କୋଲକାତାରେ ଇଡି-ଦିଦି ମୁହାଁମୁହିଁ : ଆଇ-ପିଏସି କାର୍ଯ୍ୟାଳୟରେ ଇଡି ଚଢାଉ
ବାଧା ଦେଲେ ମମତା, କୋର୍ଟଙ୍କ ଦ୍ୱାରସ୍ଥ ଇଡି
କୋଲକାତା : କୋଲକାତାରେ ଦେଖିବାକୁ ମିଳିଛି ହାଇ-ଡ୍ରାମା । ଆଇ-ପିଏସି କାର୍ଯ୍ୟାଳୟରେ ଇଡି ଚଢାଉକୁ ନେଇ ମୁହାଁମୁହିଁ ହୋଇଛନ୍ତି ଇଡି ଆଉ ଦିଦି । ମନି ଲଣ୍ଡରିଂର ତଦନ୍ତ କରୁଥିବା ଇଡି ରାଜନୈତିକ ପରାମର୍ଶଦାତା ସଂସ୍ଥା ଆଇ-ପିଏସିରେ ଆଜି ଚଢାଉ କରିଥିଲା । ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେଠାରେ ପହଞ୍ଚଯାଇ ତୀବ୍ର ବିରୋଧ କରିଥିଲେ । ଏହାସହ ଇଡି ତୃଣମୂଳ କଂଗ୍ରେସ (ଟିଏମସି)ର ଡକ୍ୟୁମେଣ୍ଟ ଚୋରି କରି ନେଇଥିବାର ଅଭିଯୋଗ ଆଣିଛନ୍ତି । ତଦନ୍ତରେ ବାଧା ଦେବା ଅଭିଯୋଗରେ ଇଡି ମମତାଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । କେନ୍ଦ୍ରୀୟ କୋଲକାତାରେ ଥିବା ଆଇ-ପିଏସିର ମୁଖ୍ୟ ପ୍ରତୀକ ଜୈନଙ୍କ ବାସଭବନ ଓ ସଲ୍ଟ ଲେକର ସେକ୍ଟର ଭି ସ୍ଥିତ ଗୋଦରେଜ ୱାଟରସାଇଡ୍ କୋଠାରେ ଫାର୍ମର କାର୍ଯ୍ୟାଳୟରେ ଆଜି ସକାଳେ ଇଡି ତଲାସୀ କରିଥିଲା । ଜୈନଙ୍କୁ ମମତା ବାନାର୍ଜୀଙ୍କ ନିର୍ବାଚନ ରଣନୀତି ଦଳର ଜଣେ ପ୍ରମୁଖ ସଦସ୍ୟ ଭାବରେ ବର୍ଣ୍ଣନା କରାଯାଇଛି । ଚଢାଉ ଖବର ପ୍ରସାରିତ ହେବା ମାତ୍ରେ ଟିଏମସି ନେତାମାନେ ସଲ୍ଟ ଲେକ କାର୍ଯ୍ୟାଳୟ ବାହାରେ ଏକାଠି ହେବା ଆରମ୍ଭ କରିଥିଲେ । ବଢ଼ୁଥିବା ଉତ୍ତେଜନା ମଧ୍ୟରେ ବିଧାନନଗର ପୁଲିସ କମିଶନର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ପରେ ସେଠାରେ ପହଞ୍ଚଥିଲେ । ପରେ ଦିଦି ସେକ୍ଟର ଭି କାର୍ଯ୍ୟାଳୟ ଆଡକୁ ଚାଲିଯାଇଥିଲେ । ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତା କରି ଦିଦି ଅଭିଯୋଗ କରିଥିଲେ ଯେ ଇଡି ଚଢାଉ ତାଙ୍କ ଦଳର ଆଭ୍ୟନ୍ତରୀଣ ରାଜନୈତିକ ସାମଗ୍ରୀ ପାଇବା ପାଇଁ ଥିଲା ।
ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଇଡି ଟିଏମସିର ପ୍ରାର୍ଥୀ ତାଲିକା, ଦଳୀୟ ରଣନୀତି, ଯୋଜନା ଓ ଗୋପନୀୟ ଡକ୍ୟୁମେଣ୍ଟ ସଂଗ୍ରହ କରିବାକୁ ଆମ କାର୍ଯ୍ୟାଳୟକୁ ଆସିଥିଲା ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି । ଏନେଇ ସିଧାସଳଖ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରି ଏହି କାର୍ଯ୍ୟର ଆୟୋଜନ କରୁଥିବା ଅଭିଯୋଗ କରିଛନ୍ତି । ଦେଶକୁ ସୁରକ୍ଷିତ ରଖିପାରୁନଥିବା ଘୃଣ୍ୟ ଓ ଦୁଷ୍ଟ ଗୃହମନ୍ତ୍ରୀ ଏହାର ପଛରେ ଅଛନ୍ତି । ଅମିତ ଶାହ ଆମ ଦଳର ପ୍ରାର୍ଥୀ ତାଲିକା ସଂଗ୍ରହ କରିବାକୁ ଚାହୁଁଛନ୍ତି, ସେ କହିଛନ୍ତି ଗୋଟିଏ ମାମଲାରେ ନାମ ଡିଲିଟ୍ କରାଯାଉଥିବା ବେଳେ ଅନ୍ୟ ମାମଲାରେ ଡକ୍ୟୁମେଣ୍ଟ ନିଆଯାଇଥିଲା । ସେ କହିଛନ୍ତି ଯେ ଚଢାଉ ବିଷୟରେ ଜାଣିବା ପରେ ସେ ବ୍ୟକ୍ତିଗତ ଭାବରେ ହସ୍ତକ୍ଷେପ କରିଥିଲେ । ଭାରତୀୟ ରାଜନୈତିକ କାର୍ଯ୍ୟ କମିଟିର ସହ-ପ୍ରତିଷ୍ଠାତା ଜୈନ ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି)ର ଆଇଟି ସେଲର ମଧ୍ୟ ମୁଖ୍ୟ । ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଦ୍ୱାରା ପ୍ରତିଷ୍ଠିତ ଆଇ-ପାକ ବିଶେଷକରି ୨୦୧୯ ନିର୍ବାଚନ ପରେ ଟିଏମସି ଓ ରାଜ୍ୟ ସରକାରଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି ।
Samir Kumar Rout