ଅଜଣା ଜଗତର ଡାକ


  ଅଶୋକ ବିଶ୍ୱାଳ : କିଏ କିଙ୍ଗ ସେଲ ଭଳି ବଡ ଆଉ ସୁନ୍ଦର ହେଲାଣି ତ କିଏ ସପୁରୀ ଭଳିଆ ଦେଖାଯାଉଛି ଆଉ ତା’କୁ କୁହାଯାଉଛି ପାଇନ ଆପଲ ସେଲ । ନଟିଲାସ ସେଲ ପତଳା, ମୋଟା ଆଉ ଏକ ଗାଲାକ୍ସି ଭଳି ଧୀରେ ବଡ ହୋଇଯାଉଛି । ଜ୍ୟାଣ୍ଟ କାମ ସେଲଏତେ ଓଜନିଆ ବିଶ୍ୱାସ କରିହେଉନି । କେଉଁ ସେଲ ବାଘ ପଞ୍ଝା ପରି ଦେଖାଯାଉଛି । କେଉଁ ସେଲକୁ କୁହାଯାଉଛି ଟ୍ରମ୍ପେଟ ସେଲ ବା କାହାଳୀ ସେଲ । କେଉଁ ସେଲ କୋନ ପରି ଦେଖାଯାଉଛି । କେଉଁ ଶଂଖକୁ ସ୍ପାଇଡର କୋଂଚ କୁହାଯାଉଛି ଆଉ ସେହି ଶଂଖର ଧାରରେ ବୁଢୀଆଣୀର ବାହୁ ଭଳି ଲମ୍ବା ବାହୁମାନ ଅଛି । ଗୋଟାଏ ସେଲ ତ ଓଲଟା ନଟୁ ପରି ଦେଖାଯାଉଛି ଆଉ ତା’କୁ ଟପ ସେଲ ବା ନଟୁ ସେଲ କୁହାଯାଉଛି । “ଶୋଭନା, ତୁମେ ସମୁଦ୍ର ଧାରରରେ ସେଲମାନଙ୍କ ଆକାର, କଙ୍କଡାମାନଙ୍କର ରୂପ ଦେଖି ଆଶ୍ଚର୍ଯ୍ୟ ହୋଇଯିବ ।”- ଅସୀମ କହିଲେ ।
“ମ୍ୟାଜିକ ହାଉସ । ଏକ ମ୍ୟାଜିସିଆନର ଘର । ହାତ ବୁଲାଇଲା କ୍ଷଣି ଏକ ନୂଆ ଜିନିଷ ବାହାରି ଆସୁଛି । କିଏ ଦୌଡୁଛି ତ କିଏ ଚୁପଚାପ ପଡି ରହିଛି । ଦେଖୁନ ହଣ୍ଟେଡ ହାଉସରେ କେବଳ ଡରିବା ପାଇଁ ଉପାଦାନମାନ ରଖାଯାଇଥାଏ । ସେଇମିତି ଏଠି ଆକାର ବଦଳାଇବା ପାଇଁ ଏକ ମଂଚ ତିଆରି କରିଦିଆଯାଇଛି ।”-ଶୋଭନା କହିଲେ “ସମୁଦ୍ରକୂଳ ହେଉଛି ଏକ ମ୍ୟାଜିକର ମଂଚ ।”-ଅସୀମ କହିଲେ । ଆଉ ତା’ପରେ ଅସୀମ ତାଙ୍କର କଥା ଜାରି ରଖିଲେ । 
ସମୁଦ୍ର କଚ୍ଛପ
ସମୁଦ୍ର ଭିତରେ ଅଛନ୍ତି କେତେକେତେ କଚ୍ଛପ । ଗ୍ରେଟ ନିକୋବର ଦ୍ୱୀପରେ ସେମାନେ ଗଲାଥିଆ, ଆଲେକଜାଣ୍ଡ୍ରିଆ ଭଳି ନଦୀ କୁଳରେ ଥିବା ନିର୍ଜ୍ଜନ ବିଚକୁ ଅଣ୍ଡା ଦେବା ପାଇଁ ଆସନ୍ତି । ସେମାନେ ଧୀରେ ବଡ ହୁଅନ୍ତି ଓ ବହୁ ବର୍ଷ ବଞ୍ଚନ୍ତି । ସମୁଦ୍ର କଚ୍ଛପମାନଙ୍କୁ ପାଣି ଉପରକୁ ଆସି ନିଃଶ୍ୱାସ ନେବାକୁ ପଡେ । କଚ୍ଛପମାନେ ଅଣ୍ଡାରୁ ଜନ୍ମନେଇ ବଡ ହୋଇଥାନ୍ତି । ଏହି କଚ୍ଛପମାନେ ବହୁ ଲମ୍ବା ଯାତ୍ରା କରିଥାନ୍ତି । ସେମାନଙ୍କର ଥାଏ ଆହୁଲା ଭଳି ଫ୍ଲିପରସମାନ । ସେମାନେ ସମୁଦ୍ର ତଳେ ବୁଲାଚଲା କରନ୍ତି । ସେମାନଙ୍କର ଦେଖିବା ଆଉ ଶୁଙ୍ଘିବା ଶକ୍ତି ଭଲ କିନ୍ତୁ ସ୍ୱାଦ ବାରିବା ଶକ୍ତି କମ । ଦେହରେ ଜମା ହେଉଥିବା ଅତ୍ୟଧିକ ଲବଣକୁ ସେମାନେ ଲୁହ ମାଧ୍ୟମରେ ଦେହରୁ ନିଷ୍କାସନ କରିଥାନ୍ତି । ତେଣୁ ଅଣ୍ଡାଦେବା ସମୟରେ ସେମାନଙ୍କ ଆଖିରୁ ଲୁହ ବାହାରିବା ଦେଖାଯାଏ । ପ୍ରକୃତ କାରଣ ହେଉଛି ଦେହରୁ ଲବଣ ନିଷ୍କାସନ, ବୋଧହୁଏ ପ୍ରସବ ଜନିତ ଯନ୍ତ୍ରଣା ନୁହେଁ । ସେମାନଙ୍କର ଉପର ଖୋଳପାକୁ କାରାପାସ, ଆଉ ତଳ ଖୋଳପାକୁ ପ୍ଲାଷ୍ଟ୍ରନ କୁହାଯାଏ । ସେମାନଙ୍କ ଖୋଳପା ହେଉଛି ଏକ ଢାଲ । ପୁରୁଣା ସୈନିକମାନେ ଧରୁଥିବା ଢାଳ ଭଳି ମଝିରେ ଉପରକୁ ଉଠିଯାଇ କଡ ଆଡକୁ ତଳୁଆ ହୋଇଯାଇଛି । ସମୁଦ୍ର କଚ୍ଛପର ଦାନ୍ତ ନାହିଁ । ସେମାନଙ୍କର ମାଢି ସେହି ହିସାବରେ ବଦଳିଯାଇଛି । ବେଶ ଟାଣ ମାଢି ଅଛି କଚ୍ଛପର । ଆଣ୍ଡାମାନ ସମୁଦ୍ରରେ ଅଛନ୍ତି ହକସବିଲ ଟର୍ଟଲ , ଗ୍ରୀନ ସି ଟର୍ଟଲ, ଅଲିଭ ରିଡଲେ ଟର୍ଟଲ, ଲେଦରବ୍ୟାକ ଟର୍ଟଲ ।  ଅଲିଭ ରିଡଲେ ଟର୍ଟଲ ହେଉଛି ଏକ ଛେଟ କଚ୍ଛପ । ପ୍ରାୟ ୭୦-୮୦ ସେମି ପର୍ଯ୍ୟନ୍ତ ଲମ୍ବ ହୋଇପାରେ । ଓଜନ ପ୍ରୟ ୩୫-୫୦ କେଜି ହୋଇପାରେ । ଏକ ବଡ । ଅଲିଭ ରିଡଲେ କଚ୍ଛପର ଖୋଳପା ପ୍ରାୟ ଗୋଲ , ଗାଡ ପାଉଁଶିଆ ରଙ୍ଗର ହୋଇଥାଏ । ଏହା ବେଶି ସଂଖ୍ୟାରେ ଭାରତରେ ମିଳେ । ହକସବିଲ ସି ଟର୍ଟଲର ମୁଣ୍ଡ ଲମ୍ବା । କାରାପାସ ବା ଖୋଳପାରେ ସୁନ୍ଦର ଲାଲ ବା ଗାଢ ବାଦାମୀ ରଙ୍ଗର ଛାପ ପଡିଥାଏ । ଏହି କଚ୍ଛପର ଅଛି ସରୁଆ ଥଣ୍ଟ , ପ୍ରାୟ ପକ୍ଷୀର ଚଂଛୁ ଭଳି । ତେଣୁ ଏହାକୁ ହକସବିଲ କଚ୍ଛପ କୁହାଯାଉଛି । ଏହାର ଲମ୍ବ ପ୍ରାୟ ୧୦୦ ସେମି ଆଉ ଓଜନ ପାଖାପାଖି ୬୦-୮୦ କିଲୋ ହୋଇପାରେ । ଛୋଟ କଚ୍ଛପ ସବୁ ଖାଇବା ଖାଇଥାନ୍ତି । କିନ୍ତୁ ବଡ କଚ୍ଛପମାନେ ମୁଖ୍ୟତଃ ସ୍ପଞ୍ଜ, ଜେଲିଫିଶ, ମୋଲୁସ୍କ, ସାମୁଦି୍ରକ ଘାସ, ଅଲଗେଇ ଇତ୍ୟାଦି ଖାଇଥାନ୍ତି ।  ଗ୍ରୀନ ସି ଟର୍ଟଲ ହେଉଛି ଟାଣ ଖୋଳପା ଥିବା ସବୁଠାରୁ ବଡ ସମୁଦ୍ର କଚ୍ଛପ । ଏହାର ମୁଣ୍ଡ ଛୋଟ ଆକାରର । ପ୍ରାୟ ୧୩୦ ସେମି ପର୍ଯ୍ୟନ୍ତ ଲମ୍ବ ଆଉ ୧୧୩-୨୩୦ କିଲୋ ପର୍ଯ୍ୟନ୍ତ ଓଜନ ପାଇପାରେ । ଏହାର ଖୋଳପାରେ ହାଲୁକା ଲାଲ-ଖଇରିଆ ରଙ୍ଗର ଛାପ ଥାଏ । ଏହା ଲମ୍ବା ଯାତ୍ରା କରିଥାଏ । ନିଜର ଫିଡିଙ୍ଗ ଗ୍ରାଉଣ୍ଡ ଆଉ ନେଷ୍ଟିଙ୍ଗ ବିଚ ଭିତରେ ପ୍ରାୟ ୨୩୦୦ କିମି ପର୍ଯ୍ୟନ୍ତ ଯାତ୍ରା କରିପାରେ । ଏହା ମୁଖ୍ୟତଃ ନିରାମିଶାଷୀ ଆଉ ଏହା ସାମୁଦି୍ରକ ଗୁଳ୍ମ ଇତ୍ୟାଦି ଖାଇଥାଏ ।  ଜ୍ୟାଣ୍ଟ ଲେଦରବ୍ୟାକ ସି ଟର୍ଟଲ- ଏହା ସମୁଦ୍ର କଚ୍ଛପଙ୍କ ମଧ୍ୟରେ ଆକାରରେ ସବୁଠାରୁ ବଡ । ଶରୀର ଉପରେ ହାଡର ଖୋଳ ନଥାଏ, ପରନ୍ତୁ ବେଶ ମୋଟା ଚମଡାର ଆବରଣ ଥାଏ । ତଳେ ହେକ୍ସାଗୋନାଲ ହାଡର ଛାଞ୍ଚ ଥାଏ । ଏହା ପ୍ରାୟ ତ୍ରିଭୂଜାକାର ଦେଖିବାକୁ । ଚମଡାର ରଙ୍ଗ ପ୍ରାୟ କଳା ବା ଧୂସରିଆ କଳା, ତା’ ଉପରେ ଛାପି ଚାପିକିଆ ଧଳା ଦାଗ ଥାଏ । ଏହାର ଲମ୍ବ ୧୪୦ ସେମିରୁ ୨୦୦ ସେମି ପର୍ଯ୍ୟନ୍ତ ହୋଇପାରେ ଆଉ ଓଜନ ୯୦୦ କିଲୋ ପର୍ଯ୍ୟନ୍ତ ଯାଇପାରେ ।
“ଅସୀମ, ଏ ସମୁଦ୍ରକୂଳ କେତେ ଦୂରରୁ ଏହି କଚ୍ଛପମାନଙ୍କୁ ଆକର୍ଷଣ କରୁଛି । ସାମାନ୍ୟ କିଲୋମିଟର ବା ଦୁଇ କିଲୋମିଟରର ବାଲୁଆ ବିଚ । ଆଉ କଚ୍ଛପମାନେ ଆସୁଛନ୍ତି ହଜାର ହଜାର କିଲୋମିଟର ଦୂରରୁ ।”-ଶୋଭନା କହିଲେ । ତାଙ୍କ ଆଖି ସମୁଦ୍ରକୂଳରେ ଥିବା ମାଉଣ୍ଡମାନଙ୍କ ଆଡକୁ ବୁଲିଯାଉଥିଲା । ସେ ଭିତରେ କିଛି ମାଉନ୍ଡ ତଳେ କଚ୍ଛପର ଅଣ୍ଡା ଥିବ । “କାଳେ, କଚ୍ଛପ ଯେଉଁ ବିଚରୁ ଜନ୍ମ ନେଇଥାଏ, ସେହି ବିଚକୁ ଫେରିଆସେ ।”- ଶୋଭନା କହିଲେ । “ବୈଜ୍ଞାନିକମାନେ ତାହା ବିଶ୍ୱାସ କରନ୍ତି । ଅନେକ ପରୀକ୍ଷା ନିରୀକ୍ଷା ହୋଇଛି । କଚ୍ଛପମାନଙ୍କ ହୋମିଙ୍ଗ କରିବାର ଶକ୍ତି ବହୁ ଅଧିକ ।”-ଅସୀମ କହିଲେ ।
“କିନ୍ତୁ କରନ୍ତି କେମିତି?”- ଶୋଭନା ପଚାରିଲେ । ତାଙ୍କ ମନରେ ସମୁଦ୍ର ତଳର ଚିତ୍ର ଭାସୁଥିଲାା କେତେ ପାହାଡ ପର୍ବତ, ଖାଲ ଆଦି ଅଛି । କିଛି ପର୍ବତ ତ ପୃଥିବୀର ସ୍ଥଳ ଭାଗରେ ଦେଖାଯାଉଥିବା ପର୍ବତ ଠାରୁ ବଡ । ପୃଥିବୀର ପ୍ରାୟ ୭୧ ଭାଗ ଅଂଚଳ ଅଛି ସମୁଦ୍ରରେ । ତେଣୁ ଜଳଭାଗ ଠାରୁ ବହୁ ଗୁଣରେ ଅଧିକ ବୈଚିତ୍ର ଥିବ ପାଣି ଭିତରୋ ସେ ଭିତରେ ଏ କଚ୍ଛପମାନେ ସତରେ ରାସ୍ତା ପାଉଛନ୍ତି କେମିତି?”
“ପୃଥିବୀର ମ୍ୟାଗନେଟିକ ବା ଚୁମ୍ବକୀୟ କ୍ଷେତ୍ରକୁ କଚ୍ଛପ ମୁଣ୍ଡରେ ଯେମିତି କିଏ ପ୍ରିଣ୍ଟ କରିଦେଇଛି ବା ଛାପି ଦେଇଛି । ଏକ ମୋବାଲର ଇଲେକଟ୍ରୋନିକ ସର୍କିଟକୁ ମୋଇବାଇଲରେ ଲଗାଇଲା ପରେ ମୋବାଇଲ ଜିପିଏସ ଲୋକେସନ ଦେଖାଇଥାଏ । ସେମିତି କଚ୍ଛପ ମୁଣ୍ଡରେ ବୋଧେ ଜନ୍ମରୁ ଏକ ବାଇଓ ବା ଜୈବିକ ସର୍କିଟ ଛାପି ହୋଇଯାଇଛି । ତେଣୁ ତା’କୁ ନିଜ ଜନ୍ମର ବିଚ ପାଇବାକୁ ପରେ ଅସୁବିଧା ହୋଇନଥାଏ ।”-ଅସୀମ ବୁଝାଉଥିଲେ । “ଅସୀମ, ବୁଝିଲେ ଲାଗେ ପ୍ରକୃତିରେ କେତେ ବିସ୍ମୟ ଅଛି ।”-ଶୋଭନା କହିଲେ ।  ସେମାନେ ଏମିତି ଚାଲୁଥିଲେ । ସମୁଦ୍ରକୂଳରେ ପାଣି ଭାଙ୍ଗି ପଡୁଥିଲା । ନଦୀର ପାଣି ସମୁଦ୍ରରେ ମିଶୁଥିଲା । ଯାଗାଟା ଟିକେ ଓଦାଳିଆ । କୂଳରେ ଅନେକ ପକ୍ଷୀ ବୁଲନ୍ତି । ପତଳା, ଲମ୍ବା ଗୋଡଥିବା ପକ୍ଷୀମାନଙ୍କର ଗୋଡର ଛାଞ୍ଚ ଓଦା ବାଲିରେ ରହିଯାଏ । ପ୍ରତି ପ୍ରଜାତି ପକ୍ଷୀର ପାଦ ଚିହ୍ନ ଅଲଗା ।କୂଳିଆ ପକ୍ଷୀମାନଙ୍କ ଭିତରେ ଅଛନ୍ତିଧଳା ରଙ୍ଗର ବ୍ଲାକ ନେପଡ୍ ଟର୍ନ । ସେମାନଙ୍କର ଥାଏ ଛୋଟ ଛୋଟ କଳା ରଙ୍ଗର ଗୋଡ ଆଉ ଲମ୍ବା ମୁନିଆ ସିଧା ଥଣ୍ଟ । ଏମାନେ ଛୋଟ ମାଛ ଖାଇଥାନ୍ତି ଏମାନେ ଛୋଟ ଚଡା, ପଥୁରିଆ ଜାଗା ଇତ୍ୟାଦିରେମିଳନ୍ତି । ଲମ୍ବା ଗୋଡଥିବା ପ୍ଲୋଭର ଜାତୀୟ ପକ୍ଷୀମାନେ ବାଲିଆ କୂଳ ବା ମଡଫ୍ଲାଟ ବା କୋରାଲ ରିଫର କିଛି ଖୋଲା ଅଂଶରେ ବୁଲୁଥାନ୍ତି । ସ୍ୟାଣ୍ଡ ପାଇପର ବାର୍ଡମାନେ ମଧ୍ୟ କୂଳରେ ବୁଲନ୍ତି । ଏମାନଙ୍କର ପାଦର ଲମ୍ବ ଛୋଟ ଆଉ ଥଣ୍ଟ ମଧ୍ୟ ପ୍ଲୋଭର ତୁଳନାରେ ଛୋଟ । ଗଡୱିଟ ବାର୍ଡମାନେ ମଧ୍ୟ ସମୁଦ୍ରକୂଳିଆ ପକ୍ଷୀ । ଷ୍ଟିଲ୍ଟ ପକ୍ଷୀମାନଙ୍କର ଗୋଡ ଲମ୍ବା, ବେଶି ପାଣି ଭିତରେ ଖାଦ୍ୟ ଖୋଜନ୍ତି । ଆଗରେ କୂଳ ବାଲିଆ ଥିଲା ଆଉ ଢେଉ ମଧ୍ୟ ଛୋଟ ଥିଲା । କିଛି ଲମ୍ବା ଗୋଡଥିବା ସ୍ୟାଣ୍ଡ ପ୍ଲୋଭର ଚଢେଇ କୁଳରେ ଭାସିଗଲା ପରି ଚାଲୁଥିଲେ । ସେମାନଙ୍କ ଜୋରରେ ଅଳ୍ପ ଦୂର ଚାଲିବା ଦେଖିଲେ ଲାଗୁଥିଲା ସତେ ଯେମିତି ପବନରେ ଭାସିଯାଉଛନ୍ତି । ମଝିରେ ମଝିରେ ସେମାନଙ୍କ ଥଣ୍ଟ ଓଦା ବାଲି ଛୁଇଁ ଦେଉଥିଲା । ପାଣି ମାଡ଼ିଆସିଲେ ସେମାନେ ପଛେଇ ଯାଉଥିଲେ ।(କ୍ରମଶଃ)
                                                          ଭୁବନେଶ୍ୱର