ସହକାରୀ ଯନ୍ତ୍ରୀଙ୍କ ବଦଳି ଦାବି : ପୌରପାଳିକାରେ ତାଲା ପକାଇଲେ କାଉନସିଲର
ନବରଙ୍ଗପୁର : ସହକାରୀ ଯନ୍ତ୍ରୀଙ୍କ ବଦଳି ଦାବିରେ ପୌରପାଳିକାରେ ତାଲା ପକାଇଲେ କାଉନସିଲର । ନବରଙ୍ଗପୁର ପୌରପାଳିକା ସହକାରୀ ଯନ୍ତ୍ରୀ ବିଶ୍ୱପ୍ରିୟ ଦାସଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅନିୟମିତତା ଓ କାଉନସିଲରମାନଙ୍କୁ ଅପଶବ୍ଦ ବ୍ୟବହାରକୁ ନେଇ ଜେଇଙ୍କ ବଦଳି ଦାବି ନେଇ ତାଲା ପକାଇଛନ୍ତି କାଉନସିଲର । ସୂଚନା ଅନୁସାରେ, ସହକାରୀ ଯନ୍ତ୍ରୀ ବିଶ୍ୱପ୍ରିୟ ଦାସ ବିଭିନ୍ନ ସମୟରେ ଠିକା କାମ ବାବଦକୁ ପିସି ଦାବି କରିବା, ଠିକାଦାରଙ୍କୁ ହଇରାଣ କରିବା, ପ୍ରତିବାଦ କଲେ ବ୍ୟକ୍ତିଗତ ଆକ୍ଷେପ କରିବା ଭଳି ଅଭିଯୋଗ ସହକାରୀ ଯନ୍ତ୍ରୀ ବିଶ୍ୱପ୍ରିୟ ଦାସଙ୍କ ବିରୋଧରେ ଗତ ଦୁଇ ବର୍ଷ ଧରି ହୋଇଆସୁଛି । ଏପରି କି ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ଜଣେ ଠିକାଦାର ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ମଧ୍ୟ ଦାଖଲ କରିଥିଲେ । ଏଥିସହ କାଉନସିଲରମାନଙ୍କ ବିରୋଧରେ ଅଯଥା ଅପଶବ୍ଦ ବ୍ୟବହାର ଭଳି ଅଭିଯୋଗ ନେଇ ବିଗତ ମାର୍ଚ୍ଚ ମାସ ୧୧ ତାରିଖରେ ପୌରାଧକ୍ଷ କୁନୁ ନାୟକ, କାଉନସିଲର ଏ. ସତୀଶ, ଅମିତ ପ୍ରଧାନ, ଶର୍ମିଷ୍ଠା ଦେଓ, ମମତା ମହାରଣା, ରଞ୍ଜିତା ପଣ୍ଡା, ସନ୍ତୋଷୀ ଜାନି, ଉଷା ରାଣୀ, ରାଜେଶ୍ୱରୀ, ପି. କେଶବ ରାଜୁ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସହ ଲିଖିତ ଅଭିଯୋଗ ଦେଇ ବଦଳି ଦାବି କରିଥିଲେ । ଏନେଇ ଜିଲ୍ଲାପାଳ ସହକାରୀ ଯନ୍ତ୍ରୀ ବିଶ୍ୱପ୍ରିୟ ଦାସଙ୍କ ବିରୋଧରେ ଖୁବ୍ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । କିନ୍ତୁ ଦୀର୍ଘ ଏକ ମାସ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ଦାବିରେ ନବରଙ୍ଗପୁର ପୌରପାଳିକାର ସମସ୍ତ କାଉନସିଲର କାର୍ଯ୍ୟାଳୟକୁ ତାଲା ପକାଇବା ସହ ଆସନ୍ତା ୭ ଦିନ ମଧ୍ୟରେ ବଦଳି ନକଲେ ଅନର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଧାରଣା ସ୍ଥଳରେ ଅଧକ୍ଷ ଓ ପୌରନିର୍ବାହୀ ଅଧିକାରୀ ପହଞ୍ଚି ଜିଲ୍ଲାପାଳଙ୍କ ସହ ଆଲୋଚନା କରି ୭ ଦିନ ମଧ୍ୟରେ ଜେଇଙ୍କୁ ବଦଳି କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ କାଉନସିଲରମାନେ ଧାରଣାରୁ ଉଠି ପୌର କାର୍ଯ୍ୟାଳୟର ମୁଖ୍ୟ ଫାଟକର ଚାବି ଖୋଲିଥିଲେ । ଏହି ଧାରଣାରେ ଉପାଧକ୍ଷା ସୌମ୍ୟା ମହାପାତ୍ର, କାଉନସିଲର ଏ. ସତୀଶ, ଆଇ. ମୁରୁଲି କ୍ରିଷ୍ଣା, ଶର୍ମିଷ୍ଠା ଦେଓ, ରଞ୍ଜିତା ପଣ୍ଡା, ଅମିତ ପ୍ରଧାନ, ପୁରୁଷୋତ୍ତମ ହରିଜନ, ପି. କେଶବ ରାଜୁ ପ୍ରମୁଖ ଉପସ୍ଥିତ ରହିଥିଲେ ।