ବିପର୍ଯ୍ୟୟ ପରିଚାଳନାରେ ରୋଲ ମଡେଲ ସାଜିଛି ଓଡ଼ିଶା
ଭୁବନେଶ୍ୱର : ଲିଙ୍ଗଗତ ସମାନତାର ଅଭିବୃଦ୍ଧି ଓ ବିପର୍ଯ୍ୟୟଜନିତ ଆପଦ ହ୍ରାସ ସୁନିଶ୍ଚିତ କରୁଥିବା ପ୍ରଶାସନ ନିମନ୍ତେ ଜାତୀୟ କର୍ମଶାଳା ଆରମ୍ଭ ହୋଇଛି । ଏହି ଦୁଇଦିନିଆ କର୍ମଶାଳା ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍ଡମା), ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି (ୟୁଏନ୍ଏଫ୍ପିଏ) ସହଯୋଗରେ ସାରା ଭାରତରେ ବିପର୍ଯ୍ୟୟଜନିତ ଆପଦ ହ୍ରାସ କ୍ଷେତ୍ରରେ ଦାୟତ୍ୱସଂପନ୍ନ ପ୍ରଶାସନ ନିଶ୍ଚିତ ଭାବେ ମାର୍ଗଦର୍ଶନ ଦେବ । ଏହି କାର୍ଯ୍ୟକ୍ରମରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା, ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ବରିଷ୍ଠ ଅଧିକାରୀ, ମିଳିତ ଜାତିସଂଘ ସଂସ୍ଥା ବିକାଶ ସହଭାଗୀ ଶିକ୍ଷା ପ୍ରତିଷ୍ଠାନ ଏଥିରେ ଯୋଗଦେଇଥିଲେ ।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଲେ ଯେ, ବିପର୍ଯ୍ୟୟ ପରିଚାଳନାରେ ଓଡିଶାର ଉଲ୍ଲେଖନୀୟ ସଫଳତା ପାଇଁ ବିଶ୍ୱସ୍ତରୀୟ ସ୍ୱୀକୃତି ସହ ଓଡିଶା ଆଜି ଅନ୍ୟମାନଙ୍କ ପାଇଁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ରୋଲ ମଡେଲ ସାଜିଛି । ଏହା ହେଉଛି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସରକାରଙ୍କର ପ୍ରତିଶ୍ରୁତିବଦ୍ଧତା, ଆନ୍ତରିକତା ଓ ନିଷ୍ଠାପର ଭାବରେ ଦାୟିତ୍ୱ ସମ୍ପାଦନର ନିଚ୍ଛକ ଉଦାହରଣ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କର୍ମଶାଳାର ଗୁରୁତ୍ୱ ଉପରେ ଆଲୋକପାତ କରି କହିଲେ ଯେ, ସରକାର ସବୁବେଳେ ଜନକେନ୍ଦ୍ରୀୟ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଗ୍ରାଧିକାର ଦେଇ ଆସୁଛନ୍ତି । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଘଟୁଥିବା ଆପଦକାଳୀନ ସ୍ଥିତିରୁ ଆମେ ଯେଉଁ ପରିଚାଳନାଜନିତ ଅଭିଜ୍ଞତା ଆହରଣ କରୁଛୁ ସଂକଟ ସମୟରେ ସେସବୁର ଉପଯୋଗ କରି ଜନସାଧାରଣଙ୍କୁ ସୁରକ୍ଷା ଦେବା ତଥା ଶୂନ୍ୟ ମୃତ୍ୟୁହାର ନିଶ୍ଚିତ କରିବା ଦିଗରେ ସରକାର ସବୁବେଳେ ପ୍ରୟାସ କରି ଆସୁଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପରିଚାଳନା ନିର୍ଦ୍ଦେଶକ ଦେଓରଞ୍ଜନ କୁମାର ସିଂହ ଉପସ୍ଥିତ ଥିଲେ ।