ସୁକ୍‌ମାରେ ୨୬ ମାଓବାଦୀଙ୍କ ଆତ୍ମସମର୍ପଣ : ୧୩ ଜଣଙ୍କ ମୁଣ୍ଡରେ ଥିଲା ୬୫ ଲକ୍ଷ ପୁରସ୍କାର 

ସୁକ୍‌ମାରେ ୨୬ ମାଓବାଦୀଙ୍କ ଆତ୍ମସମର୍ପଣ :  ୧୩ ଜଣଙ୍କ ମୁଣ୍ଡରେ ଥିଲା ୬୫ ଲକ୍ଷ ପୁରସ୍କାର 

ରାୟପୁର : ଛତିଶଗଡ଼ର ସୁକମା ଜିଲ୍ଲାରେ ବୁଧବାର ଦିନ ୨୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ମୁଣ୍ଡରେ ଥିଲା ୬୫ ଲକ୍ଷ ଟଙ୍କାର ପୁରସ୍କାର । ସୁକମା ପୁଲିସ ଅଧିକ୍ଷକ କିରଣ ଚୌହ୍ୱାନ କହିଛନ୍ତି ଯେ "ପୁନ ମାର୍ଗମ’ (ପୁନଃସ୍ଥାପନରୁ ସାମାଜିକ ପୁନଃସଂଯୋଗ ପର୍ଯ୍ୟନ୍ତ) ପୁନର୍ବାସ ପଦକ୍ଷେପ ଅଧୀନରେ ୭ଜଣ ମହିଳା ସମେତ ଏହି କ୍ୟାଡରମାନେ ବରିଷ୍ଠ ପୁଲିସ ଏବଂ ସିଆରପିଏଫ ଅଧିକାରୀଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି । ସେମାନେ ପିପୁଲ୍ସ ଲିବରେସନ ଗରିଲା ଆର୍ମି (ପିଏଲଜିଏ) ବାଟାଲିୟନ, ଦକ୍ଷିଣ ବସ୍ତର ଡିଭିଜନ, ମାଡ ଡିଭିଜନ ଓ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ମାଓବାଦୀ ଡିଭିଜନରେ ସକ୍ରିୟ ଥିଲେ । ଛତିଶଗଡ଼ର ଅବୁଝମାଡ, ସୁକମା ଓ ଓଡ଼ିଶାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅନେକ ହିଂସା ଘଟଣାରେ ଜଡିତ ଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଓ ପୁନର୍ବାସ ନୀତି ଦ୍ୱାରା ସେମାନେ ପ୍ରଭାବିତ ହୋଇଛନ୍ତି । 

  ସେମାନଙ୍କ ମଧ୍ୟରୁ କମ୍ପାନୀ ପାର୍ଟି କମିଟି ସଦସ୍ୟ ଲାଲି ଓରଫ ମୁଚାକି ଆୟତେ ଲଖମୁ (୩୫)ଙ୍କ ମୁଣ୍ଡରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ଅଧିକାରୀ କହିଛନ୍ତି ଯେ ୨୦୧୭ ମସିହାରେ କୋରାପୁଟ ରାସ୍ତାରେ (ଓଡିଶା) ଏକ ଗାଡ଼ିକୁ ଟାର୍ଗେଟ କରି ଆଇଇଡି ବିସ୍ଫୋରଣ କରିବା ସମେତ ସେ ଅନେକ ବଡ଼ ହିଂସାକାଣ୍ଡରେ ଜଡିତ ଥିଲେ । ଯେଉଁଥିରେ ୧୪ ଜଣ ସୁରକ୍ଷା କର୍ମୀଙ୍କ ଜୀବନ ଯାଇଥିଲା । ଅନ୍ୟ ଚାରି ଜଣ ପ୍ରମୁଖ କ୍ୟାଡର - ହେମଲା ଲଖମା (୪୧), ଅସୀତା ଓରଫ କମଲୁ ସାନି (୨୦), ରାମବତୀ ଓରଫ ପଦମ ଜୋଗି (୨୧) ଏବଂ ସୁନ୍ଦମ ପଲ (୨୦) - ପ୍ରତ୍ୟେକଙ୍କ ପାଇଁ ୮ ଲକ୍ଷ ଟଙ୍କା ପୁରସ୍କାର ଥିଲା । ୨୦୨୦ ମସିହାରେ ମିନପା ଆମ୍ବୁସ (ସୁକମା)ରେ ଲଖମା ସାମିଲ ଥିଲେ ଯେଉଁଥିରେ ୧୭ ଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇଥିଲେ । ଅନ୍ୟ ଆତ୍ମସମର୍ପଣକାରୀ କ୍ୟାଡରଙ୍କ ମଧ୍ୟରେ ତିନି ଜଣଙ୍କ ପାଇଁ ୫ ଲକ୍ଷ ଟଙ୍କା, ଜଣେ ୩ ଲକ୍ଷ ଟଙ୍କା, ଜଣେ ୨ ଲକ୍ଷ ଟଙ୍କା ଓ ତିନି ଜଣ କ୍ୟାଡରଙ୍କ ପାଇଁ ୧ ଲକ୍ଷ ଟଙ୍କା ଲେଖାଁଏ ପୁରସ୍କାର ଥିଲା । ସମସ୍ତ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ୫୦,୦୦୦ ଟଙ୍କା ଲେଖାଁଏ ସହାୟତା ପ୍ରଦାନ କରାଯାଇଥିଲା ଏବଂ ସରକାରଙ୍କ ନୀତି ଅନୁଯାୟୀ ସେମାନଙ୍କୁ ଆହୁରି ପୁନର୍ବାସିତ କରାଯିବ ।