ବିପର୍ଯ୍ୟୟ ପରିଚାଳନା ସମୀକ୍ଷା କଲେ ମନ୍ତ୍ରୀ

 ବାଲେଶ୍ୱର : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ଜିଲ୍ଲାର ବିଭିନ୍ନ ରାଜସ୍ୱ, ଜମି ଅଧିଗ୍ରହଣ ଏବଂ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକର ସମୀକ୍ଷା କରିଛନ୍ତି । ଉକ୍ତ ବୈଠକରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଶାସକ ଦଳର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ, ନୀଳଗିରି  ବିଧାୟକ ସନ୍ତୋଷ ଖଟୁଆ, ବସ୍ତା ବିଧାୟିକା ସୁବାସିନୀ ଜେନା, ଭୋଗରାଇ  ବିଧାୟକ ଗୌତମ ବୁଦ୍ଧ ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)  ହେମନ୍ତ ସିଂ, ଉପଜିଲ୍ଲାପାଳ ବାଲେଶ୍ୱର ଡ଼. ମଧୁସ୍ମିତା ସାମନ୍ତରାୟ, ଉପଜିଲ୍ଲାପାଳ ଶୁଭଶ୍ରୀ ରଥ, ଡେପୁଟି କଲେକ୍ଟର (ରାଜସ୍ୱ) ସୀତାଂଶୁ ଶେଖର ଦାସ, ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ତହସିଲଦାର, ଡିଏସଆର ଓ ଅତିରିକ୍ତ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାରେ ଚାଲିଥିବା ରାଜସ୍ୱ ସମ୍ବନ୍ଧୀୟ କାର୍ଯ୍ୟକ୍ରମ, ଜମି ଅଧିଗ୍ରହଣ ପ୍ରକ୍ରିୟାରେ ସମ୍ମୁଖୀନ ହେଉଥିବା ଅସୁବିଧା ଏବଂ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାର ପ୍ରସ୍ତୁତି ଓ କାର୍ଯ୍ୟକାରିତାକୁ ମୂଲ୍ୟାଙ୍କନ କରିବା ଦିଗରେ ବୈଠକ ପ୍ରାରମ୍ଭରେ ଆଲୋଚନା ହୋଇଥିଲା । ତହସିଲଦାର ଏବଂ ରାଜସ୍ୱ କର୍ମଚାରୀ ସାଧାରଣ ଲୋକଙ୍କୁ ଗୁରୁତ୍ୱ ଦେବା ସହ ଲୋକାଭିମୁଖୀ ଯୋଜନା ଗୁଡିକ ପ୍ରଣୟନ ନିମନ୍ତେ ଦାୟିତ୍ୱବାନ ହେବାକୁ ସେ କହିଥିଲେ । ଆଗମୀ ଦିନରେ ରାଜସ୍ୱ ବିଭାଗ ମୋବାଇଲ ଦ୍ୱାରା ଲୋକଙ୍କ ପାଖରେ ପହଂଚିବାକୁ ଉଦ୍ୟମ କରୁଛି ବୋଲି ମାନ୍ୟବର ମନ୍ତ୍ରୀ ସୂଚନା ଦେଇଥିଲେ । ସମସ୍ତ ରାଜସ୍ୱ ଜମିର ରକ୍ଷା କରିବା ପାଇଁ ଅଧିକାରୀମାନେ ଚେଷ୍ଟିତ ହେବା ଆବଶ୍ୟକ ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ । ଏହା ସହିତ ମାନ୍ୟବର ମନ୍ତ୍ରୀ ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନା ପାଇଁ ଗଠିତ ଭିତ୍ତିଭୂମି ଏବଂ ଜରୁରୀକାଳୀନ ପରିସ୍ଥିତିରେ ପ୍ରଶାସନର ପ୍ରସ୍ତୁତିକୁ ନିରୀକ୍ଷଣ କରିଥିଲେ । ଜମି ଅଧିଗ୍ରହଣ ସମ୍ବନ୍ଧୀୟ ଅଭିଯୋଗ ଓ ବିବାଦଗୁଡ଼ିକର ସମାଧାନ ପାଇଁ ଆବଶ୍ୟକ ନିଦେ୍ର୍ଦଶ ମଧ୍ୟ ଦେଇଥିଲେ ।