ସେତୁର ସୁରକ୍ଷା ବାଡ଼ ଜରୁରୀ


ବିଭିନ୍ନ ସମୟରେ ଦେଖାଯାଉଛି ଯେ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଲୋକମାନେ ପୋଲ ଉପରୁ ନଦୀ ଭିତରକୁ ଡ଼େଇଁ ପଡ଼ି ଆତ୍ମହତ୍ୟା କରୁଛନ୍ତି କିମ୍ବା ବିଭିନ୍ନ ସମୟରେ ପୋଲଗୁଡ଼ିକରେ ବାଡ଼ା ନଥିବାରୁ ଗାଡ଼ିମୋଟର ନଦୀ ଭିତରକୁ ଖସିପଡୁଛି ଏବଂ ସେଥିରେ ଅନେକ ଧନଜୀବନ ନଷ୍ଟ ହେଉଛି । କଟକ ମହାନଗର ନିଗମ ଏବଂ ଚୌଦ୍ୱାର ପୌରପାଳିକାକୁ ମହାନଦୀ ଉପରେ ସଂଯୋଗ କରୁଥିବା ସେତୁ ତଥା ଜୋବ୍ରା ବ୍ୟାରେଜ୍ ବର୍ତ୍ତମାନ ଏହିଭଳି ଦୁର୍ଘଟଣା ଏବଂ ଆତ୍ମହତ୍ୟାର ସ୍ଥାନରେ ପରିଣତ ହୋଇଛି । ଗତ ୨ ବର୍ଷ ମଧ୍ୟରେ ୧୦ ଜଣରୁ ଅଧିକ ବ୍ୟକ୍ତି ଜୋବ୍ରା ବ୍ୟାରେଜ୍ରେ ଆତ୍ମହତ୍ୟା କରିଲେଣି । ବ୍ୟାରେଜ୍ ଉପରେ ସୁରକ୍ଷା ବାଡ଼ ନଥିବାରୁ ଏବଂ ବିଭିନ୍ନ ସମୟରେ ମତ୍ସ୍ୟଜୀବୀମାନେ ମାଛ ମାରିବା ପାଇଁ ସୁରକ୍ଷା ବାଡ଼ର କିଛି କିଛି ଅଂଶକୁ ଫାଙ୍କ କରି ଦେଉଥିବାରୁ ଦୁର୍ଘଟଣା ଏବଂ ଆତ୍ମହତ୍ୟା କରିବା ଭଳି ସୁଯୋଗ ସୃଷ୍ଟି ହେଉଛି । ପୋଲ ନିର୍ମାଣ ସମୟରେ ପୋଲର ଦୁଇକଡ଼ରେ ବାଡ଼ା ନରଖିଲେ ତାହା ନିରାପତ୍ତା ଦୃଷ୍ଟିରୁ ବିପଜ୍ଜନକ ହୋଇପଡ଼େ । ଆଉ ପୋଲର ବାଡ଼କୁ ଯଦି ଅଳ୍ପ ଉଚ୍ଚ କରାଯାଏ, ଏହା ଦ୍ୱାରା ପୋଲ ତଳକୁ ଗାଡ଼ି ଖସି ପଡ଼ିବା କିମ୍ବା ଲୋକେ ଆତ୍ମହତ୍ୟା କରିବା ଭଳି ଘଟଣା ସବୁ ଘଟୁଛି । ଏହା କେବଳ ମହାନଦୀ ଉପରେ ପୋଲ ଓ ବ୍ୟାରେଜ୍ର ସମସ୍ୟା ନୁହେଁ, ସମସ୍ତ ରାଜ୍ୟରେ ରହିଥିବା ସମସ୍ତ ବଡ଼ ବଡ଼ ନଦୀର ପୋଲଗୁଡ଼ିକରେ ଏହିଭଳି ସମାନ ଅବସ୍ଥା ଦେଖିବାକୁ ମିଳୁଛି । ତେଣୁ ବିଭିନ୍ନ ନଦୀ ଉପରେ ପୋଲ ନିର୍ମାଣ ସମୟରେ ଉଚ୍ଚା ବାଡ଼ କିମ୍ବା ତାରବାଡ଼ ଦେବାର ବ୍ୟବସ୍ଥା ମଧ୍ୟ ରହିବା ଉଚିତ୍ । 
ଆଉ କେତେକ ସ୍ଥାନରେ ଦେଖାଯାଉଛି ଯେ ଲୋକ ବିଭିନ୍ନ ପ୍ରକାରରର ଘରୋଇ ପୂଜାପାଠ ପରେ ସେଥିରୁ ବାହାରୁଥିବା ଅବଶେଷକୁ ବିଭିନ୍ନ ନଦୀରେ ନେଇ ଫୋପାଡ଼ି ଦେଉଛନ୍ତି । ପୋଲ ଉପରେ ଯଦି ସୁରକ୍ଷା ତାରବାଡ଼ ଥାଆନ୍ତା, ତାହା ହେଲେ ନଦୀକୁ ଏ ପ୍ରକାରର ଆବର୍ଜନା ଫୋପାଡ଼ିବା କାର୍ଯ୍ୟ କରି ପାରନ୍ତେ ନାହିଁ । ବିଭିନ୍ନ ପ୍ରକାରର ଘରୋଇ ତଥା ଅନ୍ୟାନ୍ୟ ପୂଜାର ଅବଶେଷକୁ ଜଳରେ ଫୋପାଡ଼ିବାର ଏକ ପରମ୍ପରା ରହିଛି । ହେଲେ ଏହା କୌଣସି ନୀତିଶାସ୍ତ୍ରରେ ଉଲ୍ଲେଖ ନାହିଁ । ଆଉ ପୋଲର ଦୁଇ କଡ଼ରେ ଉଚ୍ଚ ତାରବାଡ଼ ରହିଲେ ନଦୀ ଜଳକୁ ଏ ପ୍ରକାରର ଦୂଷିତ କରାଯାଉଥିବାର ଏକ ପରମ୍ପରାକୁ ମଧ୍ୟ ବନ୍ଦ କରାଯାଇପାରିବ । 
ପୋଲ ଉପରେ ଯାତାୟତ କରିବା ପାଇଁ ତଥା ନିରାପଦରେ ନଦୀର ଉଭୟ ପାଶ୍ୱର୍କୁ ଯିବା ଆସିବା କରିବା ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ପୋଲଗୁଡ଼ିକ ନିର୍ମାଣ କରାଯାଉଛି । ଅଥଚ ଲୋକଙ୍କର ସୁରକ୍ଷା ଦୃଷ୍ଟିରେ ରଖି ନୂଆ ପୋଲ ତିଆରି ହେଉଥିବା ସମୟରେ ଏ ଅସୁବିଧାକୁ ଦୂର କରିବା ପାଇଁ ବ୍ୟବସ୍ଥା କରାଯିବା ଆବଶ୍ୟକ । ଏଥିସହିତ ପୁରୁଣା ପୋଲଗୁଡ଼ିକରେ ତାରବାଡ଼ ଦେଇ ସୁରକ୍ଷିତ ଯାତାୟତ ପାଇଁ ବ୍ୟବସ୍ଥା ଯୋଡ଼ିବା ଆବଶ୍ୟକ ।  ସାଧାରଣତଃ ସହରାଞ୍ଚଳ ନିକଟବର୍ତ୍ତୀ ନଦୀଗୁଡ଼ିକରେ ରହିଥିବା ପୋଲଗୁଡ଼ିକରେ ଉଚ୍ଚ ବାଡ ନଥିବା ଦେଖାଯାଉଛି । ଫଳରେ ସନ୍ଧ୍ୟା କିମ୍ବା ସକାଳ ସମୟରେ ଲୋକମାନେ ପୋଲ ଉପରେ ଯାନବାହାନ ରଖି ବିଶୁଦ୍ଧ ପବନ ପାଇବା ଉଦେ୍ଦଶ୍ୟରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେଉଛନ୍ତି । ଏହା ଟ୍ରାଫିକ୍ ସମସ୍ୟା ସୃଷ୍ଟି କରିବା ସହିତ ଦୁର୍ଘଟଣାର କାରଣ ମଧ୍ୟ ପାଲଟୁଛି । ଏ ପ୍ରକାରର ଦୁର୍ଘଟଣାକୁ ମଧ୍ୟ ପୋଲର ଦୁଇକଡ଼ରେ ଉଚ୍ଚ ତାରବାଡ଼ ଦେବା ଦ୍ୱାରା ଆଡ଼େଇ ଯାଇ ହେବ । କୌଣସି ଦୀର୍ଘ ପୋଲ ଉପରେ ଯାତାୟତ ସମୟରେ ମଝିରେ ଅଟକି ରହି ନଦୀର ଦୃଶ୍ୟ ଉପଭୋଗ କରିବା କିମ୍ବା ବିଶୁଦ୍ଧ ପବନ ପାଇବା ପାଇଁ ଅଟକି ରହିବା ଭଳି କୌଣସି ବି କାର୍ଯ୍ୟକୁ ପ୍ରଶୟ ଦିଆଯିବା ଉଚିତ୍ ନୁହେଁ । ପୋଲଗୁଡ଼ିକ ଉପରେ ଅଟକି ନରହିବା ପାଇଁ ନିଦେ୍ର୍ଦଶ ଦିଆଯାଇଥିଲେ ବି ଲୋକମାନେ ତାହା ମାନୁନାହାନ୍ତି । ଏ ଦିଗରେ ସେତୁ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ନିହାତି ଆବଶ୍ୟକ ।