ସୋନିଆ, ରାହୁଲ୍ ଓ କଂଗ୍ରେସ କ୍ଷମା ମାଗନ୍ତୁ
ନୂଆଦିଲ୍ଲୀ/ଭୁବନେଶ୍ୱର : ସଂସଦରେ ମାନ୍ୟବର ରାଷ୍ଟ୍ରପତିଙ୍କ ଭାଷଣ ଉପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧି ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ । ଏହି ବୟାନ କଂଗ୍ରେସର ସାମନ୍ତବାଦୀ ମାନସିକତା, ସେମାନଙ୍କ ଅହଂକାର ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟରୁ ଆସିଥିବା ରାଷ୍ଟ୍ରପତିଙ୍କ ପ୍ରତି ଥିବା ନିରାଶା ଭାବନାକୁ ପ୍ରତିଫଳିତ କରୁଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କଂଗ୍ରେସର ଚିନ୍ତାଧାରା ସବୁବେଳେ ଏସ୍ସି-ଏସଟି-ଓବିସି ବିରୋଧୀ । କଂଗ୍ରେସ ପୁଣି ଥରେ ସେହି ହୀନ ମାନସିକତାର ପରିଚୟ ଦେଇଛି । ଦେଶର ସର୍ବୋଚ୍ଚ ପଦବୀରେ ଦାୟିତ୍ୱରେ ରହୁଥିବା ଦଳିତ, ଅବହେଳିତ ଓ ପଛୁଆ ସମ୍ପ୍ରଦାୟର ଲୋକମାନଙ୍କୁ କଂଗ୍ରେସ ନେତାମାନେ କେବେ ବି ବରଦାସ୍ତ କରିପାରିବେ ନାହିଁ । କଂଗ୍ରେସ କେବଳ ଏସଟି ସମ୍ପ୍ରଦାୟକୁ ଅପମାନିତ କରିନାହିଁ ବରଂ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଅସମ୍ମାନ କରିଛି । ଜଣେ ମହିଳା ଏବଂ ଓଡ଼ିଶାକୁ ଅପମାନିତ କରିଛନ୍ତି । ରାଷ୍ଟ୍ରପତିଙ୍କ ବିରୋଧରେ ଅପମାନସୂଚକ ମନ୍ତବ୍ୟ ଦେଇଥିବାରୁ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ କଂଗ୍ରେସ ଦଳ କ୍ଷମା ମାଗିବା ଦରକାର ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।