ହେଉନି ସଫେଇ, ଡ୍ରେନ୍ରେ ଜମୁଛି ଆବର୍ଜନା
ନୀଳଗିରି : ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡମାନଙ୍କରେ ସଫେଇ କାର୍ଯ୍ୟ ସଠିକ୍ ସମୟରେ ହେଉନାହିଁ । ଫଳରେ କୁଢ଼ କୁଢ଼ ଅଳିଆ ରାସ୍ତାରେ ପଡି ରହିଥିବାବେଳେ ଡ୍ରେନ୍ରେ ଅଳିଆ ଜମି ରହି ଡ୍ରେନ୍ ପାଣି ନିଷ୍କାସନରେ ସମସ୍ୟା ଉପୁଜିଥିବା ଅଭିଯୋଗ ଉଠିଛି । ସଫେଇ ଓ ପରିମଳ ବ୍ୟବସ୍ଥାରେ ଜୈନିକ ଠିକାସଂସ୍ଥା ପ୍ରତି ମାସରେ ୯ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ବିଲ ଉଠାଉଥିବା ବେଳେ ସଫେଇ କାର୍ଯ୍ୟରେ ନିଯୁକ୍ତ କର୍ମଚାରୀ ଦୈନନ୍ଦିନ ସଠିକ୍ ଭାବେ କାର୍ଯ୍ୟ କରୁନାହାନ୍ତି । ଯାହାଫଳରେ ୱାର୍ଡମାନଙ୍କରେ କୁଢ଼ କୁଢ଼ ଅଳିଆ ମାସ ମାସ ପଡିରହୁଥିବାରୁ ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡୁଛି । ଏଭଳି ଅପରିଷ୍କାର ହେତୁ ଡେଙ୍ଗୁ, ମ୍ୟାଲେରିଆ ଭଳି ଭୟନକ ରୋଗ ବ୍ୟାପିବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇ ନପାରେ । ଏନ୍ଏସି ପକ୍ଷରୁ ସଫେଇ ଓ ପରିମଳ ପରିଚାଳନାରେ ଅଂଶୁମାନ ମହାନ୍ତି ଦାୟିତ୍ୱରେ ଥିବାବେଳେ ସମସ୍ତ ୱାର୍ଡରେ ସଠିକ୍ ଭାବେ ସଫେଇ ହେଉଛି କି ନାହିଁ ତଦାରଖ କରୁନାହାନ୍ତି । ତେବେ ୯ ନମ୍ବର ଓ ୩ ନମ୍ବର ୱାର୍ଡ ଡ୍ରେନ ଏବଂ ରାସ୍ତାରେ ଏକ ସପ୍ତାହ ଧରି ଅଳିଆ ପଡିରହିଥିବା ବେଳେ ସ୍ଥାନୀୟ ବାସିନ୍ଦା ସଫେଇ କରିଥିବା ଅଫିସରେ ଆସି ଅଭିଯୋଗ କରିଥିଲେ । କେବଳ ପର୍ବ ପର୍ବାଣୀକୁ ଛାଡିଦେଲେ କାଁ ଭାଁ ବ୍ଲିଚିଂ ପାଉଡର ସବୁ ୱାର୍ଡରେ ପକାଯାଇ ଅନ୍ୟ ଦିନ ମାନଙ୍କରେ ଜମାରୁ ବ୍ଲିଚିଂ ବ୍ୟବହାର କରାଯାଉ ନଥିବା ଅଭିଯୋଗ ହୋଇଛି । ସଫେଇ ଓ ପରିମଳ କାର୍ଯ୍ୟରେ ଠିକା ସଂସ୍ଥା ସହିତ ଅଫିସରଙ୍କ ସଲାସୁତୁରାରେ ରାଧେ ରାଧେ ନୀତି ଚାଲିଛି ବୋଲି ଅଭିଯୋଗ ଉଠିଛି । ତେବେ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଫେଇ ଓ ପରିମଳ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ଅଂଶୁମାନ ମହାନ୍ତି କହିଛନ୍ତି । ଏନ୍ଏସି ନିର୍ବାହୀ ଅଧିକରୀ ଅଂଶୁମାନ ପରିଡ଼ାଙ୍କୁ ପଚାରିବାରୁ ଅସୁବିଧା ଯଦି ହେଉଥାଏ, ତେବେ ସଫେଇ ଏଜେନ୍ସିକୁ ନୋଟିସ୍ କରାଯିବ ବୋଲି କହିଛନ୍ତି । ଏବଂ ଆସନ୍ତା ସେପ୍ଟେମ୍ବର ପହିଲାରୁ ବାୟୋ ମେଟ୍ରିକ ଅଫିସରେ ଲାଗିବା ପରେ ସମସ୍ତ ସଫେଇ କର୍ମଚାରୀ ଆଉ ଠକେଇ ନ ପାରି ଅଫିସରୁ ଫିଙ୍ଗର ପ୍ରିଣ୍ଟ ଦେଇ ସଫେଇ କାର୍ଯ୍ୟକୁ ଯିବେ ବୋଲି ସୂଚନା ଦେଇଛନ୍ତି ।