ହାୱଡ଼ା ଷ୍ଟେସନରୁ ୨.୬ କୋଟି ବିଦେଶୀ ମୁଦ୍ରା ଜବତ

ନୂଆଦିଲ୍ଲୀ:   ପଶ୍ଚିମବଙ୍ଗର ହାୱଡା ରେଳ ଷ୍ଟେସନରେ ରେଳ ସୁରକ୍ଷା ବଳ (ଆରପିଏଫ) ଚଢ଼ାଉ କରି ଜଣେ ଯାତ୍ରୀଙ୍କଠାରୁ ୨.୬ କୋଟିରୁ ଅଧିକ ଟଙ୍କାର ବିଦେଶୀ ମୁଦ୍ରା ଜବତ କରିଛି । ଜବତ ହୋଇଥିବା ବିଦେଶୀ ମୁଦ୍ରା ମଧ୍ୟରେ ଆମେରିକୀୟ ଡଲାର, ସାଉଦୀ ରିୟାଲ ଏବଂ ସିଙ୍ଗାପୁର ଡଲାର ରହିଛି ।ଗୁଇନ୍ଦା ସୂଚନା ଆଧାରରେ ଆରପିଏଫ ଯବାନମାନେ ପାଟନା-ହାୱଡ଼ା ଜନ ଶତାବ୍ଦୀ ଏକ୍ସପ୍ରେସ ଉପରେ ନଜର ରଖିଥିଲେ, ଯାହା ଅପରାହ୍ନ ୧ଟା ୩୫ରେ ହାୱଡ଼ାରେ ପହଞ୍ଚିଥିଲା । ସର୍ଭେଲାନ୍ସ ସମୟରେ କନଷ୍ଟେବଳ ସୁପ୍ରିୟୋ ଜାଶ ହେମନ୍ତ କୁମାର ପାଣ୍ଡେ (୫୦) ନାମକ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଏକ ବ୍ୟାଗ୍ ଧରି ପ୍ଲାଟଫର୍ମ ୮ ଆଡ଼କୁ ଯାଉଥିବା ଦେଖିବାକୁ ପାଇଥିଲେ । ଟିମ୍ ତାଙ୍କୁ ଅନୁସରଣ କରି ପଚରାଉଚରା ପାଇଁ ଅଟକ ରଖିଥିଲା । ସନ୍ଦିଗ୍ଧଙ୍କ ବ୍ୟାଗ୍ ଯାଞ୍ଚ କରିବା ପରେ ୨.୮୯ ଲକ୍ଷ ଆମେରିକୀୟ ଡଲାର, ୫୨,୫୦୦ ସାଉଦି ରିୟାଲ ଏବଂ ୬୦୦ ସିଙ୍ଗାପୁର ଡଲାର ଜବତ ହୋଇଛି । ଜବତ ବିଦେଶୀ ମୁଦ୍ରାର ମୋଟ ମୂଲ୍ୟ ୨.୬୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଜୟ ପ୍ରକାଶ ରାୟ ନାମକ ଜଣେ କୁଲିଙ୍କୁ ସ୍ୱାଧୀନ ସାକ୍ଷୀ ବୋଲି କୁହାଯାଇଥିଲା । ବିଦେଶୀ ମୁଦ୍ରାର ଉସô ବିଷୟରେ ପଚରାଯିବାରୁ ଉତ୍ତରପ୍ରଦେଶର ଗୋରଖପୁରନିବାସୀ ପାଣ୍ଡେ କୌଣସି ବୈଧ କାଗଜପତ୍ର ପ୍ରଦାନ କରିବାରେ ବିଫଳ ହୋଇଥିଲେ ।
ପ୍ରଥମେ ସେ ଅଧିକାରୀମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ପରେ ସ୍ୱୀକାର କରିଥିଲେ ଯେ ସେ ଗୋରଖପୁରରୁ କୋଲକାତାର ପାର୍କ ଷ୍ଟ୍ରିଟକୁ ନଗଦ ଟଙ୍କା ପରିବହନ କରୁଥିଲେ । ଆରପିଏଫ ହାୱଡା ପୋଷ୍ଟର ଡି ମଣ୍ଡଳଙ୍କ ସହ ଆରପିଏଫ/କ୍ରାଇମ ଇଣ୍ଟେଲିଜେନ୍ସ ବ୍ରାଞ୍ଚ(ସିଆଇବି)/ହାୱଡ଼ାର ଏଏସଆଇ ଅଜୟ ତୁରୀ ଓ କନଷ୍ଟେବଳ ସୁପ୍ରିୟୋ ଜାଶଙ୍କୁ ନେଇ ଗଠିତ ଏକ ଟିମ୍ ଏହି ଅପରେସନ କରିଥିଲେ । କର୍ତ୍ତୃପକ୍ଷଙ୍କ ନିଦେ୍ର୍ଦଶ କ୍ରମେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ତୁରନ୍ତ କୋଲକାତାର କଷ୍ଟମ ହାଉସ୍ ଏବଂ ହାଓଡ଼ା ସରକାରୀ ରେଳବାଇ ପୁଲିସ (ଜିଆରପି)କୁ ଖବର ଦିଆଯାଇଥିଲା । ସମସ୍ତ ଆବଶ୍ୟକ ଆଇନଗତ ଔପଚାରିକତା ପୂରଣ କରିବା ପରେ ଜବତ ବିଦେଶୀ ମୁଦ୍ରା ଏବଂ ଅଟକ ବ୍ୟକ୍ତିଙ୍କୁ ଅଧିକ ତଦନ୍ତ ପାଇଁ କଷ୍ଟମ ହାଉସର କଷ୍ଟମ୍ସ ଇନ୍ସପେକ୍ଟରଙ୍କୁ ହସ୍ତାନ୍ତର କରାଯାଇଥିଲା ।