ଆକ୍ସନ ମୋଡରେ ସିପି - ଡ଼ିସିପି : ରାଜଧାନୀରେ ଚାଲିଛି ସେଫ୍ ସିଟି ଡ୍ରାଇଭ୍
ଭୁବନେଶ୍ୱର, ୨୨ା୧ : ସହରରେ ଘଟୁଥିବା ବିଭିନ୍ନ ଅପରାଧକୁ ହ୍ରାସ କରିବା ନିମନ୍ତେ ଗତ ୨ ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡ଼ିଜିପିଙ୍କୁ କଡ଼ା ତାଗିଦ୍ କରିଥିବା ବେଳେ ଆକ୍ସନ ମୋଡକୁ ଆସିଛି କମିଶନରେଟ୍ ପୁଲିସ । ଟୁଇନ୍ସିଟିର ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ ତଥା ଭୁବନେଶ୍ୱର ଡ଼ିସିପି ପିନାକ ମିଶ୍ରଙ୍କ ନିଦେ୍ର୍ଦଶ କ୍ରମେ ସେଫ୍ ସିଟି ଡ୍ରାଇଭ୍ ଅଭିଯାନ କ୍ରମରେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲା ତରଫରୁ ବିଭିନ୍ନ ଥାନା ଅଞ୍ଚଳରେ କଡାକଡି ଭାବେ ନାଇଟ୍ ବ୍ଲକିଂ, ଚେକିଂ ଅଭିଯାନ ଚାଲୁଅଛି । ଏହି ଧରପଗଡ଼ ଅଭିଯାନରେ ରାସ୍ତାରେ ଯାତାୟତ କରୁଥିବା ସମସ୍ତ ଯାନବାହାନକୁ ତନ୍ନତନ୍ନ ଭାବେ ଯାଞ୍ଚ କରାଯିବା ସହିତ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟ କଳାପ ବିରୋଧରେ ମଧ୍ୟ ଧରପଗଡ଼ କରାଯାଇ ଜନସାଧାରଣଙ୍କୁ ସଚେତନ କରାଯିବା ପୂର୍ବରୁ ଆବଶ୍ୟକ ସ୍ଥଳେ ଗାଡି ଜବତ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଉଛି ।
ଏହି ପରିପ୍ରେକ୍ଷିରେ ଗତକାଲି ତଥା ମଙ୍ଗଳବାର ରାତିରେ ଭୁବନେଶ୍ୱର ସହରାଞ୍ଚଳରେ ଥିବା ବିଭିନ୍ନ ଥାନାର ଛକ ମାନଙ୍କରେ ସମ୍ପୃକ୍ତ ଥାନାର ଆଇଆଇସି ଓ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମିଳିତ ଭାବେ ନାଇଟ୍ ବ୍ଲକିଂ କରାଯାଇଥିବା ବେଳେ, ଏହି ଅଭିଯାନରେ ପୁଲିସ ଅଧିକାରୀ ଏବଂ ଥାନା କର୍ମଚାରୀଙ୍କ ସମେତ ଗୋଟିଏ ସେକ୍ସନ ଫୋର୍ସ ମଧ୍ୟ ସାମିଲ ହୋଇଥିଲେ । ଗତକାଲି ରାତିରେ କରାଯାଇଥିବା ଏହି ଧରପଗଡ଼ ଅଭିଯାନରେ ଆଇନ ଉଲଘଂନକାରୀ ତଥା ମଦ୍ୟପ ଗାଡିଚାଳକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସମ୍ପୃକ୍ତ ଥାନାର ମାମଲା ରୁଜୁ କରାଯାଇଥିବା ବେଳେ, କେତେକ କ୍ଷେତ୍ରରେ ପିଆର ଦିଆଯାଇଥିଲା ଏବଂ ଅନ୍ୟ କେତେକ ସ୍ଥଳେ ଆଇନ ଉଲଘଂନକାରୀଙ୍କ ନିକଟରୁ ଓଡ଼ିଶା ମୋଟର ଯାନ ଆଇନ ଏବଂ ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ ଅନୁଯାଇ ଜୋରିମାନା ମଧ୍ୟ ଆଦାୟ କରାଯାଇଥିଲା । ଏହି କ୍ରମରେ ମୋଟ ୨୦ ଜଣ ଆଇନ ଉଲଘଂନକାରୀଙ୍କୁ ପିଆର ଦିଆଯାଇଥିବା ବେଳେ, ମୋଟ ୧୫ ହଜାର ଟଙ୍କା ଜୋରିମାନା ଆକାରରେ ଆଦାୟ କରାଯାଇଥିଲା ।
ଭୁବନେଶ୍ୱର ସହରକୁ ଅପରାଧ ମୁକ୍ତ କରିବା ପାଇଁ ତଥା ସହରକୁ ସୁରକ୍ଷିତ ରଖିବା ପାଇଁ ସେଫ୍ ସିଟି ଡ୍ରାଇଭ୍ ଅଧୀନରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚାଲୁଥିବା, ଖଟି, ସର୍ବସାଧାରଣରେ ନିଶାଦ୍ରବ୍ୟ କରୁଥିବା ଅସମାଜିକ ବ୍ୟକ୍ତିବିଶେଷ ମାନଙ୍କୁ ନିୟମିତ ଭାବରେ ତଦାରଖ କରାଯାଇଅଛି । କମିଶନରେଟ୍ ପୁଲିସ ଆଇନ ଉଲଘଂନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ସହିତ ଭୁବନେଶ୍ୱରବାସୀଙ୍କ ସୁରକ୍ଷା ଦିଗରେ ମଧ୍ୟ ଯଥେଷ୍ଟ ଯତ୍ନବାନ ଅଛି ।