ସରକାରଙ୍କ ବର୍ଷ ପୂର୍ତ୍ତି ପ୍ରସ୍ତୁତି : ଜୁନ୍ ୧୧ରୁ ୧୩ ଯାଏଁ ରାଜ୍ୟସ୍ତରୀୟ ଉତ୍ସବ


 ଭୁବନେଶ୍ୱର: ଆଗାମୀ ଜୁନ ମାସରେ ନୂଆ ସରକାର ଗଠନ ହେବାର ଏକ ବର୍ଷ ପୂର୍ତ୍ତି ପାଳନ କରାଯିବ  । ଏହି ପରିପ୍ରେକ୍ଷୀରେ ବର୍ଷକ ମଧ୍ୟରେ ରାଜ୍ୟ ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମର ସଫଳତା ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବ  । ଏଥିପାଇଁ ଆଗାମୀ ଜୁନ୍ ୧୧ରୁ ୧୩ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟ, ଜିଲ୍ଲା ଓ ବ୍ଲକସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ  । ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି  । 
ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ବିଭାଗ ଏସିଏସ ସତ୍ୟବ୍ରତ ସାହୁ, ସାଧାରଣ ପ୍ରଶାସନ ବିଭାଗ ଏସିଏସ ସୁରେନ୍ଦ୍ର କୁମାରଙ୍କ ସହିତ ଅନ୍ୟ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ  । ଗୃହ ବିଭାଗ ତରଫରୁ ଆହୂତ ଏହି ବୈଠକର ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ  । ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ  ।
ରାଜ୍ୟସ୍ତରୀୟ ସାଧାରଣ ସଭା ଏବଂ ବିକାଶ ମେଳା ପ୍ରଦର୍ଶନୀ ଜୁନ୍ ୧୧ରୁ ୧୩ ପର୍ଯ୍ୟନ୍ତ  ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ଜିଲ୍ଲାସ୍ତରରେ ତିନି ଦିନିଆ ସଭା ଓ କାର୍ଯ୍ୟକ୍ରମ ଏବଂ  ଜିଲ୍ଲା ପ୍ରଶାସନ ଏବଂ ଓରମାସ ସହଯୋଗରେ ୫ ଦିନ ଧରି  ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଭୁବନେଶ୍ୱର ଜନତା ମଇଦାନ ଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ  ।  ସରକାରଙ୍କ ୧ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ବିଭାଗର ଉଲ୍ଲେଖନୀୟ କାର୍ଯ୍ୟ ସଫଳତାକୁ ସ୍ଥାନୀତ କରି ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଏକ ପୁସ୍ତିକା ପ୍ରକାଶ ପାଇବ  । ଏହାବ୍ୟତୀତ ବିଭିନ୍ନ ବିଭାଗମାନେ ମଧ୍ୟ ନିଜ ନିଜ ସ୍ତରରେ ବିଭାଗୀୟ ସଫଳତାକୁ ନେଇ ପୁସ୍ତିକା ପ୍ରକାଶନ କରିବାକୁ ପରାମର୍ଶ ଦିଆଯାଇଛି  । ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କିତ ସଫଳ କାହାଣୀକୁ ନେଇ ବିଭାଗମାନଙ୍କୁ  ସମ୍ବାଦ ପତ୍ର ଓ ଗଣମାଧ୍ୟମରେ ପ୍ରକାଶନ, ପ୍ରଚାର ପ୍ରସାର ସଙ୍ଗେସଙ୍ଗେ ପ୍ରାମାଣିକ ଭିଡିଓ ଚିତ୍ର ପ୍ରସ୍ତୁତି ପାଇଁ ପରାମର୍ଶ ଦିଆଯାଇଛି  । ଏହି ଅବସରରେ ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମକୁ ନେଇ ‘ପ୍ରଗତି ପ୍ରବାହ’ ପୁସ୍ତିକାର ପ୍ରଥମ ସଂସ୍କରଣ ପ୍ରକାଶ ପାଇବ  । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପରିପ୍ରେକ୍ଷୀରେ ବିଭିନ୍ନ  ଓ କଲେଜରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କି କି ସ୍ୱପ୍ନ ରହିଛି, ସେ ସଂପର୍କରେ ସେମାନଙ୍କ ମଧ୍ୟରେ  ପ୍ରତିଯୋଗିତା କରାଯାଇ ପୁରସ୍କୃତ କରିବାକୁ  ମୁଖ୍ୟ ଶାସନ ସଚିବ  ପରାମର୍ଶ ଦେଇଥିଲେ  । ଏହି ସବୁ କାର୍ଯ୍ୟକ୍ରମ ପାଇଁ ଗୃହ ବିଭାଗର ଏସିଏସଙ୍କ ଅଧ୍ୟକ୍ଷତାରେ ଏକ କମିଟି କରାଯାଇ କାର୍ଯ୍ୟ ତଦାରଖ ଓ ସମନ୍ୱୟ କରିବାକୁ ପରାମର୍ଶ ଦିଆଯାଇଛି  ।