ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ

ନୀଳଗିର: ୭୬ତମ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ନୀଳଗିରିର ସର୍ବପୁରାତନ ଅଗ୍ରଣୀ ଶିକ୍ଷାନୁଷ୍ଠାନ କୈଳାଶ ଚନ୍ଦ୍ର ମାଧ୍ୟମିକ ବିଦ୍ୟାଳୟରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୀମସେନ ବିଶ୍ୱାଳ ଯୋଗ ଦେଇ ରାଷ୍ଟ୍ରୀୟ ସୁରକ୍ଷା କ୍ଷେତ୍ରରେ କ୍ୟାଡେଟ ମାନଙ୍କର ଉପଯୋଗିତା ଓ ବିପର୍ଯ୍ୟୟ ସମୟରେ ସେମାନଙ୍କର ଭୂମିକା ଉପରେ ଆଲୋଚନା କରିଥିଲେ । ଏଏନ୍ ଓ ରଂଜନ କୁମାର ମହୁରିଆ ଏନ୍ସିସିର ବାର୍ଷିକ ବିବରଣୀ ପଠନ କରିଥିଲେ । ୧୦୦ଜଣ କ୍ୟାଡେଟମାନଙ୍କୁ ନେଇ ପ୍ୟାରେଡ ପରିଚାଳନା ହୋଇଥିବାବେଳେ ମୁଖ୍ୟ ଅତିଥି ଅଭିବାଦନ ଗ୍ରହଣ କରିଥିଲେ । ବିଦ୍ୟାଳୟର ବରିଷ୍ଟ ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ମହାନ୍ତି, ରେଣୁବାଳା ନାୟକ, ସୁଚିସ୍ମିତା ଦାସ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କ୍ୟାଡେଟମାନେ କିପରି ଶୃଙ୍ଖଳାଗତ ତଥା ଏକତା ଭାବରେ ପ୍ରତି କାର୍ଯ୍ୟକୁ ସମ୍ପାଦନ କରିବେ ସେ ବିଷୟରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ଶିକ୍ଷକ ରଘୁନାଥ ମଲ୍ଲିକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଲକ୍ଷ୍ମୀଧର ରାଉଳ କ୍ୟାଡେଟମାନଙ୍କର କର୍ତ୍ତବ୍ୟ ବିଷୟରେ ପରାମର୍ଶ ଦେଇଥିଲେ । ଶେଷରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।