ମାଲକାନଗିରିର ଗାନ୍ଧି : ଲକ୍ଷ୍ମଣ ନାଏକ

 ଦଶରଥ ହେମ୍ବ୍ରମ୍  : 
୧୮୦୩ରେ ଇଂରେଜମାନେ ଓଡିଶା ଅଧିକାର କଲାପରେ ପାଇକ ବିଦ୍ରୋହ ମାଧ୍ୟମରେ ପ୍ରଥମ କରି ଜାତୀୟ ସ୍ତରରେ ଶୁଣା ଯାଇଥିଲା ଓଡିଶାର ଜାତୀୟତାର ମନ୍ତ୍ରଧ୍ୱନି । ଏହାକୁ ନିଷ୍ଠୁର ଭାବରେ ଦବାଇ ଦିଆଗଲା ସତ କିନ୍ତୁ ଓଡିଆ ମାନଙ୍କ ମନରେ ନିଜର ମାଟିକୁ ଚିହ୍ନିବା ଓ ଭଲ ପାଇବାର ଏକ ଆଭିମୁଖ୍ୟ ଏହି ବିଦ୍ରୋହ ତିଆରି କରିଥିଲା ।  ଓଡିଶା ସେଥିରୁ ବାଦ ପଡିନାହିଁ । ରାଜନୀତି, ଶିକ୍ଷା ବ୍ୟବସ୍ଥା, ଦେଶପ୍ରେମ, ସାହିତ୍ୟିକ ଆଭିମୁଖ୍ୟ, କଳା ଚେତନା, ଧର୍ମୀୟ ବିଚାର ଆଦିରେ ଅନୁଭୂତ ହୋଇଛି ସ୍ପନ୍ଦନ । ଜାତୀୟ ଜୀବନରୁ ସ୍ଥବିରତାକୁ ପରିହାର କରି ଏ ସମୟର ଓଡିଶାର ବୁଦ୍ଧିଜୀବୀଗଣ ସେମାନଙ୍କ ଚେତନାକୁ ଉନ୍ମୁକ୍ତ କରିଛନ୍ତି । ସାଂସ୍କୃତିକ ଚେତନାର ରୂପାନ୍ତର ପ୍ରଥା ବଦ୍ଧତା ସହ ଅଗ୍ରଗାମୀ ଚିନ୍ତାଧାରାର ସଂଘର୍ଷ ହୋଇଛି । ପ୍ରାଚ୍ୟ ଓ ପାଶ୍ଚାତ୍ୟ ସଂସ୍କୃତିର ସହାବସ୍ଥାନ ଓ ସଂଘର୍ଷ ଓଡିଆ ସାହିତ୍ୟର ବିଭିନ୍ନ ବିଭାଗ ପରି ନାଟକ କ୍ଷେତ୍ରରେ ମଧ୍ୟ ପ୍ରତିଫଳିତ ହୋଇଛି । ସାହିତ୍ୟ ଓ ସଂସ୍କୃତିର ଅନ୍ୟ କ୍ଷେତ୍ର ଅପେକ୍ଷା ନାଟକ ଆମ ସଂସ୍କୃତିକ ସଂଘର୍ଷର ଏକ ବଡ ମୂକସାକ୍ଷୀ ।
ପ୍ରଥମ ଓଡିଆ ନାଟକ ‘ବାବାଜୀ’ ଏହାର ଦୃଷ୍ଟାନ୍ତ । ପ୍ରଗତିଶୀଳ ବାବାଜୀଚରିତ୍ର ମଧ୍ୟରେ ଜଗମୋହନ ତାଙ୍କ ସମକାଳର ପ୍ରତିଲିପି ହିଁ ସୃଷ୍ଟି କରିଛନ୍ତି । ବାବାଜୀର ଉଚ୍ଚାରଣ ମଧ୍ୟରେ ଅଗ୍ରଗାମୀ ମୂଲ୍ୟବୋଧର ସନ୍ଧାନ, ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଜଗତର ସାଂସ୍କୃତିକ ସହାବସ୍ଥାନକୁ ଲକ୍ଷ୍ୟ କରାଯାଏ । ଓଡିଆ ନାଟକର ରେନେସାଁର ବରଦାନ ସ୍ୱରୂପ ଯେଉଁ ଚିନ୍ତା ସଂଘର୍ଷର ସୂତ୍ରପାତ ହୋଇଥିଲା ଓ ଏକ ସାଂସ୍କୃତିକ ରୂପାନ୍ତର ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଥିଲା, ଏହାର ପ୍ରଥମ ଅର୍ଘ୍ୟ ହେଉଛି- ‘ବାବାଜୀ’ । 
ଏହି ସାଂସ୍କୃତିକ ରୂପାନ୍ତରର ଚିତ୍ରପଟ ‘ସତୀ’ ନାଟକରେ ଖୁବ ଶକ୍ତିଶାଳୀ ହୋଇଥିଲା । ସେକ୍ସେପିରିଆନ ଟ୍ରାଜେଡି ଆଦର୍ଶରେ ଏହାର କାହାଣୀ ପରିକଳ୍ପିତ । ଏହି ନାଟକରେ ପ୍ରତିଭାତ ତତକାଳୀନ ଅନ୍ଧକାରାଚ୍ଛନ୍ନ ସାମାଜିକ ଓ ରାଜନୈତିକ ପରିବେଶ ଅତ୍ୟନ୍ତ ଉଦବେଗଜନକ । ନାୟିକାର ନାମ ସତୀ ହେଲେ ବି ତାର ସତୀତ୍ୱକୁ ପ୍ରତିଟି କ୍ଷେତ୍ରରେ ବିଡମ୍ବିତ କରିବା ପାଇଁ ଚାହିଁଛି ତତକାଳୀନ ସମାଜ ବ୍ୟବସ୍ଥା । ସତୀ ଶେଷରେ ଆତ୍ମହତ୍ୟା କରିଛି । କିନ୍ତୁ ଏହି ଚରିତ୍ରର ସଂଘର୍ଷ ମଧ୍ୟ ଦେଇ ନାଟ୍ୟକାର ଏକ ଆଦର୍ଶର ପ୍ରତିଷ୍ଠା ପାଇଁ ଯତ୍ନଶୀଳ ହୋଇଛନ୍ତି । ଆମ ସମାଜ ବ୍ୟବସ୍ଥାରେ ସଂସ୍କୃତିର ରୂପାନ୍ତର କିପରି ପରିବର୍ତ୍ତନ ନହେଉ ଏବଂ ଆଦର୍ଶ ବଜାୟ ରହୁ, ଏହାହିଁ ନାଟ୍ୟକାରଙ୍କ ଉଦେ୍ଦଶ୍ୟ ଥିଲା । ‘ବାବାଜୀ’ ଠାରୁ ୧୯୨୦ ମସିହା ପର୍ଯ୍ୟନ୍ତ ରଚିତ ନାଟକ ଗୁଡିକର ବିଶ୍ଳେଷଣ କଲେ ଯେଉଁସବୁ ଆଧୁନିକ ଦୃଷ୍ଟିଭଙ୍ଗୀ ଆମ ନଜରକୁ ଆସିବ, ତାହା ଏକ ସାଂସ୍କୃତିକ ରୂପାନ୍ତରର ଫଳଶ୍ରୁତି । ଜାତୀୟତାବାଦ, ଇତିହାସ ଓ ପୁରାଣରୁ ଚରିତ୍ର ଓ କାହାଣୀ ଚୟନ କରି ସେଥିରୁ ସମକାଳ ପାଇଁ ପ୍ରେରଣା ସଂଗ୍ରହ, ସାମାଜିକ ବିଧି ବ୍ୟବସ୍ଥାରେ ଥିବା ଦୋଷତ୍ରୁଟି ଗୁଡିକୁ ସୁଧାରିବା ପାଇଁ ଆହ୍ୱାନ ପୁଣି ପାଶ୍ଚାତ୍ୟ ସଂସ୍କୃତିର ଦୁର୍ବଳ ଦିଗ ଗୁଡିକ ପ୍ରତି ଅଙ୍ଗୁଳି ନିଦେ୍ର୍ଦଶ ଆଦି ଏ କାଳର ନାଟକ ଗୁଡିକର ଅନ୍ତଃସ୍ୱର । ଜଗମୋହନ ଲାଲାଙ୍କ ବ୍ୟତୀତ କାମପାଳ ମିଶ୍ର, ଭିକାରୀ ଚରଣ ପଟ୍ଟନାୟକଙ୍କ ନାଟକ ଗୁଡିକରେ ସାଂସ୍କୃତିକ ରୂପାନ୍ତରର ଚିତ୍ରପଟ ଦେଖିବାକୁ ମିଳେ । 
ୟୁରୋପୀୟ ରେନେସାଁ ଯେଉଁ ସାଂସ୍କୃତିକ ରୂପାନ୍ତର ଆଣିଥିଲା, ତାର ପାଖାପାଖି ୫ ଶହ ବର୍ଷରୁ ଊଦ୍ଧ୍ୱର୍ କାଳ ପରେ ଉନଂବିଶ ଶତାବ୍ଦୀର ମଧ୍ୟଭାଗରେ ଓଡିଶାର ସମାଜ ଜୀବନ ସାମନ୍ତବାଦର ପରିଧି ମଧ୍ୟରୁ ମୁକୁଳିବା ପାଇଁ ବେଶ ଆଉ କିଛି କାଳର ପ୍ରୟୋଜନୀୟତା ସେ ସମୟରେ ଅନୁଭୂତ ହୋଇଥିଲା । ଅଷ୍ଟାଦଶ ଶତାବ୍ଦୀ ବେଳକୁ ୟୁରୋପୀୟ ସମାଜ ଜୀବନରେ ପୁଞ୍ଜିବାଦର ପ୍ରାଧାନ୍ୟ ଅନୁଭୂତ ହୋଇଥିବା ବେଳେ ଭାରତବର୍ଷର ସ୍ୱାଧୀନତା ପରେ ମଧ୍ୟ ଏହା ଅନୁଭୂତ ହୋଇଥିଲା । ଓଡିଶାରେ ରାଜାରାଜୁଡା ଜମିଦାର ପ୍ରଭୃତିଙ୍କର ସାମନ୍ତବାଦୀ ଶୋଷଣ ବିରୁଦ୍ଧରେ ସ୍ୱର, ଏହାପରେ ପ୍ରତିଫଳିତ ହୋଇଥିଲା । ଜ୍ଞାନ ବିଜ୍ଞାନର ଅନୁଶୀଳନ , ଜାତୀୟତାବାଦର ବିକାଶ ସହିତ ବ୍ରିଟିଶ ଶାସନତନ୍ତ୍ର ଜାତିପ୍ରଥା ଓ ଧାର୍ମିକ ରୁଢିବାଦ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ସାଧାରଣ ଜନତାଙ୍କୁ ଉସôାହିତ କରିଥିଲା । ୧୯୨୦ ଠାରୁ ୧୯୫୦ ମସିହା ପର୍ଯ୍ୟନ୍ତ ରଚିତ ଓଡିଆ ନାଟକ ଗୁଡିକରେ ଉପରୋକ୍ତ ଚିନ୍ତାଧାରା ପ୍ରତିଫଳିତ । 
କୃଷିଭିତ୍ତିକ ସମାଜରେ ଯେଉଁ ମୂଲ୍ୟବୋଧ ଗୁଡିକ ରାଜୁତି କରୁଥିଲା ତାହା ଧୀରେ ଧୀରେ ଅପସାରିତ ହୋଇଗଲା । ସେଗୁଡିକର ସ୍ଥାନ ଦଖଲ କଲା ପୁଞ୍ଜିବାଦ ସଂସ୍କୃତି । ଏହି ଅପସାରଣ ପ୍ରକି୍ରୟା ବର୍ବରୋଚିତ ନହୋଇ ଓଡିଶାରେ ସୁନ୍ଦର କୌଶଳ ଗୁଡିକ ମାଧ୍ୟମରେ ଦୃଶ୍ୟମାନ ହେଲା । ଯେଉଁଠି ସବୁଜ ଧାନକ୍ଷେତ ଲହଡି ଭାଙ୍ଗୁଥିଲା, ହଳିଆର ଗୀତ, ଗୋରୁପଲଙ୍କ ହମ୍ବାରଡି, ଗାଇଆଳ ପିଲାର ମୂର୍ଚ୍ଛିତ ବଂଶୀସ୍ୱନ ଶୁଣା ଯାଉଥିଲା ବା ନଇଘାଟରେ ନାଉଡିଆର ଛାନ୍ଦ କି ଚଉପଦୀ ଯେଉଁଠି ପରିବେଶକୁ ମୁଖରିତ କରୁଥିଲା, ସେଠାରେ ଶୁଣାଗଲା କାରଖାନା ପୁଙ୍ଗାର ଆର୍ତ୍ତନାଦ । ପାରିବାରିକ ଓ ସାମାଜିକ ଜୀବନକୁ ଯେଉଁ ଆନନ୍ଦବୋଧ ଓ ନୈତିକତା ଆବୋରି ରହିଥିଲା , ତାହା ଧୀରେ ଧୀରେ ବିଲୟ ଘଟିଲା । ଗାଁରୁ ଦଳ ଦଳ ମଣିଷ ପିମ୍ପୁଡି ପରି ଜୀବିକା ଅନ୍ୱେଷଣ ପାଇଁ ସହରାଭିମୁଖୀ ହେଲେ । 
୧୯୫୨ ମସିହାରେ ରଚିତ କାଳୀ ଚରଣ ପଟ୍ଟନାୟକଙ୍କ ‘ରକ୍ତମାଟି’ ନାଟକରେ ବିଜୟ ଚରିତ୍ରଟି ପୁଞ୍ଜିବାଦ ବିରୁଦ୍ଧରେ ଲଢି ସୁସ୍ଥ ସୁନ୍ଦର ମୂଲ୍ୟବୋଧ ସଂଚାର କରିବା ପାଇଁ ଚାହିଁଛି । କିନ୍ତୁ ପୁଞ୍ଜିପତିର କାରସାଦି ନିକଟରେ ତାକୁ ହାର ମାନିବାକୁ ପଡିଛି । ତାର ଗାଁ ଜୀବନଧାରା ପୁଞ୍ଜିବାଦର ବିଷ ବଳୟରେ ଆବଦ୍ଧ । ତାର ଆଦର୍ଶ ଓ ମୂଲ୍ୟବୋଧ ପରାହତ । ୧୯୫୮ ପରବର୍ତ୍ତୀ କାଳରେ ଏ ନାଟକଟି ଭିତରେ ଧ୍ୱନିତ ହୋଇଛି ଯୁଗ ଯୁଗ ଧରି କୃଷିଭିତ୍ତିକ ସମାଜ ଜୀବନକୁ ନେଇ ଗଢି ଉଠୁଥିବା ଓଡିଶାର ସାଂସ୍କୃତିକ ଜୀବନର ବିପର୍ଯ୍ୟୟର କାହାଣୀ । ମୋଟାମୋଟି  ଭାବରେ ରକ୍ତମାଟିରେ ରହିଛି ପୁଞ୍ଜିବାଦ ସହ ଲଢିଥିବା ଉକ୍ରଳୀୟ ଜନଜୀବନର ରକ୍ତପାତ ଜନିତ କରୁଣ କାହାଣୀ ।
୧୯୬୦ ପରବତ୍ତୀ ଓଡିଆ ନାଟକର କେତେଗୋଟି ନାଟକକୁ ଏହି ଧାରାରେ ସାମିଲ କରାଯିବା ଆବଶ୍ୟକ ହୋଇପଡିଛି । ଯେପରି ବିଜୟ ମିଶ୍ରଙ୍କର ‘ଅସତ୍ୟ ସହର’, ରାମଚନ୍ଦ୍ର ମିଶ୍ରଙ୍କର ‘ନରୋତ୍ତମ ଦାସ କହେ’ । ପରିବାରରୁ ଆରମ୍ବ କରି ବ୍ୟାପକ ସମାଜ ବ୍ୟବସ୍ଥା ଯାଏ ପୁଣି ରାଜନୈତିକ ଦିଗନ୍ତ ପର୍ଯ୍ୟନ୍ତ ସବୁଠି କ୍ଷମତାର ଛକାପନ୍ଝା । ସେହିପରି ଆନନ୍ଦ ଶଙ୍କର ଦାସଙ୍କ ‘ଚିଡିଆଖାନା’ ନାଟକରେ ସାମାଜିକ ଜୀବନ ଓ ଗୋଷ୍ଠୀବଦ୍ଧ ମଣିଷର ସଂସ୍କୃତି ବିଲୁପ୍ତ । ମଣିଷ ହୋଇଛି ଚିଡିଆଖାନାର ଜନ୍ତୁ । ସେମାନଙ୍କ ଗର୍ଜନରେ ମାନବିକ କୋମଳ ପ୍ରବୃତ୍ତି ନାରଖାର । ଉତ୍ତାଙ୍ଗ ସାଂସ୍କୃତିକ ମୂଲ୍ୟବୋଧ ରସାତଳଗାମୀ । ୧୯୮୦ ମସିହାରେ ରଚିତ ବିଜୟ ଶତପଥୀଙ୍କର ‘କଂସର ଆତ୍ମା’ ନାଟକରେ ସବୁ ନୈତିକ ମୂଲ୍ୟବୋଧ, ସତ୍ୟ ନିଷ୍ଠତା, ସାଂସ୍କୃତିକ ଚେତନାକୁ ପ୍ରତାପୀ କଂସ ଗିଳିଦିଏ । ହୁଏତ କୃଷ୍ଣ ଜନ୍ମ ନିଅନ୍ତି । କଂସର ନିଧନ ହୁଏ କିନ୍ତୁ କୃଷ୍ଣ ଓ କଂସ ମଧ୍ୟରେ ଅନିବାର୍ଯ୍ୟ ସଂଘର୍ଷଜାରି ରହିଥାଏ ବରାବର । 
୧୯୮୦ ମସିହା ହେଉଛି ଆମ ସାଂସ୍କୃତିକ ଚେତନାର ଏକ ମୋଡ ପରିବର୍ତ୍ତନର କାଳ । ସ୍ୱାଧୀନତା ପରେ ଏ ଜାତି ଭାବିଥିଲା ସ୍ୱାଧୀନ ଚିନ୍ତା, ସ୍ୱାଧୀନ ମନ ନେଇ ବଞ୍ଚôବ । କିନ୍ତୁ ଦୁର୍ଭାଗ୍ୟ ଯେ ବିଦେଶୀ ମାନଙ୍କର ସାଂସ୍କୃତିକ ଉପନିବେଶବାଦ ବା (କଲ·ରାଲ କଲୋନିଆଲିଜ୍ମ) ଆମର ଜନଜୀବନକୁ ଏପରି ଆକ୍ରାନ୍ତ କରିଛି, ତାର ହିସାବ ନାହିଁ । ଭାଗବତ ଘର ଓଷା, ବ୍ରତ, ପର୍ବର ମଉଜ ତଥା ସମୂହ ଜୀବନ ସ୍ରୋତର ଉଚ୍ଛ୍ୱାସକୁ ସାଂସ୍କୃତିକ ଉପନିବେଶବାଦ ଯେମିତି ଗ୍ରାସ କରିଛି, ସେଥିରୁ ନିସ୍ତାର ନାହିଁ । ଆଧୁନିକ ସଭ୍ୟତା ଓ ତାର ଆତ୍ମିକ ପରିଚିତି ହେଉଛି ଆଧୁନିକ ସଂସ୍କୃତି । ଯାହା ଯୁଗ ଯୁଗ ଧରି ପ୍ରଚଳିତ ବିଶ୍ୱର ସାଂସ୍କୃତିକ ଧାରଣା ଗୁଡିକୁ ମୁଳୋତ୍ପାଟନ କରିବା ଦିଗରେ ସମର୍ଥ । 
୧୯୮୦ ପରବର୍ତ୍ତୀ କାଳ କିନ୍ତୁ ଉତ୍ତର ଆଧୁନିକ କାଳ । ଆମର ସମାଜ ଜୀବନ  ସାହିତି୍ୟକ  ଓ ସାଂସ୍କତିକ ଅଭିରୁଚି ତଥା ମୂଲ୍ୟବୋଧ ଦ୍ରୁତ ପରିବର୍ତ୍ତନ ମଧ୍ୟ ଦେଇ ଗତି କରିବାରେ ଲାଗିଛି । ସାମଜ ପରିବର୍ତ୍ତନର ଖିଅ ଗୁଡିକୁ ଯଦି ବିଶ୍ଳେଷଣ କରାଯିବ, ଲାଗିବ ଚତଃୁପାଶ୍ୱର୍ରେ ସବୁ ଯେମିତି ଭାଙ୍ଗି ପଡୁଛି । ଭାଙ୍ଗି ପଡୁଛି ସକଳ ମାନବିକ ସମ୍ପର୍କ । ହଜାର ହଜାର ବର୍ଷ ତଳର ସାଂସ୍କୃତିକ ବିକାଶ ଧାରା ।ମଣିଷ ଭିତରେ ଓ ବାହାରେ ପରିବର୍ତ୍ତନର ଏ ଘନଘଟା ଦେଖିଲେ ବିସ୍ମିତ ହେବାକୁ ପଡେ । ମଣିଷର ଏ କଣ ଅଗ୍ରଗତି? ପ୍ରତି ମୁହୂର୍ତ୍ତରେ ସୁସ୍ଥ ଜୀବନ ବିରୋଧୀ ଶକ୍ତି ମାନଙ୍କ ସହିତ ମଣିଷ ଯେପରି ମୁକାବିଲା କରୁଛି ବା ସାଲିସ କରୁଛି ତାର ଇୟତ୍ତା ନାହିଁ । ଏକ ପ୍ରକାର ଚ୍ଛିନ୍ନମୂଳ ସଂସ୍କୃତିର ଅବହାୱା ସର୍ବତ୍ର । ଘଟଣା ଏଠି ଦୁର୍ଘଟଣାର ରୂପ ନେଉଛି । ଏହି ପରିସ୍ଥିତିରେ ଏ ଗ୍ଲୋବାଲାଇଜେସନ ଯୁଗରେ ଓଡିଆ ନାଟକ ତାର ନୂତନ ବ୍ୟାକରଣ ପ୍ରସ୍ତୁତ କରିଛି । ସାଂସ୍କୃତିକ ଚେତନା ଆଜିର ଚିନ୍ତା ଜଗତରେ ଯେଉଁ ଦ୍ୱନ୍ଦ୍ୱ ଆଣିଛି, ତାର ରୂପାନ୍ତର ହେଉଛି ଏକବିଂଶ ଶତକର ନାଟକ ।  ଭିଟାମାଟି ହରେଇ ମଲ୍ଟି ନେସନାଲ କମ୍ପାନୀର ଦୟାରେ ବଞ୍ଚୁଛି ମଣିଷ । ଏହି ବିସ୍ଥାପିତ ମଣିଷମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟର ଉଚ୍ଚ ଡିଗ୍ରୀଧାରୀ ଥାଇ ଚାକିରିର ମୃଗତୃଷ୍ଣା ପଛରେ ବୁଲି ନିରାଶ ହେଉଥିବା ଯୁବକ ପାଇଁ ପୁଣି କ୍ଷୟିଷ୍ଣୁ ମୂଲ୍ୟବୋଧର ଦାଉରେ ପୀଡିତ ସଂସ୍କୃତି ସଂପନ୍ନ ମଣିଷ ପାଇଁ, ବଞ୍ଚôବାର ବାର୍ତ୍ତା, ଜୀବନର ସମ୍ବାଦ । 
ନାଟକ ଅନେକ କ୍ଷେତ୍ରରେ ସଂସ୍କୃତିର ବିଲୁପ୍ତ ଚିନ୍ତାଧାରାକୁ ପରିପ୍ରକାଶ କରିଛି । ନାଟକ ତେଣୁ ପ୍ରତିବାଦର, ଅଙ୍ଗୀକାରର, ସାମାଜିକ ନିଷ୍ଠୁରତାର, ଅଖଣ୍ଡ ଜୀବନବୋଧର କଥାକୁ ଶକ୍ତିଶାଳୀ ଭାବରେ ପ୍ରକାଶ କରିଛି । ସାହିତ୍ୟର ଏହି ଭୂମିକା ବାସ୍ତବିକ ଗ୍ରହଣଯୋଗ୍ୟ । ସଂସ୍କୃତିର ଅବକ୍ଷୟ ମଧ୍ୟରେ ନାଟକ ଏକ ନୂତନ ସୂର୍ଯେ୍ୟାଦୟକୁ ଅପେକ୍ଷା କରିଛି ।
ଛତିଆ, ଯାଜପୁର
 ମୋ-୯୪୩୭୯୫୭୬୧୭