ସର୍ବଭାରତୀୟ ପୁଲିସ୍ ହକି ଚାମ୍ପିଅନସିପ୍ ଉଦ୍ୟାପିତ : ପୁରୁଷରେ ପଞ୍ଜାବ ଓ ମହିଳାରେ ସିଆର୍ପିଏଫ୍ ଚାମ୍ପିଅନ୍
ଭୁବନେଶ୍ୱର : ଆଜି କଳିଙ୍ଗ ଷ୍ଟାଡିୟମରେ ୭୩ତମ ସର୍ବଭାରତୀୟ ପୁଲିସ ହକି ଚାମ୍ପିଅନସିପ୍ ଉଦ୍ୟାପିତ ହୋଇଯାଇଛି । ଏହି ଉଦ୍ୟାପନୀ ସମାରୋହରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଯୋଗ ଦେଇ ଚାମ୍ପିଅନ ହୋଇଥିବା ପଞ୍ଜାବ (ପୁରୁଷ) ଓ ସିଆରପିଏଫ (ମହିଳା) ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏହା ସହ ରନର୍ସ ଅପ୍ ହୋଇଥିବା ସିଆର୍ପିଏଫ୍ (ପୁରୁଷ) ଓ ଏସ୍ଏସ୍ବି(ମହିଳା) ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଆଇଟିବିପି (ପୁରୁଷ) ଓ ଓଡ଼ିଶା ପୁଲିସ (ମହିଳା) ଦଳକୁ ମଧ୍ୟ ରାଜ୍ୟପାଳ ଟ୍ରଫି ପ୍ରଦାନ କରିଥିଲେ ।
ଆଜି ସନ୍ଧ୍ୟାରେ ପୁରୁଷ ବର୍ଗରେ ପଞ୍ଜାବ ଓ ସିଆରପିଏଫ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ପଞ୍ଜାବ, ସିଆରପିଏଫ୍ ପୁଲିସ ଦଳକୁ ୨-୧ ଗୋଲରେ ପରାସ୍ତ କରିଥିଲା । ସେହିପରି ମହିଳା ବର୍ଗରେ ଏସ୍ଏସ୍ବି ଓ ସିଆରପିଏଫ୍ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ସିଆର୍ପିଏଫ୍, ଏସ୍ଏସ୍ବି ପୁଲିସ ଦଳକୁ ୧-୦ ଗୋଲରେ ପରାସ୍ତ କରିଥିଲା ।
ଏହା ବ୍ୟତୀତ ମହିଳା ବର୍ଗରେ ଓଡ଼ିଶା ପୁଲିସ ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛି । ଆଜି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଓଡ଼ିଶା ପୁଲିସ ଦଳ ଆଇଟିବିପିକୁ ପରାସ୍ତ କରିଛି । ସେହିପରି ପୁରୁଷ ବର୍ଗରେ ଆଇଟିବିପି ତୃତୀୟ ସ୍ଥାନ ହାସଲ କରିଛି । ଆଜି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଆଇଟିବିପି ଦଳ ବିଏସ୍ଏଫ୍କୁ ପରାସ୍ତ କରିଛି । ଉଲ୍ଲେଖଯୋଗ୍ୟ ଯେ, ଏହି ପୁଲିସ ହକି ଚାମ୍ପିଅନସିପରେ ବିଭିନ୍ନ ରାଜ୍ୟ ପୁଲିସ ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଏବଂ କେନ୍ଦ୍ରୀୟ ପୁଲିସ ସଙ୍ଗଠନର ୨୬ଟି ପୁରୁଷ ଦଳ ଏବଂ ୯ଟି ମହିଳା ଦଳ ଏହି ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିଥିଲେ ।
ଏହି ଅବସରରେ ରାଜ୍ୟପାଳ ହରି ବାବୁ କମ୍ଭମପାଟି ବିଜେତା ଦଳକୁ ଅଭିନନ୍ଦନ ଜଣାଇବା ସହ ରନର୍ସ-ଅପ୍ ଏବଂ ଅନ୍ୟ ସମସ୍ତ ଅଂଶଗ୍ରହଣକାରୀ ଦଳର ସଦସ୍ୟମାନଙ୍କ ସମର୍ପଣ ଏବଂ ମନୋବଳକୁ ଉଚ୍ଚ ପ୍ରଶଂସା କରିଥିଲେ ।
ରାଜ୍ୟ ଆରକ୍ଷୀ ମହାନିଦେ୍ର୍ଦଶକ ଯୋଗେଶ ବାହାଦୁର ଖୁରାନିଆ ଏହି ଚାମ୍ପିଅନସିପ ପୁଲିସ୍ ଫୋର୍ସଙ୍କ ମଧ୍ୟରେ ଏକତା, ଭାଇଚାରା ଓ ମିତ୍ରତା ବଢାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି ବୋଲି କହିଥିଲେ ।
ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ମୁଖ୍ୟାଳୟ) ତଥା ଆୟୋଜନ କମିଟିର ଉପସଭାପତି ଦୟାଲ ଗଙ୍ଗୱାର, ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ସଶସ୍ତ୍ର) ତଥା ଆୟୋଜନ କମିଟିର ଉପସଭାପତି ରାଜେଶ କୁମାର, ଯୁଗ୍ମ ନିଦେ୍ର୍ଦଶକ, ଆଇବି ରାଜେଶ ସୁବର୍ଣ୍ଣ, ଆଇଜି (ତାଲିମ) ତଥା ଆୟୋଜନ କମିଟିର ସମ୍ପାଦକ ଅନୁପ କୁମାର ସାହୁ ଓ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ ।