ହସ୍ପିଟାଲର ବାଇକ ଚୋରି; ୪ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର, ୨୨ା୧ : ହାଇଟେକ୍ ହସ୍ପିଟାଲ ପାର୍କିଂରୁ ବାଇକ ଚୋରି ଅଭିଯୋଗ । ଏନେଇ ମଞ୍ଚେଶ୍ୱର ଥାନା ପୁଲିସ ମାମଲା ରୁଜୁକରି ଆଜି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଏକ ବାଇକ ଜବତ କରାଯିବା ସହ ସେମାନଙ୍କ ନାମରେ ପୂର୍ବରୁ ଥାନାରେ ୯ଟି ଅପରାଧୀକ ମାମଲା ରହିଥିବା ଜଣାପଡ଼ିଛି । ଗିରଫ ୪ ଅଭିଯୁକ୍ତ ହେଲେ, କେନ୍ଦ୍ରପଡ଼ା ଜିଲ୍ଲାର ବିନିତ କୁମାର ଲେଙ୍କା, ଶିବ ନାରାୟଣ ସାହୁ, ଦିଲିପ୍ କୁମାର ଗୋଛାୟତ ଓ ପ୍ରଦୀପ୍ ରଞ୍ଜନ ଜେନା । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖ ଅଭିଯୋଗକାରୀ ପ୍ରଦୀପ୍ ଛୋଟରାୟ ନିଜର ବ୍ୟକ୍ତିଗତ କାମରେ ହାଇଟେକ୍ ହସ୍ପିଟାଲକୁ ଯାଇଥିବା ବେଳେ, ସେଠାରେ ଥିବା ପାର୍କିଂରେ ନିଜର ବାଇକକୁ ପାର୍କିଂ କରି ଭିତରକୁ ଯାଇଥିଲେ । ପରେ ସେ ବାହାରକୁ ଆସି ଦେଖିଲା ବେଳକୁ ତାଙ୍କର ବାଇକଟି ଚୋରି ହୋଇଯାଇଥିବା ଜାଣି ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ହସ୍ପିଟାଲର ସିସିଟିଭି କ୍ୟାମେରାକୁ ଯାଞ୍ଚ କରି ଘଟଣାର ୭ ଦିନ ମଧ୍ୟରେ ଆଜି ୪ ଜଣ ଲୁଟେରାଙ୍କୁ କେନ୍ଦ୍ରପଡ଼ାରୁ ଗିରଫ କରାଯାଇଛି ।