କମିଶନରେଟ୍ ପୁଲିସ ଜାଲରେ କୁଖ୍ୟାତ ଲୁଟେରା ଚନ୍ଦନ

କମିଶନରେଟ୍ ପୁଲିସ ଜାଲରେ କୁଖ୍ୟାତ ଲୁଟେରା ଚନ୍ଦନ


ଭୁବନେଶ୍ୱର, ୧୩ା୫ : କମିଶନରେଟ୍ ପୁଲିସ ଜାଲରେ ପୁରୀ ଜିଲ୍ଲାର କୁଖ୍ୟାତ ଚେନ ଲୁଟେରା ବିଷଣୁ ପ୍ରସାଦ ଜେନା ଓରଫ ଚନ୍ଦନ । ବ୍ରାଉନସୁଗାର କାରବାରରେ ବନ୍ଧାହୋଇ ଜେଲରେ ଥିବା ବେଳେ ସେ ଗତ ଦୁଇ ମାସ ହେବ  ଜେଲରୁ ବାହାରି ଖୋର୍ଦ୍ଧାରେ ରହି ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ୧୪ରୁ ଅଧିକ ଚେନ୍ ଲୁଟ୍ ଓ ଛିନତାଇ କରି ପୁଲିସର ନିଦ ହଜାଇଥିଲା । ଚନ୍ଦନକୁ ଗିରଫ ପରେ ପୁଲିସ ତାଠାରୁ ୨୦୦ ଗ୍ରାମର ସୁନା ଅଳଙ୍କାର, ନଗଦ ୨ଲକ୍ଷ, ଏକ ମୋବାଇଲ ଓ ଏକ ପଲସର ବାଇକ ଜବତ କରାଯାଇଛି । ସେ କେମିତି ମହିଳାଙ୍କ ଠାରୁ ଚେନ୍ ଲୁଟ୍ କରି ଫେରାର ହୋଇଯାଉଥିଲା ସେ ନେଇ ପୁଲିସ ତାକୁ ସିନ୍ ରିକ୍ରିଏସନ କରି ପରେ କୋର୍ଟ ଚାଲାଣ କରିଛି ।
ସୂଚନାଯୋଗ୍ୟଯେ, ଗତ ଦୁଇ ମାସ ହେବ ଖଣ୍ଡଗିରି ଥାନା, ତମାଣ୍ଡୋ ଥାନା, ନୟାପଲ୍ଲୀ ଥାନା, ବଡ଼ଗଡ଼ ଥାନା, କ୍ୟାପିଟାଲ ଥାନା, ମଞ୍ଚେଶ୍ୱର ଥାନା ଓ ଚନ୍ଦକା ଥାନା ଅଞ୍ଚଳରୁ ସକାଳୁ ଓ ସନ୍ଧ୍ୟା ସମୟରେ ରାସ୍ତାରେ ଯାଉଥିବା ମହିଳା, ଯୁବତୀ ଓ ଲୋକଙ୍କ ଠାରୁ ସୁନା ଚେନ୍, ସୁନା କାନଫୁଲ ଭଳି ସୁନା ହାର ଛିନତାଇ କରି ଫେରାର ହୋଇଯାଉଥିବା ନେଇ ଏହି ସବୁ ଥାନାରେ ଅଭିଯୋଗ ହୋଇଥିଲା । ହେଲେ ପୁଲିସ ଲୁଟେରା ଚନ୍ଦନକୁ ଧରିବାକୁ ଜାଲ ବିଛାଇଥିଲେ ମଧ୍ୟ ତାକୁ ଧରିବା ଅସମ୍ଭବ ହେଉଥିଲା । ଯାହାକି ଏହି ଲୁଟେରାକୁ ଧରିବାକୁ ଡ଼ିସିପି ସ୍ପେଶାଲ ସ୍କ୍ୱାଡକୁ ଦାୟିତ୍ୱ ଦେଇଥିଲେ । ଏହି ଦାୟିତ୍ୱ ନେବା ପରେ ସ୍ପେଶାଲ ସ୍କ୍ୱାଡ ଅଧିକାରୀ ଓ ଖଣ୍ଡଗିରି ଥାନା ଅଧିକାରୀଙ୍କ ନେତୃତ୍ୱରେ ଥାନାର ସ୍କ୍ୱାଡ ଓ ସ୍ପେଶାଲ ସ୍କ୍ୱାଡ ଟିମ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଜାଲ ବିଛାଇ ରବିବାର କୁଖ୍ୟାତ ଲୁଟେରା ଚନ୍ଦନକୁ ଜାଗମରା ଅଞ୍ଚଳରୁ ଗିରଫ କରିଥିଲେ । ପରେ ତାଠାରୁ ନଗଦ ୨ ଲକ୍ଷ ଟଙ୍କା, ୨୦୦ ଗ୍ରାମ ସୁନା, ବାଇକ ଓ ଏକ ମୋବାଇଲ ଜବତ କରାଯାଇଛି । ସୋମବାର ଦିନ କମିଶନରଙ୍କ ମୁଖ୍ୟାଳୟରେ ପୁଲିସ କମିଶନର ସଞ୍ଜୀବ୍ ପଣ୍ଡା ଓ ଡ଼ିସିପି ପ୍ରତୀକ୍ ସିଂହ ସୂଚନା ଦେଇଛନ୍ତି ।