ଶହେ ମିଟରକୁ ଲାଗିଲାଣି ପାଞ୍ଚବଷ

କବାଟବନ୍ଧ: ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜାରକା-କବାଟବନ୍ଧ ନଦୀବନ୍ଧ ରାସ୍ତାର ଘାସିବର ଠାରେ ସେତୁ ନିର୍ମାଣ କରାଯାଉଛି । ପୂର୍ତ୍ତ ବିଭାଗ ଅଧୀନ ଏହି ସେତୁ କିନ୍ତୁ ଠିକାଦାରଙ୍କ ମନମୁଖିରୁ ସରିପାରୁନି । ପୂର୍ବରୁ ଏହି ସ୍ଥାନରେ ଏକ ପୁରୁଣା ଅଣଓସାର ବ୍ରିଜ ରହିଛି । ଗମନା ଗମନ ସମସ୍ୟା ପାଇଁ ପୂର୍ବ ସରକାରଙ୍କ ସମୟରେ ଏଠାରେ ଏକ ସେତୁ ନିର୍ମାଣ ପାଇଁ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ରାୟଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଥିଲା । ସଂପୃକ୍ତ ରାସ୍ତାଟି ଧର୍ମଶାଳା ବ୍ଲକ, ତହସିଲ, ମେଡିକାଲ ସହ ବିଭିନ୍ନ ଗାଁକୁ ସ୍ଥାନକୁ ସଂଯୋଗ କରିଛି । କିନ୍ତୁ ବର୍ଷପରେ ବର୍ଷ ବିତିଯାଉଥିଲେ ବି ସେତୁ ନିର୍ମାଣ କେବେ ସରିବ, ତାହାକୁ ନେଇ ରାସ୍ତା ଉପରେ ନିର୍ଭରଶୀଳ ଲୋକେ ସନେ୍ଦହରେ ଅଛନ୍ତି । ବିନା ସୂଚନା ଫଳକରେ ଚାଲିଥିବା ସେତୁ କାର୍ଯ୍ୟ ଠିକାଦାର-ବିଭାଗର ମଧୁଚନ୍ଦ୍ରିକା ଯୋଗୁ ବିଳମ୍ବ ଘଟିଚାଲିଥିବାର ଅଭିଯୋଗ ହେଉଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଉକ୍ତ ସେତୁ କାର୍ଯ୍ୟ ପାଞ୍ଚ ବର୍ଷରୁ ଅଧିକ ସମୟ ହେଲାଣି ନିର୍ମାଣ ଚାଲୁଛି । ଶହେ ମିଟର ସେତୁ ନିର୍ମାଣ ପାଇଁ ଯଦି ଏତେବର୍ଷ ଲାଗୁଛି, ତେବେ ବଡ ସେତୁ ନିର୍ମାଣକୁ କେତେ ବର୍ଷ ଲଗାଇବ ଠିକାଦାର । ହେଲେ ପୂର୍ତ ବିଭାଗ ଏବାବଦରେ ଯେମିତି କିଛି କହିବାକୁ ରାଜି ନୁହେଁ । ସେତୁ ନିର୍ମାଣ ବିଳମ୍ବ ସଂପର୍କରେ ବିଭାଗୀୟ କନିଷ୍ଠଯନ୍ତ୍ରୀ ବିରେନ ବାସୁଙ୍କୁଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ ଗ୍ରହଣ କରିନଥିଲେ । ସଂପୃକ୍ତ ସେତୁ ନିର୍ମାଣ କାର୍ଯ୍ୟର ଯଦି ସମୀକ୍ଷା କରାଯାଏ, ତେବେ ଚାରି ଗୋଟି ଖୁଣ୍ଟ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଗୋଟିଏ ସ୍ପାନ ଛାତ ପଡ଼ିଥିବା ସ୍ଥଳେ ଅନ୍ୟ ସ୍ପାନର ଛାତ କାର୍ଯ୍ୟ ସରିପାରୁନାହିଁ । ଅତଏବ ସେତୁ କାମ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି । ଏତେ କମ ସେତୁ ପାଇଁ ଏତେ ବର୍ଷ ଲାଗିବା ସମସ୍ତଙ୍କୁ ଆଶ୍ଚଯ୍ୟ କରୁଛି । ଏଠାରେ କେଉଁ ଠିକାଦାର କାମ କରୁଛି ତାହା ମଧ୍ୟ ଜଣାପଡ଼ୁନାହିଁ । ପିଲାର ମଧ୍ୟରୁ ବାହାରିଥିବା ରଡ଼ମାନ କଳଙ୍କି ଲାଗି ଦୁର୍ବଳ ହେବାକୁ ଲାଗିଲାଣି । ଅନିୟମିତତା କାମ ହେଉଥିବାର ଅଭିଯୋଗ ହେଇ ଆସୁଥିଲେ ମଧ୍ୟ ଠିକାସଂସ୍ଥାକୁ ବିଭାଗ ପକ୍ଷରୁ ଅହେତୁକ ଅନୁକମ୍ପା ଦେଖାଉଥିବା ସନେ୍ଦହ କରାଯାଉଛି । ଏହା କମ ଦର୍ଘ୍ୟ ବିଶିଷ୍ଟ କାମକୁ ୫ବର୍ଷରୁ ଉର୍ଦ୍ଧ ସମୟ ଲଗାଉଥିବା ଠିକାସଂସ୍ଥା ଉପରେ କାହିଁକି ବିଭାଗ କୃପା କରୁଛି, ତାହାକୁ ନେଇ ଅଞ୍ଚଳବାସୀ ସନେ୍ଦହ ପ୍ରକଟ କରିଛନ୍ତି । ସାଧାରଣରେ ପ୍ରଶ୍ନ ଉଠୁଛି ଯଦି ଏହାର ନିର୍ମାଣ କାର୍ଯ୍ୟା ୪ମାସ ମଧ୍ୟରେ ଶେଷ କରାନହୁଏ ତେବେ ବର୍ଷଟା ପରେ ବି କାର୍ଯ୍ୟ ଶେଷ ହୋଇପାରିବନି । ଏଣୁ ଠିକାସଂସ୍ଥାକୁ ବିଭାଗ ତାଗିଦ କରି ତୁରନ୍ତ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।