ବଢ଼ିଲା ବବିଙ୍କ ଅଡୁଆ : ମାମଲା ରୁଜୁ କଲା ପୁଲିସ୍
ଗିରଫ କରିବାକୁ ବିଜେପିର ଦାବି
ଭୁବନେଶ୍ୱର : ପ୍ରଣବ ପ୍ରକାଶ ଦାସଙ୍କ ଅଡୁଆ ବଢ଼ିଛି । ଜିତୁ ଗଡ଼ବଙ୍ଗଙ୍କୁ ଆକ୍ରମଣ ଅଭିଯୋଗରେ ପୁଲିସ୍ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି । ବିଏନଏସର ଧାରା ୧୨୬ (୨), ୨୯୬, ୧୧୫ (୨), ୩୫୧ (୨) ଓ ୩ (୫) ଆଦି ଦଫା ଲାଗିଛି । ପ୍ରଣବଙ୍କ ସହ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାମରେ ବି ସମାନ ମାମଲା ଓ ଦଫା ଲାଗିଛି । ଅପରପକ୍ଷରେ ବିଜେପି ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।
ଅପରପକ୍ଷରେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତିଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧିମଣ୍ଡଳୀ ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରାଯାଇଛି । ସେ କହିଛନ୍ତିଯେ, ଅକ୍ଟୋବର ୩୦ରେ ବିଜେପି ସମର୍ଥକ ତଥା ନୂଆପଡାର ଅନୁସୂଚିତ ଜାତିବର୍ଗର ଯୁବକ ଜିତୁ ଆଡବଙ୍ଗଙ୍କୁ ଦିନ ଦ୍ୱିିପହରେ ବିଜେଡି ନେତା ପ୍ରଣବ ଦାସ (ବବି) ଓ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ ଉଭୟ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡମାରି ହତ୍ୟା ଧମକ ଦେଇଥିଲେ । ବିଜେପି ପାଇଁ ପ୍ରଚାର ନକରିବାକୁ ତାଗିଦ କରିଥିଲେ । ଯାହାକି ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ । ଅବାଧ ଓ ଅପରାଧମୁକ୍ତ ନିର୍ବାଚନ ପାଇଁ ଅଭିଯୁକ୍ତ ବବି ଦାସ ଓ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କୁ ତୁରନ୍ତ ଗିରଫ କରିବାକୁ ବିଜେପି ପ୍ରତିନିଧିମଣ୍ଡଳୀ ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରାଯାଇଛି । ଏହି ପ୍ରତିନିଧିମଣ୍ଡଳୀରେ ସାଂସଦ ଅନୀତା ଶୁଭଦର୍ଶିନୀ, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜେନ୍ଦ୍ର ପଣ୍ଡା, ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ଏବଂ ପ୍ରବକ୍ତା ତୃପ୍ତିମୟୀ ମକଦ୍ଦମ ପ୍ରମୁଖ ଉପସ୍ଥିତ ଥିଲେ ।
ନୂଆପଡ଼ାରେ ଏନେଇ ସାମ୍ବାଦିକ ସମ୍ମିଳନୀ କରି ବିଜେପି ନେତା ଖାମ ସିଂ ମାଝୀ କହିଛନ୍ତିଯେ, ନବୀନଙ୍କ ସଭା ପୂର୍ବରୁ ବିଜେଡି ନେତା ଓ କର୍ମୀଙ୍କ ହତାଶା ମନୋଭାବ ପ୍ରକାଶ ପାଇଛି । ନୂଆପଡା ଉପନିର୍ବାଚନ ପାଇଁ ଦାୟିତ୍ୱରେ ଥିବା ପୂର୍ବତନ ବିଧାୟକ ବବି ଦାସ ଏବଂ ତାଙ୍କ ସହଚରମାନେ ଲୋକଙ୍କୁ ବଳପୂର୍ବକ ସଭାରେ ନେବା ପାଇଁ ଭୟ ଓ ହିଂସାର ଆଶ୍ରୟ ନେଉଛନ୍ତି । ଗତ ୩୦ ତାରିଖ କୋମନା ବ୍ଲକ ଅନ୍ତର୍ଗତ ପାଇକପଡା ବାସିନ୍ଦା ଜିତୁ ଆଡବାଙ୍ଗଙ୍କୁ ଡାକି ଅତ୍ୟନ୍ତ ଖରାପ ଭାଷାରେ ଗାଳି ଦେବା ସହିତ ମାଡ ମାରିବା ଓ ଜୀବନରୁ ମାରି ଦେବାକୁ ଧମକ ଦେବା ଅତ୍ୟନ୍ତ ଲଜ୍ଜାଜନକ । ଏଥିରେ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ, ସ୍ଥାନୀୟ ନେତା ତଥା ବିଜେଡି ଆଶାୟୀ ପ୍ରାର୍ଥୀ ମନୋଜ ମିଶ୍ର ଖୋଲାଖୋଲି ସହଯୋଗ କରିଛନ୍ତି । ବିଜେଡି ନେତାଙ୍କ ଏଭଳି ହିଂସାତ୍ମକ ଆଚରଣକୁ ନୂଆପଡାବାସୀ ଆଦୌ କ୍ଷମା ଦେବେ ନାହିଁ । ଆଗାମୀ ଉପନିର୍ବାଚନରେ ସେମାନଙ୍କୁ ଉଚିତ ଜବାବ ଦେବେ ବୋଲି ଶ୍ରୀ ମାଝୀ କହିଛନ୍ତି । ଏହି ଅବସରରେ ରାଜ୍ୟ ପ୍ରବକ୍ତା ତଥା କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଉପସ୍ଥିତ ଥିଲେ ।