେ ଦେଖିବାକୁ ମିଳିବ ନାହିଁ । ସନାତନ ଧର୍ମ କୌଣସି ପରିରାଇଜର କାହାଣୀ ନୁହେଁ । ସହଜରେ ବୁଝି ଗ୍ରହଣ କରିପାରିବା ଭଳି ପରିଭାଷା ନୁହେଁ । ମାନବିକ ଚେତନାର ଅପୂର୍ବ ସମ୍ଭାର ପ୍ରାକୃତିକ ବିଜ୍ଞାନର ଗନ୍ତାଘର ଯାହାର ଦାର୍ଶନିକ ମତବାଦ ଗୁଡିକ ଆଜିର ଧନ୍ଦାମୂଳକ ଶିକ୍ଷାରେ ସଂଭୂଷିତ ଶିକ୍ଷିତଙ୍କ ପହଂଚ ବହିର୍ଭୁତ ହେବା ସ୍ୱାଭାବିକ । ଅଧିକନ୍ତୁ ସେହି ଅପୂର୍ବ ସତ୍ୟ ଦାର୍ଶନିକ ମତବାଦ ଗୁଡିକୁ ବିକୃତ କରି ବ୍ୟାପକ ବିପରୀତମୁଖୀ ପ୍ରହେଳିକା ସୃଷ୍ଟି କରାଯିବାରେ ଭାରତୀୟ ହିନ୍ଦୁ ସମ୍ପ୍ରଦାୟ ଆଜି ଘୃଣିତ । ସନାତନ ଧର୍ମର ପ୍ରକୃତ ଲିପି ତ ନାହିଁ ବରଂ ସେଥିରୁ ଉଦ୍ଧୃତ କେତେକ ଅମୁଲ୍ୟ ଚେତନାକୁ ମଧ୍ୟ ବୁଝିବା କ୍ଷମତା ନାହିଁ କାହାର ଆଜି ସମୟରେ । ତଥାପି ସନାତନ ଧର୍ମ ବିଷୟରେ ହିନ୍ଦୁ ମାନଙ୍କର ବକ୍ତବ୍ୟ ଏତେ ଦୃଢ଼ ଯେ ସତେ ଯେମିତି ସମସ୍ତେ ତାକୁ ମୁଖସ୍ତ କରି ଜୀବନର ଗୋଡେ଼ ଗୋଡେ଼ ପାଳନ କରୁଛନ୍ତି । ଅତ୍ୟନ୍ତ ଦୁଃଖ ଓ କ୍ଷୋଭର ବିଷୟ ଏହା ଯେ ସନାତନ ଧର୍ମର ପ୍ରକୃତ ଅମୁଲ୍ୟ ଶିକ୍ଷା ଗୁଡିକୁ ବିକୃତ ବିଭତ୍ସ କରି ଯେଉଁ ବିପରୀତ ମୁଖି ମନ୍ତବ୍ୟ ଦେଇଥା’ନ୍ତି କେତେକ ଅଜ୍ଞାନ ଶିକ୍ଷିତ ସେଗୁଡିକୁ ବିଶ୍ଳେଷଣ କଲେ ବୁଝି ହୁଏ ଯେ ଦିନେ ସମଗ୍ର ବିଶ୍ୱରେ ସର୍ବାଗ୍ରେ ରହିଥିବା ହିନ୍ଦୁ ସମ୍ପ୍ରଦାୟ କାହିଁକି ଆଜି ନାଚାର ନିଷ୍ପେସିତ !
ସନାତନ ଧର୍ମ ଭାରତୀୟ ହିନ୍ଦୁ ସମ୍ପ୍ରଦାୟର ଏକ ଆଦ୍ୟନ୍ତ ଗ୍ରଂଥ ଭାବେ ସମସ୍ତ ହିନ୍ଦୁ ମାନଙ୍କ ଦ୍ୱାରା ଗୃହୀତ । ସେଇଥିରେ ବର୍ଣ୍ଣିତ ମାନବିକ ଚେତନାଶୀଳ ଦାର୍ଶନିକ ମତବାଦ ଗୁଡିକ କାହା ସହିତ ତୁଳନାତ୍ମକ ନୁହେଁ । ଆଜିର ପାର୍ଥିବ ବିଜ୍ଞାନ ଏକ ଭିନ୍ନ ଶ୍ରେଣୀଭୁକ୍ତ ବିଷୟ ଯାହା ସନାତନ ଧର୍ମ ସହିତ କୌଣସି ସାମଞ୍ଜସ୍ୟ ରଖିନଥାଏ । ତେଣୁ କେତେବେଳେ ପାର୍ଥିବ ବିଜ୍ଞାନର କୌଣସି ବିଷୟକୁ ସନାତନ ଧର୍ମ ସହିତ ତୁଳନା କରିବା ଏକ ବିଭ୍ରାନ୍ତିକର ଅଯୌକ୍ତିକ ବିଚାର ମାତ୍ର ! ପାର୍ଥିବ ବିଜ୍ଞାନ ଯାହାସବୁ କରିଥାଏ ସେଗୁଡିକ ପ୍ରୟୋଗାତ୍ମକ ଅନୁଶୀଳନ ଦ୍ୱାରା ପ୍ରମାଣ ସାପେକ୍ଷ । ପ୍ରମାଣ ବିହୀନ ପାର୍ଥିବ ବିଜ୍ଞାନ ଏକ ଅଲୌକିକ ବିଷୟ କେବଳ । ଠିକ୍ ସେହିଭଳି ସନାତନ ଧର୍ମ ପ୍ରୟୋଗାତ୍ମକ ଯୋଗ୍ୟ ହୋଇଥାଏ କେବଳ ପ୍ରାକୃତିକ ଆଚରଣ ତଥା ମାନବିକ ଚେତନାଶୀଳ ବିଶ୍ଳେଷଣ ମାଧ୍ୟମରେ ଯାହାକୁ ଅଧିଗ୍ରହଣ କରି ମଣିଷ ନିଜସ୍ୱ ଚେତନାରେ ପ୍ରସ୍ଫୁଟିତ କରିବା ଅତ୍ୟନ୍ତ କଷ୍ଟ । କାରଣ ଆଜିର ମଣିଷ କେବଳ ପାର୍ଥିବ ବିଜ୍ଞାନର ପ୍ରଗତିରେ ନିଜକୁ ସମାନ୍ତରାଳ କରି ଯେଉଁ ଉନ୍ନତ୍ତିର ପ୍ରହେଳିକା ସୃଷ୍ଟି କରୁଛି ନିଜକୁ ନିଜେ, ବାସ୍ତବରେ ତାହା ସେତିକି ଗ୍ରହଣୀୟ ହେଉନାହିଁ କେବଳ ସେମାନଙ୍କ ବାସ୍ତବ ଜ୍ଞାନର ଉଦୟ ନହେବା କାରଣରୁ । ପାର୍ଥିବ ବିଜ୍ଞାନର ବସ୍ତୁ ଗୁଡିକ ଟଙ୍କା ଦେଇ କିଣି ହେଉଥିବା ବେଳେ ସନାତନ ଧର୍ମର ଦାର୍ଶନିକ ତତ୍ତ୍ୱ ଗୁଡିକ ଟଙ୍କା ଦେଇ କିଣିବା ଭଳି ବିଷୟ ନୁହେଁ । ସେଗୁଡିକୁ ବୁଝି ନିଜସ୍ୱ ଜ୍ଞାନ ଅନ୍ତର୍ଭୁକ୍ତ କରିବା ଏକ ବ୍ୟପାକ କଷ୍ଟକର ବିଷୟ ଯାହା ଏମିତି ସାଧାରଣରେ କରିବା ଏକ ଅସାଧ୍ୟ ବ୍ୟାପାର ।
ସନାତନ ଧର୍ମ ଏକ ନିର୍ଦ୍ଧିଷ୍ଟ ଆକୃତିର ପ୍ରାକୃତିକ ଜୀବକୁ ମଣିଷ ପଦବାଚ୍ୟ କରାଇଥାଏ ଯାହା ସମ୍ପୃକ୍ତ ମଣିଷର ମାନସିକ ଏବଂ ଶାରୀରିକ ଆଚରଣରେ ପ୍ରସ୍ଫୁଟିତ ହୋଇଥାଏ । ପଦାର୍ଥ ବିଜ୍ଞାନ ଏବଂ ଅର୍ଥଶାସ୍ତ୍ର ଗୁଡିକର ଚରମ ଶୀର୍ଷକୁ ଅଧିଗ୍ରହଣ କରିପାରିଥିବା ମଣିଷ ଆକୃତିର ଜୀବଟି ନିଜକୁ ଉନ୍ନତ୍ତିର ସର୍ବାଗ୍ରେ ରହିଥିବା ପ୍ରଦର୍ଶନ କରୁଥିଲେ ମଧ୍ୟ ତାକୁ ମଣିଷ ପଦବାଚ୍ୟ କରାଯାଇ ପାରିବ ନାହିଁ ଯେପର୍ଯ୍ୟନ୍ତ ସେ ନିଜକୁ ମାନବିକ ଚରିତ୍ରରେ ସୁସଜ୍ଜିତ କରିପାରି ନାହିଁ । ସେହି ମାନବିକ ଅଳଙ୍କାର ତଥା ପ୍ରାକୃତିକ ଉନ୍ନତ୍ତିର ପରିଭାଷା ଶିଖାଇଥାଏ ସନାତନ ଧର୍ମ ଯାହାର ପରିଚୟ ଆଜି ମଳିନ ସମସ୍ତଙ୍କ ଠାରେ କେବଳ ଏହି ପାର୍ଥିବ ବିଜ୍ଞାନ ଜନିତ ପ୍ରଗତିର କରାଳତାରେ ! ପାର୍ଥିବ ବିଜ୍ଞାନ ତଥା କୃତ୍ରିମ ପ୍ରହେଳିକା ମଣିଷକୁ କ୍ଷଣ ସୁଖ ପ୍ରଦାନ କରିବାରେ ସମର୍ଥ ହେଉଥିଲେ ହେଁ ମଣିଷକୁ ତାର ପ୍ରକୃତ / ପ୍ରାକୃତିକ ପରିଚୟ ପ୍ରଦାନ କରିପାରିବ ନାହିଁ । ସନାତନ ଧର୍ମ ମଣିଷ ରୁପୀ ପଶୁଟିକୁ ମନୁଷ୍ୟ ପଦବାଚ୍ୟ କରିବାରେ ସହଯୋଗ ସୃଷ୍ଟି କରିବା ସହିତ ପ୍ରାକୃତିକ ଜୀବନ ଶୈଳୀ ଏବଂ ତାହାର ଉପାଦାନ ଗୁଡିକ ବିଷୟରେ ଶିକ୍ଷା ଦେଇଥାଏ । ମଣିଷକୁ ନିଜର ପରିଚୟ ପ୍ରଦାନ କରିବା ସହିତ ସାମାଜିକ ପରିଚିତି ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ । କି’ନ୍ତୁ ତାହା ଆଜି ଜନାଦୃତତା ପାଇପାରୁ ନାହିଁ, କେବଳ ମିଥ୍ୟାବାଦୀଙ୍କ ବ୍ୟାପକ ପ୍ରହେଳିକା କାରଣରୁ । ସମସ୍ତେ ଆଜି ମିଥ୍ୟାବାଦୀ, ମିଥ୍ୟାଗ୍ରାହୀ, ମିଥ୍ୟାଚାରୀ ଭଳି ଜୀବନ ବଂଚୁଛନ୍ତି କେବଳ ହାତଗଣତି କେତେକ କେଳେଙ୍କାରୀ ଅଜ୍ଞାନ ଚତୁରଙ୍କ ପ୍ରରୋଚନାରେ ପଡି । ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ରହିଥିବା ଅନେକ ଶାସ୍ତ୍ର, ସଂହିତା, ସ୍ମୃତି, ବେଦ, ଉପନିଷେଦ, ଗ୍ରଂଥ, ପୁରାଣ ତଥା ଇତିହାସ ଗୁଡିକରେ ବର୍ଣ୍ଣିତ ବ୍ୟାପକ ଔପଚାରିକ ବିଷୟ ଗୁଡିକ ସନାତନ ଧର୍ମ ସହିତ କିଂଚିତ ସାମଞ୍ଜସ୍ୟ ରଖିଥବା ବେଳେ ସନାତନ ଧର୍ମ କିନ୍ତୁ ସେଗୁଡ଼ିକରୁ ସମ୍ପୂର୍ଣ୍ଣ ଭାବେ ଭିନ୍ନ ଓ ସ୍ୱତନ୍ତ୍ର । ଭିନ୍ନ ଭିନ୍ନ ସମୟରେ ଲିଖିତ ସେହି ସବୁ ପୁସ୍ତକ ଗୁଡିକରେ ଏକକ ବ୍ୟକ୍ତି ବିଶେଷଙ୍କ ବିଚାରଧାରା ତଥା ସେମାନଙ୍କ ରୁଚି ସମ୍ପନ୍ନ ମନ୍ତବ୍ୟ ଗୁଡିଏ ବର୍ଣ୍ଣିତ ରହିଥିବା ବେଳେ ସନାତନ ଧର୍ମ ବିଶ୍ୱର ସମଗ୍ର ମାନବ ଜାତିର ଐକ୍ୟ ଉପରେ ଆଧାରିତ ସତ୍ୟ, ତଥ୍ୟ ସମ୍ବଳିତ ମାନବିକ ଚେତନା ଉପରେ ଆଧାରିତ ଯାହାକୁ କୌଣସି ମତେ ଦ୍ୱିମତ ସୃଷ୍ଟି କରାଯାଇ ପାରିବ ନାହିଁ ।
ବିଶ୍ୱର କୌଣସି ସମ୍ପ୍ରଦାୟର ମଣିଷ ସେଥିରେ ବର୍ଣ୍ଣିତ ପ୍ରାକୃତିକ ଓ ମାନବିକ ଚେତନା ଗୁଡିକୁ ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ । କେବଳ ପ୍ରମାଣ ସାପେକ୍ଷ ପ୍ରୟୋଗାତ୍ମକ ମାନବିକ ଚରିତ୍ର ବ୍ୟତୀତ କୌଣସି ଅଲୌକିକ କିମ୍ବା ସତ୍ୟ ବିହୀନ ତଥ୍ୟ ନାହିଁ ସେଇଥିରେ । ସନାତନ ଧର୍ମକୁ ଅସ୍ୱୀକାର କରିବା ଅର୍ଥ ହେଉଛି ନିଜକୁ ଅମଣିଷ ବୋଲି ପରିଚୟ ଦେବା ସହିତ ସମାନ ! କିନ୍ତୁ ହିନ୍ଦୁ ସଂପ୍ରଦାୟରେ ରହିଥିବା ଅନ୍ୟାନ୍ୟ କୌଣସି ପୁସ୍ତକ ଗୁଡିକୁ ତାହା ସମକକ୍ଷ କରି ତୁଳନା କରାଯାଇ ପାରିବ ନାହିଁ ! କାରଣ ହିନ୍ଦୁ ଧର୍ମ ଶାସ୍ତ୍ର ଗୁଡିକର ଅନ୍ୟାନ୍ୟ ପୁସ୍ତକ ଗୁଡିକରେ ବ୍ୟାପକ ଅଯୌକ୍ତିକ, ଅଲୌକିକ, ବିଭ୍ରାନ୍ତିକର ବିଷୟ ଗୁଡିଏ ବର୍ଣ୍ଣିତ ରହିଛି ଯାହା ପାଇଁ ଆଜି ହିନ୍ଦୁମାନେ ଅନଗ୍ରସର ଅବସ୍ଥାରେ ରହିଛନ୍ତି କେବଳ ଯେଉଁମାନେ ସେଗୁଡିକୁ ଅନୁସରଣ କରି ଜୀବନ ବଂଚୁଛନ୍ତି । ଅନେକ ସମୟରେ ସେଗୁଡିକ ବ୍ୟାପକ ବିବାଦ ଘେରକୁ ଆସିବା ସହିତ କେତେକାଂଶରେ ସଂଶୋଧିତ କରି କେତେକ ମଣିଷ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି । ସାଧାରଣ ଲୋକଙ୍କ ଜୀବନ ଯାପନ ଶୈଳୀରେ ବ୍ୟାପକ ଜଟିଳ କଂଟକିତ ସମୟ ସୃଷ୍ଟି କରୁଥିବା ମଧ୍ୟ ବୁଝି ହେଉଛି କେତେକ ପୁସ୍ତକରେ ଯାହାର ସମୀକ୍ଷା ବିହୀନ ଗ୍ରହଣୀୟତା କାଳ କାଳ ଧରି ନିର୍ଦ୍ଧିଷ୍ଟ ଗୋଷ୍ଠୀଙ୍କୁ ଅମଣିଷ ଭଳି ବଂଚିବାକୁ ବାଧ୍ୟ କରୁଥିବା ଦେଖିବାକୁ ମିଳୁଛି କେତେକ କ୍ଷେତ୍ରରେ !
ସନାତନ ଧର୍ମରେ ସେମିତି କୌଣସି ବିଷୟ ନାହିଁ ଯାହା କୌଣସି ମଣିଷ ଦ୍ୱାରା ପ୍ରତ୍ୟାଖ୍ୟାନ କରିହେବ । କାରଣ ତାହା ସବୁବେଳେ ସତ୍ୟ, ତଥ୍ୟ ଉପରେ ଆଧାରିତ ମାନବିକ ଚେତନା ପ୍ରଦାନକାରି ମନ୍ତବ୍ୟରେ ଭରପୁର ଏକ ଅନ୍ତିମ ଗ୍ରଂଥ ଯାହାର ବିକଳ୍ପ ଆଉ କିଛି ନାହିଁ । ବଡ ଦୁଃଖ ଓ କ୍ଷୋଭର ବିଷୟ ଏହାକି ଯେ ସମଗ୍ର ମାନବ ଜାତିକୁ ମଣିଷ ପଦବାଚ୍ୟ କରିବା ଲକ୍ଷ୍ୟ ରଖି ଲିଖିତ ସନାତନ ଧର୍ମ ପାଠ କଲେ ସମସ୍ତଙ୍କ ପ୍ରକୃତ ଜ୍ଞାନ ଉଦୟ ହୋଇପାରିବ ଏବଂ ମଣିଷ ସ୍ୱୟଂପ୍ରଭ ହୋଇ କାହାକୁ ଅନୁକରଣ, ଅନୁସରଣ ନକରି ନିଜ ଗୋଡ଼ରେ ନିଜେ ଛିଡା ହୋଇ ଜୀବନର ଅତିକ୍ରାନ୍ତ ପଥକୁ ପୁଷ୍ପମୟ କରିପାରିବ । କିନ୍ତୁ ଲେଖା ଯାଇଥିବା ସନାତନ ଧର୍ମର ପାଠ ଗୁଡିକ ଆଜି ଆଉ ନାହିଁ । କେତେକ ପ୍ରଭାବଶାଳୀ କ୍ରୁର ମଣିଷ ସନାତନ ଧର୍ମର ପ୍ରକୃତ ଚେତନା ଦତ୍ତ ଲିପି ଗୁଡିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି କେବଳ ସାଧାରଣ ଲୋକଙ୍କୁ ତା’ର ସୁଯୋଗରୁ ବଂଚିତ ରଖିବା ପାଇଁ । କାରଣ ସବୁ ମଣିଷ ଯଦି ପ୍ରକୃତ ଜ୍ଞାନ ପାଇଯିବେ ତାହେଲେ ସେହି କ୍ରୁର ବିଚାରଶୀଳ ମଣିଷ ଗୁଡିକ ଆଉ ନିଜର ପତିଆରା ବିସ୍ତାର କରିପାରିବେ ନାହିଁ କିମ୍ବା ଶାସକ-ଶାସିତ ବ୍ୟବସ୍ଥା ରହିବ ନାହିଁ । ସମସ୍ତଙ୍କୁ ଉପଯୁକ୍ତ ଜ୍ଞାନ ମିଳିଗଲେ ଆଉ ମିଥ୍ୟା କହି କାହାକୁ ଭଣ୍ଡି ହେବ ନାହିଁ ।
ମୋ: ୯୪୩୭୩୨୪୯୧୭