ଆରମ୍ଭ ହେବ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ
ଭୁବନେଶ୍ୱର : ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିଥିଲେ । ଏଥିରେ ମୁଖ୍ୟତଃ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତିକରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ପ୍ରଥମେ କେଉଁଝର ଜିଲ୍ଲାରେ ଏକ ପାଇଲଟ୍ ପ୍ରୋଗ୍ରାମ ଭାବରେ ଆରମ୍ଭ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ସଫଳତାକୁ ଅନୁଧ୍ୟାନ କରାଯାଇ ସମଗ୍ର ରାଜ୍ୟରେ ଏହାର ସଂପ୍ରସାରଣ କରାଯିବ । ଡିଜିଟାଲ୍ ମିଶନ ଦ୍ୱାରା ଅଧିକାଂଶ ସ୍ୱାସ୍ଥ୍ୟସେବାକୁ ଯଥା ଆପଏଣ୍ଟମେଣ୍ଟ, ବୁକିଙ୍ଗ୍, ରେଫରାଲ୍ ଓ ଫଲୋଅପ୍ ବ୍ୟବସ୍ଥା ଇତ୍ୟାଦି ସମସ୍ତ କାର୍ଯ୍ୟ ଡିଜିଟାଲ ମାଧ୍ୟମରେ କରାଯିବ ।
ଏହାଦ୍ୱାରା ରୋଗୀମାନଙ୍କ ପ୍ରତୀକ୍ଷା ସମୟ କମିବ ଏବଂ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ସର୍ବୋତ୍ତମ ବ୍ୟବହାର ହୋଇପାରିବ । ଏଥିସହିତ ଡାକ୍ତରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ, ଡିଏନବି ପାଠ୍ୟକ୍ରମ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଏଥିରେ ଡାକ୍ତରମାନେ ପ୍ରାକ୍ଟିକାଲ୍ ଓ କ୍ଲିନିକାଲ୍ ଟ୍ରେନିଙ୍ଗ୍ ପାଇ ସ୍ପେସିଆଲାଇଜେସନ୍ କରିପାରିବେ । ସାରା ରାଜ୍ୟରେ ଆୟୁଷ ଔଷଧକୁ ଲୋକପ୍ରିୟ କରିବାପାଇଁ, ଆୟୁଷ ଡାକ୍ତରମାନେ କେବଳ ଆୟୁର୍ବେଦିକ ଔଷଧ ହିଁ ଲେଖିବେ ଏବଂ କୌଣସି ଏଲୋପାଥିକ ଔଷଧ ପ୍ରେସକ୍ରାଇବ କରିବେ ନାହିଁ । ତତ୍ସହିତ ଓଡିଶାରେ ଆୟୁଷ ଡାକ୍ତରମାନଙ୍କର ସେବାକୁ ଅଗ୍ରାଧିକାର ଦେବା ନିମନ୍ତେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରମାନଙ୍କରେ ଆୟୁର୍ବେଦିକ ଓ ହୋମିଓପାଥି ମେଡିସିନ ଉପଲବ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
Samir Kumar Rout