ସେମିକଣ୍ଡକ୍ଟର କ୍ଷେତ୍ରରେ ପାଦେ ଆଗେଇଲା ଓଡିଶା : ସିକ୍‌ସେମ୍‌ ଭୂମି ପୂଜନରେ ମୋହନ

ସେମିକଣ୍ଡକ୍ଟର କ୍ଷେତ୍ରରେ ପାଦେ ଆଗେଇଲା ଓଡିଶା : ସିକ୍‌ସେମ୍‌ ଭୂମି ପୂଜନରେ ମୋହନ
  • ନିବେଶ ହେବ ୨ ହଜାର କୋଟି 
  • ଆଇଆଇଟିରେ ‘ରିସର୍ଚ୍ଚ ଓ ଇନୋଭେସନ୍‌ ସେଣ୍ଟର’ ସ୍ଥାପିତ
  • ‘ନମୋ ସେମିକଣ୍ଡକ୍ଟର ଲାବୋରୋଟାରୀ’ ପାଇଁ ଅଶ୍ୱିନୀ ଦେଲେ ୫ କୋଟି
  • ଆଇଆଇଟି ଭୁବନେଶ୍ୱରରେ ହେବ ‘ପାୱାର ଇଲୋକ୍‌ଟ୍ରୋନିକ୍‌ସ ହବ୍‌’
  • ବେଙ୍ଗାଲୁରୁ ପରେ, ଓଡ଼ିଶା ଭାରତର ନୂତନ ଆଇଟି ରାଜଧାନୀ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡିଶା ସେମିକଣ୍ଡକ୍ଟର କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢିଛି। ଭୁବନେଶ୍ୱରର ଇନ୍‌ଫୋଭ୍ୟାଲି ଠାରେ ସିକ୍‌ସେମର ଭୂମି ପୂଜନ ସମାରୋହରେ ଯୋଗଦେଇଛନ୍ତି । ସୂଚନାଯୋଗ୍ୟଯେ, ସମୁଦାୟ ୨ ହଜାର କୋଟି ଟଙ୍କାର ପୁଞ୍ଜିନିବେଶରେ ଏହି ମ୍ୟାନୁଫାକ୍‌ଚରିଂ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାଦ୍ୱାରା ପ୍ରାୟ ୧ ହଜାର ପେଶାଦାରମାନଙ୍କୁ ନିଯୁକ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

   ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ସେମିକଣ୍ଡକ୍ଟର କ୍ଷେତ୍ରରେ ଓଡିଶାର ବିକାଶ ଯାତ୍ରା ଆହୁରି ମଜବୁତ୍‌ ହେଉଛି । ଏହି ମୁହୂର୍ତ୍ତ କେବଳ ଇଟା ଏବଂ ସିମେଣ୍ଟ ବିଷୟରେ ନୁହେଁ; ଏହା ଆକାଂକ୍ଷା, ସ୍ଥିରତା, ସହଯୋଗ, ଏବଂ ଆତ୍ମନିର୍ଭରଶୀଳତାର ଉଦାହରଣ । ଏଥିରେ ଯେଉଁ ସେମିକଣ୍ଡକ୍ଟର ନିର୍ମିତ ହେବ, ତାହା ମିଜାଇଲ, ଇଲେକ୍‌ଟ୍ରୋନିକ୍‌ ଗାଡି, ପ୍ରତିରକ୍ଷା ଇକ୍ୟୁପ୍‌ମେଣ୍ଟ, ରେଲୱେ ଓ ସୌରଶକ୍ତି ଭଳି ଆଧୁନିକ କ୍ଷେତ୍ରରେ ବ୍ୟବହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେଯେ, ଆଜି ଭୁବନେଶ୍ୱର ଆଇଆଇଟିରେ ମଧ୍ୟ ସେମିସେକ୍‌ କମ୍ପାନୀ ୬୪ କୋଟି ଟଙ୍କା ବିନିଯୋଗରେ ଏକ ରିସର୍ଚ୍ଚ ଆଣ୍ଡ ଇନୋଭେସନ ସେଣ୍ଟର ସ୍ଥାପନ କରିଛି । ସେହିପରି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କ ସାଂସଦ ପାଣ୍ଠିରୁ ୫ କୋଟି ଟଙ୍କା ବିନିଯୋଗ କରି ଆଇଆଇଟି ଭୁବନେଶ୍ୱରରେ ଏକ ‘ନମୋ ସେମିକଣ୍ଡକ୍ଟର ଲାବୋରେଟୋରି’ ସ୍ଥାପନ ପାଇଁ ଅନୁମୋଦନ ଦେଇଛନ୍ତି । ଏହା ସ୍ଥାପନ ହେବା ଦ୍ୱାରା ଛାତ୍ରଛାତ୍ରୀମାନେ ସେମିକଣ୍ଡକ୍ଟର ସମ୍ପର୍କରେ ଅଧିକ ଗବେଷଣାର ସୁଯୋଗ ପାଇବେ ।

   ମୁଖ୍ୟମନ୍ତ୍ରୀ କହିଥିଲେ, ଯାହା ପୂର୍ବରୁ ବର୍ଷ ବର୍ଷ ସମୟ ଲାଗି ଯାଉଥିଲା ତାହା ଏବେ ମାସକରେ ସମ୍ପୂର୍ଣ୍ଣ ହେଉଛି । ଏହା ହେଉଛି ନୂତନ ଭାରତର ଗତି ଏବଂ ଶକ୍ତି । ବେଙ୍ଗାଲୁରୁ ପରେ, ଆଜି ଓଡ଼ିଶା ଭାରତର ନୂତନ ଇଲେକ୍‌ଟ୍ରୋନିକ୍ସ ଏବଂ ଆଇଟି ରାଜଧାନୀ ଭାବରେ ଉଭା ହେଉଛି । "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ, ଭାରତ ଚିପ୍‌ରୁ ସିପ୍‌ ପର୍ଯ୍ୟନ୍ତ ସମସ୍ତ ମିଶନରେ ଆଗକୁ ବଢୁଛି । ସେମିକଣ୍ଡକ୍ଟର ଏବଂ ଇଲେକ୍‌ଟ୍ରୋନିକ୍ସ ଉତ୍ପାଦନରେ ଆତ୍ମନିର୍ଭରଶୀଳତାର ଓଡିଶା ଏକ ନୂତନ କାହାଣୀ ସୃଷ୍ଟି କରୁଛି ବୋଲି ସେ କହିଥିଲେ । ସେ ପୁଣି କହିଥିଲେ ପ୍ରଧାନମନ୍ତ୍ରୀଙ୍କ ସେମିକଣ୍ଡକ୍ଟର ମିଶନ୍‌ର ସଫଳତାରେ ଓଡିଶା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି । ଦିଲ୍ଲୀରେ ମଧ୍ୟ ଦୁଇଟି କମ୍ପାନୀ ଓଡିଶାରେ ସେମିକଣ୍ଡକ୍ଟର ୟୁନିଟ ପ୍ରତିଷ୍ଠା ପାଇଁ ଏମଓୟୁ କରିଥିଲେ । ଆଗାମୀ ଦିନରେ ଏହି ଦୁଇ କମ୍ପାନୀ ଓଡିଶାରେ ପ୍ରାୟ ୩ ହଜାର କୋଟି ଟଙ୍କା ନିବେଶ କରିବେ । ସେମିକଣ୍ଡକ୍ଟର କ୍ଷେତ୍ରରେ ଦେଶରେ ଓଡିଶା ଏକ ହବ୍‌ ଭାବେ ପରିଗଣିତ ହେବ ।

   କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଗଦେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ ସାକାର ହେଉଛି । ଓଡିଶା ପୂର୍ବୋଦୟର ଗେଟ-ୱେ ଭାବେ ବିକଶିତ ହେଉଛି । ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ଶିଳ୍ପ ଏବଂ ଶିକ୍ଷାକୁ ସମନ୍ୱୟ କରି ଆଜି ଆଇଆଇଟି ଭୁବନେଶ୍ୱରରେ ‘ନମୋ ସେମିକଣ୍ଡକ୍ଟର ଲାବୋରେଟୋରି’ ସ୍ଥାପନ କରାଯିବ ବୋଲି ସେ ଘୋଷଣା କରିଥିଲେ । ଆଜି ଯୁବ ପିଢି ପାଇଁ ଏ କ୍ଷେତ୍ରରେ ନିଜର ଅଧିକ ଜ୍ଞାନ ଆହରଣ ଓ ଗବେଷଣ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ହେବ । କାର୍ଯ୍ୟକ୍ରମରେ ଯୋଗଦେଇ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଥିଲେଯେ, ଆଇଟି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ସେମିକଣ୍ଡକ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରୁଛି । ଓଡିଶା ଏହି ଗୁରୁ ଦାୟିତ୍ୱକୁ ବହନ କରି ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ବିକଶିତ ଭାରତର ସ୍ୱପ୍ନକୁ ସାକାର କରୁଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ଶ୍ରୀପଦ କର୍ମଲ୍‌କର୍‌, ଆର୍କେନ୍‌ କେମିକାଲ୍‌ ଇଣ୍ଡଷ୍ଟ୍ରିଜ୍‌ର ଏମଡ଼ି ରଞ୍ଜିତ ପେଣ୍ଡୁର୍ଥୀ, ସିକ୍‌ସେମ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମଡ଼ି ଗୁରୁ ଥାଲ୍ଲାପାନେନୀ, କ୍ଲାସ୍‌-ସିକ୍‌ ୱାଫର୍‌ ଫ୍ୟାବ୍‌ ଲିମିଟେଡର ସିଇଓ  ମିସ୍‌ ଜେନିଫର୍‌ ୱାଲ୍‌ସ ପ୍ରମୁଖ ଉପସ୍ଥିତ ଥିଲେ ।