ଭାରତର ବିବିଧତା ଓ ବିଶେଷତା


ଅପାର ବୈଭବ, ଅବିଶ୍ୱସନୀୟ ଉପଲବ୍ଧି, ଯାହା ବିଶ୍ୱର ଅନ୍ୟ କେଉଁଠି ନାହିଁ ତାହା ଭାରତରେ ରହିଛି । ଯେଉଁ କାମ କେହି କରିପାରିବେ ନାହିଁ ସେହି କାମ ଭାରତୀୟ କରିପାରିବେ । ଏକଥା ମିଛନୁହେଁ, ଭାରତର ସମ୍ପର୍କରେ ଆସିଥିବା ବିଦେଶୀ ଦାର୍ଶନିକ ମାନେ ଏକଥା କହିଛନ୍ତି । ଭାରତର ଭୌଗୋଳିକ ସଂରଚନା ଏମିତି ଯେ ବିଶ୍ୱରେ ଯେଉଁଠି ବି ଯାହାକିଛି ହେଉଛି ତାହା ଭାରତରେ ମଧ୍ୟ ହୋଇପାରିବ । କାରଣ ଆଣ୍ଟାର୍କଟିକା ଠାରୁ ନେଇ ଭୂମଧ୍ୟ ରେଖା ପର୍ଯ୍ୟନ୍ତର ଜଳବାୟୁ ଏବଂ ଭୂ-ଭୌତିକୀ ଯାହା ଅନ୍ୟତ୍ର ରହିଛି ତାହା ଭାରତରେ ଅନେକ ସ୍ଥାନରେ ଦେଖିବାକୁ ମିଳେ । ବିଶାଳ, ସମୁଦ୍ରତଟ, ବିସ୍ତୁତ ଜଙ୍ଗଲ, ହିମାଛାଦିତ ପର୍ବତ- ଶୃଖଳା, ମରୁସ୍ଥଳ, ପଠା, ନଦୀ, ଜଳାଶୟ, ଯଦି ସକୁ କିଛି କେଉଁ ଦେଶରେ ରହିଛି ସେହି ଦେଶ ହେଉଛି ଭାରତ ଏବଂ ଏହାର କାରଣ ହେଉଛି ବିଶ୍ୱର ଅଧିକାଂଶ ଜୀବ ପ୍ରଜାତି ଭାରତରେ ଉପଲବ୍ଧ । ଏପରିକି ଯେଉଁ ପ୍ରଜାତି ନାହାଁନ୍ତ ସେମାନଙ୍କ ନିର୍ବାହ ଭାରତରେ ମଧ୍ୟ ସମ୍ଭବ । ପ୍ରକୃତି ଭାରତ ପ୍ରତି ଅତ୍ୟଧିକ ଦୟା ପ୍ରଦର୍ଶନ କରିଛି ଯାହାକୁ ଦେଖି ବିଶ୍ୱର ଅନେକ ଦେଶ ଈର୍ଷାନ୍ୱିତ । ସୁନା, ରୁପା, ତମ୍ବା, ଲୁହା, ଜିଙ୍କ, ହୀରା, ନୀଳା, ମୋତି ଯେଉଁସବୁକୁ ପ୍ରାଚୀନ କାଳରେ ମୂଲ୍ୟବାନ ବୋଲି କୁହାଯାଉଥିଲା ସେ ସବୁ ମଧ୍ୟ ଭାରତରେ ରହିଛି । ଅନେକ ବିଦେଶୀ ଦାର୍ଶନିକ ଐତିହାସିକ ଭାରତକୁ ନେଇ ହୃଦୟଗ୍ରାହୀ ଚିତ୍ରଣ କରିଛନ୍ତି । କିନ୍ତୁ ଆମ ଦେଶର ନେତୃତ୍ୱ ଏକଥା ବୁଝିପାରୁନାହାଁନ୍ତି । କେମିତି ବିଶ୍ୱର ସବୁ ମାନବ ପ୍ରଜାତିର ନମୁନା ଭାରତରେ ଏକତ୍ରିତ ହୋଇଛି ଏ କଥାକୁ ଯେତେ ବୁଝିବାକୁ ଉଦ୍ୟମ କଲେ ବି ବୁଝିହେଉ ନାହିଁ । ଭାରତୀୟ ସମାଜକୁ ବୁଝିବା ମଧ୍ୟ ସହଜ ନୁହେଁ । ଅସଂଖ୍ୟ ମାନବ ସମୁଦାୟର  ଜିନ୍ ମଧ୍ୟ ପରିସ୍ଥିତି ଅନୁସାରେ ଏଠାକୁ ଆସିଛି ଓ ଏଠାରେ କାୟା ବିସ୍ତାର କରିଛି । କିଛି ମଧ୍ୟ ଅନ୍ୟ ଆଡକୁ ଚାଲିଯାଇଛନ୍ତି । ଏତେ ସମୁଦାୟ ରହିଥିବା କାରଣରୁ ପ୍ରାକ୍ କାଳରୁ ଭାରତ ମଧ୍ୟ ଅଧିକ ଜନସଂଖ୍ୟା ବିଶିଷ୍ଟ କ୍ଷେତ୍ର ଭାବେ ପରିଚିତ । ଯେଉଁମାନେ ଏଠାକୁ ଆସିଛନ୍ତି ସେମାନେ ନିଜର କୌଶଳ ଏବଂ ଜୀବିକା ସାଧନକୁ ସାଥିରେ ଆସିଛନ୍ତି । ପରସ୍ପର ଭିନ୍ନତା ସତ୍ତ୍ୱେ କୌଶଳର ଆଦାନ ପ୍ରଦାନ ହେଉଥିଲା ଏବଂ ପରସ୍ପର ମଧ୍ୟରେ ଭାଷା, ସଂସ୍କୃତି ଏବଂ ଖାଦ୍ୟ ପାନୀୟକୁ ନେଇ ବିବାଦ ନଥିଲା । କିନ୍ତୁ ନିଜର ପରିଚୟକୁ ଜାହିର କରିବାର ଚିନ୍ତା ଥିଲେ ମଧ୍ୟ କେହି କାହାର ବ୍ୟକ୍ତିଗତ ମାମଲାରେ ହସ୍ତକ୍ଷେପ କରୁନଥିଲେ ।
ଆର୍ଥôକ ଏବଂ ସାମାଜିକ ଗତିବିଧି କାରଣରୁ ବୃହତ୍ତର ସାମାଜିକ ସଂରଚନାର ନିର୍ମାଣ କ୍ରମରେ ବଡ଼ ଭୂଭାଗରେ ପାରସ୍ପରିକ ବିଲୟ ପରେ ମଧ୍ୟ ସମସ୍ତଙ୍କୁ ନିଜ ନିଜର ରୀତିନୀତି ପାଇଁ ସ୍ୱାଧୀନତା ମିଳିଥିଲା । ଏହି କାରଣରୁ ପୁରୁଣା ପରିଚୟ ହଜି ଯାଉଥିଲେ ବି ସମସ୍ତେ ମିଳିମିଶି ରହୁଥିଲେ ଓ ପରସ୍ପର ବିରୋଧୀ ମୂଲ୍ୟ ଏବଂ ମାନ୍ୟତାକୁ ମଧ୍ୟ ସ୍ୱୀକାର କରିନେଇଥିଲେ । ବିବାହ ଠାରୁ ଆରମ୍ଭ କରି ଅନ୍ତ୍ୟେଷ୍ଟିର ଅନେକ ରୂପ ଶାସ୍ତ୍ରୀୟ ଏବଂ ସାମାଜିକ ସ୍ୱୀକୃତି କାରଣରୁ ପ୍ରଚଳିତ ରହିଛି । ଏକଥା ଭିନ୍ନ ଯେ ସମୁଦାୟ ମାନେ ସେମାନଙ୍କ ସଂସ୍କୃତି ଓ ସାମାଜିକ ଚଳଣିକୁ ଅନ୍ୟମାନଙ୍କ ଠାରୁ ଅଧିକ ଭଲ ବୋଲି କହିଥାନ୍ତି । ବିବାହର ଆଠ ରୀତି ବାବଦରେ ଶାସ୍ତ୍ରୀୟ ବିଧାନ ରହିଛି ପରନ୍ତୁ ଅନ୍ତ୍ୟେଷ୍ଟି ବାବଦରେ ସାହିତ୍ୟ ଏବଂ ଲୋକ ଚଳଣି ହିଁ ଆମର ମାର୍ଗଦର୍ଶକ ଅଟେ । ଜଳପ୍ରବାହ, ଅଗ୍ନିଦାହ, ଅର୍ଘଦାହ, ସମାଧି ଭଳି ପ୍ରଥା ରହିଛି । କେତେକ ପ୍ରଥା ବର୍ତ୍ତମାନ ବି ଚାଲିଛି । ଅନେକ ପ୍ରଥା ସମ୍ପର୍କରେ ଲିଖିତ ତଥ୍ୟ ନାହିଁ କିନ୍ତୁ ସେସବୁ ଚାଲିଛି । ଏସବୁ ପରେ ସବୁଠାରୁ ମହତ୍ୱପୁର୍ଣ୍ଣ ବିକାଶ ଏହି ମହାସଙ୍ଗମ କାରଣରୁ ସମ୍ଭବ ହୋଇ ପାରିଥିଲା ତାହା ହେଉଛି ଜୀବିକାର କୃତ୍ରିମ ଉପାୟ । ପ୍ରଥମେ କୃଷି ତା ପରେ ବିଭିନ୍ନ ବାଗ୍ବଗି· ଏବଂ ପଣୁପାଳନ ଜୀବିକାର୍ଜନର ପ୍ରମୁଖ ବ୍ୟବସ୍ଥା ଥିଲା । ପରବର୍ତ୍ତୀ ସମୟରେ ଏଥିରେ ଢ଼େର ବିକାଶ ଘଟିଛି । ହିଂସ୍ର, ବିଷାକ୍ତ ଏବଂ ବିଶାଳ ଜୀବ ଯେଉଁ ମାନଙ୍କୁ ପ୍ରଶିକ୍ଷଣ ଦେବା କଷ୍ଟକର ଏବଂ ପାଳନ ଅନୁପଯୋଗୀ ସେମାନଙ୍କୁ ଛାଡି ଅନ୍ୟ ସମସ୍ତ ଜୀବଙ୍କୁ ପାଳନ କରାଗଲା । କେତେକ ଜୀବଙ୍କୁ ମନୋରଞ୍ଜନର ସାଧନ ଭାବେ ବ୍ୟବହାର କରାଗଲା । ଦୁନିଆର ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ହେଉଛି ବିଶ୍ୱ ସମୁଦାୟ ଭାରତକୁ  ଭୂଭାଗର ସ୍ୱର୍ଗ- ହିନ୍ଦୁସ୍ଥାନ ଭାବିବାକୁ ଲାଗିଛି । ଯେଉଁମାନେ ଅନ୍ୟ ଭୂଭାଗରୁ ଏଠାକୁ ଆସିଥିଲେ ଓ ବସବାସ କଲେ ସେମାନେ ଏଠାକାର ସମୁଦାୟଙ୍କ ସହ ମିଶି ଏହାକୁ ସ୍ୱର୍ଗଠାରୁ ଶ୍ରେଷ୍ଠ ସ୍ୱର୍ଗାଦପି ଗରୀୟସୀ ମାନୁଥିଲେ ଓ ପାରସ୍ପର ମଧ୍ୟରେ ସୌହାର୍ଦ୍ଦ୍ୟ ପୁର୍ଣ୍ଣ ବାତାବରଣ ସୃଷ୍ଟି କରି ରହିଲେ । ବିବିଧତା ମଧ୍ୟରେ ଏକତା ଥିଲା ଭାରତର ସୌନ୍ଦର୍ଯ୍ୟ ଯାହା ଏବେବି ରହିଛି ।  ହଜାର ବର୍ଷ ପୁବର୍ର ଦୁନିଆ କଥା ଯଦି କହିବା ତେବେ ଭାରତ ବାହାର ଜଗତ ପାଇଁ ଏକ ଆଶ୍ଚର୍ଯ୍ୟଲୋକ ବା ଭୂଭାଗ ଥିଲା । ପ୍ରକୃତି ଏହି ଭାରତ ଭୂଭାଗକୁ ଅନେକ କିଛି ଦେଇଛି ଯାହା ଅନ୍ୟ ଭୂଭାଗରେ ନାହିଁ । ଅନେକ ପ୍ରଜାତିର ଜୀବଜନ୍ତୁ, ସରୀସୃପ, କୁସ୍ତୁରୀମୃଗଠାରୁ ନୀଳଗାଇ ଏବଂ ହରିଣର ବିଭିନ୍ନ ପ୍ରଜାତି ଭାରତରେ ଅଛନ୍ତି । ଜଙ୍ଗଲରେ ଅନେକ ପ୍ରକାର ଫଳ, ମୂଳ ରହିଛି । ଅନେକ ପ୍ରକାରର ବନଷ୍ପତି ମଧ୍ୟ ରହିଛି । ଏହା ହେଉଛି ବିବିଧତା ଯାହା ବିଶ୍ୱର ଅନ୍ୟ କୌଣସି ଠାରେ ଦେଖିବାକୁ ମିଳେନାହିଁ ।  ଏଠି ସହ ଅସ୍ତିତ୍ୱର ବିବିଧତା ରହିଛି ଯାହା ଏକ ପ୍ରମୁଖ ବିଶେଷତା ।
                                        ରାମଚନ୍ଦ୍ରପୁର, ରଣପୁର
                               ମୋ:୯୪୩୮୪୮୫୦୯୪