ସବୁଠୁ ଉଚ୍ଚରେ ସମ୍ବିଧାନ, ଆମେ ନୁହଁ: ସିଜେଆଇ
ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମଥର ପାଇଁ ସାର୍ବଜନୀନ ଭାଷଣ ଦେଇଛନ୍ତି ଜଷ୍ଟିସ୍ ବିଆର୍ ଗଭାଇ । ଭାରତରେ ନ୍ୟାୟପାଳିକା, କାର୍ଯ୍ୟପାଳିକା କିମ୍ବା ସଂସଦର ଶ୍ରେଷ୍ଠତା ନାହିଁ; ବରଂ ସମ୍ବିଧାନର ଶ୍ରେଷ୍ଠତା ରହିଛି ବୋଲି ଦୃଢ଼ତାର ସହ କହିଛନ୍ତି । ମହାରାଷ୍ଟ୍ର ଏବଂ ଗୋଆ ବାର୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏକ ସମ୍ମାନ ସମାରୋହରେ ଯୋଗ ଦେଇ ପ୍ରଧାନ ବିଚାରପତି ଜଷ୍ଟିସ୍ ଗଭାଇ କହିଛନ୍ତି ନ୍ୟାୟପାଳିକା, କାର୍ଯ୍ୟପାଳିକା କିମ୍ବା ସଂସଦ ସର୍ବୋଚ୍ଚ ନୁହେଁ, ବରଂ ଭାରତର ସମ୍ବିଧାନ ସବୁଠାରୁ ଉଚ୍ଚରେ । ଏହି ତିନୋଟି ଶାଖାକୁ ସମ୍ବିଧାନ ଅନୁସାରେ କାମ କରିବାକୁ ପଡ଼ିବ । ଏମିତିକି ଆମେ ବିଚାରପତିମାନେ ମଧ୍ୟ ସମ୍ବିଧାନ ଦ୍ୱାରା ପରିଚାଳିତ । ଏହାସହ ସମ୍ବିଧାନର ସମସ୍ତ ଶାଖା, ଅଙ୍ଗପ୍ରତ୍ୟେଙ୍ଗ ପରସ୍ପରକୁ ସମ୍ମାନ ଦେବା ଉଚିତ । ଭାରତ ବର୍ଷ ବର୍ଷ ଧରି କେବଳ ମଜଭୁତ ହୋଇନାହିଁ, ସାମାଜିକ ଏବଂ ଆର୍ଥିକ କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରଗତୀ ହାସଲ କରିଛି । ସୂଚନାଯୋଗ୍ୟ ଜଷ୍ଟିସ୍ ଗଭାଇ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମଥର ପାଇଁ ମୁମ୍ବାଇ ଗସ୍ତ କରିଥିବା ବେଳେ ସେଠାରେ ତାଙ୍କ ପାଇଁ ଜାରି ହୋଇଥିବା ପ୍ରୋଟକୋଲ୍କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ରାଜ୍ୟରେ ପହଞ୍ଚôବା ପରେ ତାଙ୍କୁ ସ୍ୱାଗତ କରିବା ପାଇଁ ସେଠାରେ କୌଣସି ଶୀର୍ଷସ୍ତରୀୟ ଅଧିକାରୀ ଯଥା ମୁଖ୍ୟ ଶାସନ ସଚିବ କିମ୍ବା ଡିଜିପି କିମ୍ବା କମିଶନର କୌଣସି ବି ଉଚ୍ଚ ଅଧିକାରୀ ଉପସ୍ଥିତ ନ ଥିଲେ । ଏହାକୁ ନେଇ ଗଭାଇ ଟିପ୍ପଣୀ ଦେଇଥିଲେ ଯେ, ଯଦି ଆପଣମାନେ ଜାଣିପାରୁନାହାନ୍ତି ଯେ, ଆପଣଙ୍କ ରାଜ୍ୟକୁ କେଉଁସ୍ତରର ବ୍ୟକ୍ତି ଆସିଛନ୍ତି, ତେବେ ଏଭଳି ପ୍ରୋଟକଲର କୌଣସି ମାନେ ନାହିଁ କହି କ୍ଷୋଭ ପ୍ରକାଶ କରିଥିଲେ । ଖାସ୍ କରି ଏହି ତ୍ରୁଟି ନେଇ ଗଭାଇ କ୍ଷୋଭ ପ୍ରକାଶ କରିବା ସହ ଗଣତନ୍ତ୍ରର ତିନୋଟି ସ୍ତମ୍ଭ ମଧ୍ୟରେ ପାରସ୍ପରିକ ସମ୍ମାନର ଆବଶ୍ୟକତା ଦୋହରାଇଥିଲେ ।