ସମସ୍ତେ ଶୋଇଥିଲେ, ଜଳିଲା ପରେ ଚେଇଁଲେ

ଭୁବନେଶ୍ୱରରୁ ରାମଚଣ୍ଡୀ ପ୍ରସାଦ ରଣସିଂହ : 

ଜୁନ୍ ୩୦  । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଲେଟର ପ୍ୟାଡ଼ରେ ଏଫଏମ ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷଙ୍କୁ ପତ୍ର ଲେଖିଥିଲେ ପୀଡ଼ିତା  । ସେ ଏବିଭିପି ବାଲେଶ୍ୱର ବିଭାଗର ରାଷ୍ଟ୍ରୀୟ କଳାମଞ୍ଚ ସଂଯୋଜକ ବି ଅଛନ୍ତି  । ବିଜେପି ଶାସନରେ ବି କଲେଜ ଅଧ୍ୟକ୍ଷ ଜଣେ ଛାତ୍ରୀ ତଥା ନେତ୍ରୀଙ୍କ ଅଭିଯୋଗକୁ ଫୁ’ କରିଦେଲେ  ।  
ଜୁଲାଇ ୧  । ନ୍ୟାୟ ପାଇଁ ଆକୁଳ ନିବେଦନ କରିଥିଲେ ପୀଡ଼ିତା  । ଏଫଏମ କଲେଜର ଇଣ୍ଟରନାଲ କମ୍ପ୍ଳେନ କମିଟିକୁ ଲିଖିତ ଭାବେ ଜଣାଇଥିଲେ  । ସିଧାସିଧା କହିଥିଲେ, ଏଚଓଡ଼ି ସମୀର କୁମାର ସାହୁ ମୋ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଥିଲେ  । ମୋତେ ଅପବ୍ୟବହାର କରୁଛନ୍ତି  । ମାନସିକ ନିର୍ଯାତନା ଦେଉଛନ୍ତି  । ଯଦି ମୋତେ ନ୍ୟାୟ ନମିଳେ ମୁଁ ଆତ୍ମହତ୍ୟା କରିବି  । ଆଉ କ’ଣ ଲେଖିଥିଲେ, କଲେଜ କର୍ତ୍ତୃପକ୍ଷ ଘଟଣାକୁ ଗୁରୁତର ସହ ନେଇଥା’ନ୍ତେ ? ଏବେ ବହକାଲିଆ ନୀତି କାହିଁକି ? ଏନେଇ ହୋଇଥିବା ଆଇନ୍କୁ କ’ଣ ଖାତିର ନଥିଲା କି ?
ଜୁଲାଇ ୧ରେ ଆଇସିସି କମିଟି ଗଠନ କରାଯାଇଥିଲା  । ମନସ୍ତତ୍ତ୍ୱ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଜୟଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ପଦାର୍ଥବିଜ୍ଞାନର ଡକ୍ଟର ମୌସୁମୀ ଦାସ ପଟ୍ଟନାୟକ, ଇଂରାଜୀର ଡକ୍ଟର ମୀନତି ସେଠୀ, ପ୍ରଭାତ କୁମାର ମହାରଣା, ବନ୍ଦିତା ପରିଡ଼ା, ଗୋପମୁଦ୍ରା ମହାପାତ୍ର ସଭ୍ୟ ଥିଲେ  । ସେହିପରି ଛାତ୍ରଛାତ୍ରୀଙ୍କ ପ୍ରତିନିଧି ଭାବେ ରୋଜାରାଣୀ ମହାନ୍ତି, ଅନନ୍ୟା ମିଶ୍ର ଓ ଚନ୍ଦ୍ରକାନ୍ତ ଦାସ ରହିଥିଲେ  ।ସମସ୍ତେ ଘଟଣାକୁ ହାଲକା ଭାବେ ନେଇଥିଲେ  । ଯାହାର ପରିଣାମ ଆଜି ସମସ୍ତେ ଦେଖୁଛନ୍ତି  । ଏଥିପାଇଁ ଏମାନେ କ’ଣ ନୈତିକ ଭାବେ ଦାୟୀ ରହିବେନି କି ? ଜଣେ ଛାତ୍ରୀଙ୍କର ଅଭିଯୋଗର ତ୍ୱରିତ ଶୁଣାଣୀ ଓ ତଦନ୍ତ ପାଇଁ ଏତେ କାର୍ପଣ୍ୟ କାହିଁକି ? ପୀଡ଼ିତା ଯଦି ତଦନ୍ତ କମିଟିରେ ଥିବା ପ୍ରାଧ୍ୟାପିକାମାନଙ୍କର ସମ୍ପର୍କୀୟ ହୋଇଥା’ନ୍ତେ ତେବେ ସେମାନେ କ’ଣ ଏମିତି ଅଭିଯୋଗ ଉପରେ ଚୁପ୍ ବସିପଡ଼ିଥା’ନ୍ତେ ? ପୀଡ଼ିତା ନ୍ୟାୟ ପାଇଁ ସାମାଜିକ ଗଣମାଧ୍ୟମରେ ବି ନିବେଦନ କରିଥିଲେ  । ନିଜ ଏକ୍ସ ହ୍ୟାଣ୍ଡେଲରେ ସେ ପୋଷ୍ଟ କରିବା ସହ ସିଏମଓ, ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତ, ବାଲେଶ୍ୱର ଜିଲ୍ଲାପାଳ ଓ ବାଲେଶ୍ୱର ଏସପିଙ୍କୁ ଟ୍ୟାଗ୍ କରିଥିଲେ  । କେହିଜଣେବି ଏକ୍ସରେ ଏହାକୁ ଦେଖିନଥିଲେ କି ? ନା ସାଧାରଣ କଥା ଭାବି ନଜର ଅନ୍ଦାଜ କରିଥିଲେ  । ବିଶେଷକରି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଏସପିଙ୍କୁ ସାମାଜିକ ଗଣମାଧ୍ୟମରେ ଅବଗତ କରାଇବା ପରେ ବି ନ୍ୟାୟ ନମିଳୁଛି ତେବେ କ’ଣ କରାଯିବ ? ସାମାଜିକ ଗଣମାଧ୍ୟମରେ ନ୍ୟାୟର ପ୍ରଚାର ଏକ ଭେଳିକି କହିଲେ ଭୁଲ୍ ହେବ କି ? ଏବେ ଆସିବା ଗଣମାଧ୍ୟମ ଆଡ଼କୁ  । ଏଭଳି ଘଟଣା ପାଇଁ ଗଣମାଧ୍ୟମ ବି ଦୋଷ ମୁଣ୍ଡାଇବ  । କଲେଜରେ ସଂଗୀନ ଅଭିଯୋଗ ହେଲା, ହେଲେ ଖବରକୁ ସେଭଳି ବୋଧେ ଗୁରୁତ୍ୱ ଦିଆଗଲାନାହିଁ  । କଲେଜରେ ପୂର୍ବରୁ ବି ଆନେ୍ଦାଳନ ହୋଇଥିଲା, ଘଟଣା ଘଟିବା ଦିନ ବି ପୀଡ଼ିତା ଧାରଣା ଦେଇଥିଲେ  । ହେଲେ ଖବରକୁ କେହି ଗୁରୁତ୍ୱ ଦେଇନଥିଲେ  । ଆଜି ଜଣେ ଛାତ୍ରୀ ନ୍ୟାୟରୁ ବଞ୍ଚôତ ହୋଇ ନିଜ ଦେହରେ ନିଅାଁ ଲଗାଇଦେବା ଘଟଣା ଗଣମାଧ୍ୟମକୁ ବି କାଠଗଡ଼ାରେ ଠିଆ କରିଦେଇଛି  । ଏବିଭିପିର ଛାତ୍ରନେତା ନେତ୍ରୀମାନେ ଆଉ ଏକ ସଂଗୀନ ଅଭିଯୋଗ କରିଛନ୍ତି  । ସେମାନଙ୍କ କହିବା କଥା, କଲେଜରେ ଆମେ ଏନେଇ ଆନେ୍ଦାଳନ କରିଥିଲୁ  । ତାଲା ପକାଇଥିଲୁ  । ନ୍ୟାୟ ଦେବାକୁ ଦାବି ବି କରିଥିଲୁ  । ହେଲେ ବିଜୁ ଛାତ୍ର ଜନତା ଓ ଛାତ୍ର କଂଗ୍ରେସ କିନ୍ତୁ ଅଧ୍ୟକ୍ଷ ଓ ସଂପୃକ୍ତ ଏଚଓଡ଼ିଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଥିଲେ  । ଏହା ସତ ହୋଇଥିଲେ ଅତି ସାଂଘାତିକ  । ଛାତ୍ରନେତା କଲେଜରେ ସମସ୍ତଙ୍କୁ ହକ୍ ଦେବା ପାଇଁ ଲଢ଼ିବା ଦରକାର  । ପେଟି ପଲିଟିକ୍ସ କରିବା ଆଦୌ ଗ୍ରହଣୀୟ ନୁହେଁ  ।  ଏବେ ସବୁକିଛି ସରିଯାଇଛି  । ପୀଡ଼ିତା ଏବେ ଜୀବନମରଣ ସହ ଭେଣ୍ଟିଲେଟରରେ ଯୁଝୁଛନ୍ତି  । ୯୦% ଜଳି ଯାଇଥିବାରୁ ଧିରେଧିରେ ଆଶା ବି କମିଯାଉଛି  । ସ୍ଥିତିରେ କିଛି ଉନ୍ନତି ଆସୁନି ବୋଲି ଏମ୍ସ ପକ୍ଷରୁ କୁହାଯାଇଛି  । ଏମିତିକି ସେ ଆଉ ନାହାନ୍ତି ବୋଲି ବିଜେଡ଼ି ନେତ୍ରୀମାନେ ଦାବି କରୁଛନ୍ତି  । କେତେକ ସାମାଜିକ ଗଣମାଧ୍ୟମ ଓ ହ୍ୱାଟସଆପରେ ବି ଏମିତି ଖବର ଆସୁଛି  । ଯାହା ହୃଦୟକୁ ଦୋହଲାଇ ଦେଉଛି  । ଜଣେ ଛାତ୍ରୀଙ୍କର ଏଭଳି ଅବସ୍ଥା ପାଇଁ  ନେତା, ଛାତ୍ରନେତା, ପ୍ରଶାସନ, ଏଫଏମ କଲେଜ ପ୍ରାଧ୍ୟାପକ ଓ ଅଧ୍ୟାପକ ଗଣ, ସରକାର ଓ ଗଣମାଧ୍ୟମ ସମସ୍ତେ କାଠଗଡ଼ାରେ  ।