ପହିଲାରୁ ବଢ଼ିବ ରେଳ ଭଡ଼ା
ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୧ ତାରିଖରୁ ବଢ଼ିବ ରେଳ ଭଡ଼ା । ଦୀର୍ଘବର୍ଷ ପରେ ଯାତ୍ରୀଭଡ଼ା ବଢ଼ାଇବା ନିଷ୍ପତ୍ତି ନେଇ ଯାତ୍ରୀଙ୍କୁ ଏକ ବଡ଼ ଝଟକା ଦେଇଛି ଭାରତୀୟ ରେଳ ବିଭାଗ । ବର୍ଦ୍ଧିତ ଖର୍ଚ୍ଚ ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନେଇଛି । ଜୁଲାଇ ୧ରୁ ରେଳବାଇର ବର୍ଦ୍ଧିତ ଟ୍ରେନ ଭଡା କାର୍ଯ୍ୟକାରୀ ହେବ । ଏହି ନିଷ୍ପତ୍ତି ଅନୁଯାୟୀ ନନ୍-ଏସି ମେଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନ୍ର ଭଡ଼ା କିଲୋମିଟର ପିଛା ୧ ପଇସା ବୃଦ୍ଧି ପାଇବ । ସେହିପରି ଏସି ଶ୍ରେଣୀରେ ଯାତ୍ରା କରୁଥିବା ଲୋକଙ୍କୁ (ଯେପରିକି ଏସି ୨-ଟାୟାର, ଏସି ୩-ଟାୟାର) କିଲୋମିଟର ପିଛା ୨ ପଇସା ଅଧିକ ଦେବାକୁ ପଡ଼ିବ । ତେବେ ସେକେଣ୍ଡକ୍ଲାସରେ ୫୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ପାଇଁ କୌଣସି ପ୍ରକାର ଭଡା ବୃଦ୍ଧି କରାଯାଇ ନାହିଁ । କିନ୍ତୁ ଏହାଠାରୁ ଅଧିକ ଦୂରତା ପାଇଁ, ପ୍ରତି କିଲୋମିଟର ପିଛା ଯାତ୍ରୀଙ୍କୁ ଅଧ ପଇସା ଅତିରିକ୍ତ ଦେବାକୁ ପଡିବ । ସହରାଞ୍ଚଳ ଟ୍ରେନ୍ ଏବଂ ମାସିକ ସିଜିନ୍ ଟିକେଟ୍ ଭଡ଼ାରେ କୌଣସି ପରିବର୍ତ୍ତନ ହୋଇନାହିଁ, ଯାହା ଦୈନିକ ଯାତ୍ରୀଙ୍କୁ ଆଶ୍ୱସ୍ତି ଦେଇଛି । ସୂଚନାଯୋଗ୍ୟ ତକ୍ରାଳ ଟିକେଟ୍ ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ କରାଯାଇଥିବା ବେଳେ ଏହା ମଧ୍ୟ ଆସନ୍ତା ୧ ତାରିଖରୁ କାର୍ଯ୍ୟକାରୀ ହେବ । ଗତ ଜୁନ୍ ୧୦ ତାରିଖରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା କରାଯାଇଥିଲା ।