ଇସ୍କନର ଅଦିନିଆ ରଥଯାତ୍ରାକୁ ବିରୋଧ
ଭୁବନଶ୍ୱେର : ଓଡ଼ିଆ ଅସ୍ମିତା ପରିଷଦ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଆଜି ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ୍ ଛକଠାରେ ଏକ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଆଜି ଲଣ୍ଡନଠାରେ ଇସ୍କନ୍ ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଥିବା ଅଦିନିଆ ରଥଯାତ୍ରାକୁ ବନ୍ଦ କରିବା ପାଇଁ ଦାବି କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଇସ୍କନ୍ ବାରମ୍ବାର ଜଗନ୍ନାଥ ସଂସ୍କୃତିର ଗାରିମା ଓ ଅସ୍ମିତାକୁ କ୍ଷୂର୍ଣ୍ଣ କରିବାରେ ଲାଗିଛି । ଗତବର୍ଷ ଆମେରିକାର ହୁ୍ୟଷ୍ଟର୍ଣ୍ଣ ସହରଠାରେ ନଭେମ୍ବର ୯ ତାରିଖ, ୨୦୨୪ ମସିହାରେ ଇସ୍କନ୍ ପକ୍ଷରୁ ଏକ ଅଦିନିଆ ରଥଯାତ୍ରା କରାଯାଇଥିଲା । ପୂଜ୍ୟ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜଙ୍କ ସମେତ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ଅଦିନିଆ ରଥଯାତ୍ରାକୁ ବିରୋଧ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ଫଳରେ ଇସ୍କନ୍ ଗଜପତି ମହାରାଜାଙ୍କ ସହିତ ଆଲୋଚନା କରି ଆଉ ଏଭଳି ଅଦିନିଆ ରଥଯାତ୍ରା କରିବ ନାହିଁ ବୋଲି ଗଣମାଧ୍ୟମରେ ପ୍ରକାଶ କରିଥିଲା । କିନ୍ତୁ ଦୁଃଖର କଥା ‘ଇସ୍କନ୍’ ପକ୍ଷରୁ ଆସନ୍ତାକାଲି ଲଣ୍ଡନଠାରେ ଏକ ଅଦିନିଆ ରଥଯାତ୍ରା ହେବାକୁ ଯାଉଛି । ଏହି ଅଦିନିଆ ରଥଯାତ୍ରା ଜଗନ୍ନାଥ ସଂସ୍କୃତି ଓ ଗାରିମା ଉପରେ ଏକ ଚରମ ଆକ୍ରମଣ । ଏହା କେବଳ ଜଗନ୍ନାଥ ସଂସ୍କୃତିକୁ ଅପମାନିତ କରୁନାହିଁ ଓଡ଼ିଆ ଜାତିର ଅସ୍ମିତା ଓ ସ୍ୱାଭିମାନକୁ ମଧ୍ୟ କ୍ଷୁର୍ଣ୍ଣ କରୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଇସ୍କନ୍ ପକ୍ଷରୁ ଲଣ୍ଡନଠାରେ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ବନ୍ଦ କରିବା ପାଇଁ ଦୃଢ ପଦକ୍ଷେପ ନେବାକୁ ଇସ୍କନ୍କୁ ନିଦେ୍ର୍ଦଶ ଦେବାକୁ ଦାବି କରାଯାଇଛି । ଯଦି ଇସ୍କନ୍ କର୍ତ୍ତୁପକ୍ଷ ଏହି ଅଦିନିଆ ରଥଯାତ୍ରାକୁ ବନ୍ଦ ନକରନ୍ତି ତା’ହେଲେ ଓଡ଼ିଶାରେ ଇସ୍କନ୍କୁ ବ୍ୟାନ୍ କରିବା ପାଇଁ ଓଡ଼ିଆ ଅସ୍ମିତା ପରିଷଦ ଆଜି ଏକ ବିକ୍ଷୋଭ ପ୍ରତିବାଦ ଜରିଆରେ ଦାବି କରିଛି । ଓଡ଼ିଆ ଅସ୍ମିତାର ଆବାହକ ରବି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରତିବାଦ ବିକ୍ଷୋଭରେ ସର୍ବଶ୍ରୀ ପ୍ରଫୁଲ୍ଲ ଦାସ, ନାରାୟଣ ଡାଳୁଆ, ନାରାୟଣ ବେହେରା, ନାରୀନେତ୍ରୀ ସାବିତ୍ରୀ ବେହେରା, ପ୍ରତିମା ମହାନ୍ତି ଓ ମଧୁସୂଦନ ରାଓ ପ୍ରମୁଖ ଅଂଶଗ୍ରହଣ କରି ଜଗନ୍ନାଥ ସଂସ୍କୃତିର ଅପମାନକୁ ଓଡ଼ିଶାବାସୀ ସହ୍ୟ କରିବେ ନାହିଁ ବୋଲି ମତବ୍ୟକ୍ତ କରିଥିଲେ ।