ସିଂହନାଥ ପୀଠରେ ମକର ମେଳା ପାଇଁ ପ୍ରସ୍ତୁତି

ବାଙ୍କୀ : ବାଙ୍କୀ ଓ ବଡମ୍ବାର ମହାନଦୀର ମଧ୍ୟସ୍ଥଳରେ ଥିବା ବୈଦ୍ୟେଶ୍ୱରର ତ୍ରିକୂଟ ଧାମ ସିଂହନାଥ ପୀଠରେ ଚଳିତ ବର୍ଷ ମକର ମେଳା ପାଇଁ ବାଙ୍କୀ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବୈଦ୍ୟେଶ୍ୱର ଥାନା ବାଖ୍ୟାନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବାଙ୍କୀ ଉପଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି ଯୋଗ ଦେଇ ଚଳିତ ବର୍ଷ ୩ଦିନ ଧରି ମକର ମେଳା କିଭଳି ଭାବରେ ଶାନ୍ତିଶୃଙ୍ଖଳାର ସହ ସଂପାଦନ କରାଯିବ ସେ ସଂପର୍କରେ ସୂଚନା ଦେଇଥିଲେ । 
ଗତବର୍ଷ ମକର ମେଳାରେ ଅତ୍ୟଧିକ ଭକ୍ତମାନଙ୍କ ଭିଡ ଯୋଗୁଁ ଦଳାଚକଟାରେ ଜଣେ ମହିଳା ଭକ୍ତଙ୍କର ମୃତୁ୍ୟ ଘଟିଥିବା ବେଳେ ଚଳିତ ବର୍ଷ ମକର ଯାତ୍ରାକୁ ଭକ୍ତମାନେ ଶୃଙ୍ଖଳିତ ଭାବେ ଉପଭୋଗ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ଅନୁଷ୍ଠିତ ଏହି  ପ୍ରସ୍ତୁତି ବୈଠକରେ ବିଡିଓ ଅଂଶୁମାନ ଦାସ, ଏସ୍.ଡି.ପି.ଓ ବିଜୟ କୃଷ୍ଣ ମହାପାତ୍ର, ବାଙ୍କୀ ଥାନା ଅଧିକାରୀ ଦିଲ୍ଲିପ୍ କୁମାର ମର୍ଦ୍ଦରାଜ ଭୂୟାଁ, ବରିଷ୍ଠ ଡାକ୍ତର ପଦ୍ମଲୋଚନ ପଣ୍ଡା, ବୈଦ୍ୟେଶ୍ୱର ସରପଂଚ ସୁରଞ୍ଜନ ପଣ୍ଡା, ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ସାହୁ, ଅଗ୍ନିଶମ ବିଭାଗ , ପାନୀୟ ଜଳ ଓ ପରିମଳ ବିଭାଗ, ବିଦୁ୍ୟତ୍ ବିଭାଗର, ସ୍ୱାସ୍ଥ୍ୟବିଭାଗ, ପୂର୍ତ୍ତବିଭାଗର ସମସ୍ତ ଅଧିକାରୀମାନେ ଯୋଗ ଦେଇଥିଲେ ।