ସହରକୁ ବିକାଶର ଇଞ୍ଜିନ୍ କରିବାକୁ ପଡିବ : ପୃଥ୍ୱୀରାଜ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଆନୁକୂଲ୍ୟରେ ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟର ଠାରେ ଆୟୋଜିତ ଦୁଇ ଦିନିଆ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀରେ ବହୁ ଗୁରୁତ୍ୱପୂର୍ଣ୍ଣ ନିର୍ଯ୍ୟାସ ମିଳିଛି, ଯାହା ରାଜ୍ୟର ଅବଲମ୍ବନରେ ସାମଗ୍ରିକ ବିକାଶ ସହାୟକ ହେବ । ସମ୍ମିଳନୀର ଦ୍ୱିତୀୟ ଦିନର ପ୍ରଥମ ଅଧିବେଶନ ଆଇନ୍, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ଶ୍ରୀ ହରିଚନ୍ଦନ କହିଲେ ଯେ, ଜାତୀୟ ହାରକୁ ଦୃଷ୍ଟିରେ ରଖି ଆମର ସହରୀକରଣକୁ ଆଗକୁ ନେବାର ଅଛି । ସହରର ଉନ୍ନତି ରାଜ୍ୟ ତଥା ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଥାଏ । ତେଣୁ ସହରାଂଚଳ ବିକାଶ ସହିତ ଜଡ଼ିତ ପ୍ରତିଟି କ୍ଷେତ୍ରର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି । ସହରକୁ ବିକାଶର ଇଂଜିନ୍ କରିବାକୁ ପଡ଼ିବ । ଜିଲ୍ଲାର ଆର୍ଥିକ ବିକାଶରେ ସହରୀକରଣର ପ୍ରମୁଖ ଭୂମିକା ରହିଛି । ତେଣୁ ଆଗାମୀ ୫୦ବର୍ଷରୁ ଊର୍ଦ୍ଧ୍ୱକୁ ଦୃଷ୍ଟିରେ ରଖି ସହରର ଯୋଜନାବଦ୍ଧ ନକ୍ସା ପ୍ରସ୍ତୁତି କରିବାକୁ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ ।
ରାଜ୍ୟ ସରକାର ବିଭିନ୍ନ ସହରର ଭିଡ଼ କମାଇବା ପାଇଁ ବାଇ-ପାସ୍ ରାସ୍ତା ନିର୍ମାଣ, ସହର ଚତୁର୍ପାଶ୍ୱରେ ରିଂ-ରୋଡ୍ ନିର୍ମାଣ ଉପରେ ପଦକ୍ଷେପ ନେଉଥିବା ସେ ପ୍ରକାଶ କରିଥିଲେ । ଏବେ ବର୍ଜ୍ୟବସ୍ତୁ ପରିଚାଳନା ସହର ପାଇଁ ମୁଖ୍ୟ ସମସ୍ୟା ଭାବେ ଦେଖା ଦେଇଥିବା ବେଳେ ଏଥିପାଇଁ ସରକାର ପଦକ୍ଷେପ ନେଉଛନ୍ତି । ଆଗାମୀ ଦିନରେ ବଡ ବଡ ରାସ୍ତା ନିର୍ମାଣ ବେଳେ ବର୍ଜ୍ୟବସ୍ତୁକୁ ରାସ୍ତା ନିର୍ମାଣରେ ବ୍ୟବହାର କରିବା ସଂପର୍କରେ ଯୋଜନା କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ.ମହାପାତ୍ର ବସ୍ତିମୁକ୍ତ ସହରୀକରଣ ଉପରେ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ ଯେ, କାର୍ଯ୍ୟ ଅନ୍ୱେଷଣରେ ଆସି ବସ୍ତିରେ ବସତି ସ୍ଥାପନ କରୁଥିବା ବସ୍ତିବାସିନ୍ଦାଙ୍କ ସମସ୍ୟା ସମାଧାନ ସରକାରଙ୍କ ପ୍ରାଥମିକତା ରହିଛି । ସେମାନଙ୍କୁ ବସ୍ତି ଭଳି ଅସ୍ୱାସ୍ଥ୍ୟକର ପରିବେଶରୁ ବାହାରକୁ ଆଣି ବ୍ୟବସ୍ଥିତ ଢଙ୍ଗରେ ସୁଲଭ ଆବାସ ଯୋଗାଇ ଦେବା ପାଇଁ ଯୋଜନାଭିତ୍ତିକ ବ୍ୟବସ୍ଥା କରାଯାଉଛି । ବଢୁଥିବା ସହରୀକରଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସହର ସଂଲଗ୍ନ ଅଧିକରୁ ଅଧିକ ଅଂଚଳକୁ ଟାଉନ୍ ପ୍ଲାନିଂ (ଟିପି) ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି, ଯେଉଁଥିରେ ଲୋକମାନଙ୍କ ପାଇଁ ରାସ୍ତା, ବିଦ୍ୟୁତ୍, ପାନୀୟ ଜଳ, ଡ୍ରେନେଜ୍ ଓ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବେ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଊଷା ପାଢୀ ଏଥିରେ ଯୋଗ ଦେଇଥିଲେ ।