ଗୁଳିମାଡରେ ଜଣେ ମୃତ: ବନ୍ଧୁକ ସହ ଅଭିଯୁକ୍ତ ଗିରଫ

ଢେଙ୍କାନାଳ : ଗୁଳିମାଡରେ ଜଣେ ଫାର୍ମ ମାଲିକଙ୍କର ମୃତୁ୍ୟ ହୋଇଛି । ମୃତକ ହେଲେ ସଦର ଥାନା ଭାପୁର ଫାଣ୍ଡି କଳାଙ୍ଗ ପଂଚୟାତ ଚାକୁଣ୍ଡାନାଳୀ ଗ୍ରାମର ଗୋବିନ୍ଦ ଚନ୍ଦ୍ର ନାଏକ (୫୦)  । ଏହି ଗୁଳିକାଣ୍ଡର ଅଭିଯୁକ୍ତ ରାସୋଳ ଥାନା ଆଳୁସିଂହ ଗ୍ରାମର ରମେଶ ନାଏକକୁ ପୁଲିସ ୧୨ ଘଣ୍ଟା ମଧ୍ୟରେ ଗିରଫ କରିବାକୁ ସକ୍ଷମ ହୋଇଛି । ସମ୍ପର୍କରେ ସେମାନେ ଶଳା ଭିଣୋଇ । ତେବେ ଜନ୍ତୁ ଶିକାର କରିବା  ଶଳା ଗୋବିନ୍ଦଙ୍କ ମୃତୁ୍ୟର କାରଣ ବୋଲି  ଆଜି ସନ୍ଧ୍ୟାରେ  ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଅଭିନବ ସୋନକର ସୂଚନା ଦେଇଛନ୍ତି  ।  
ସୂଚନା ଅନୁସାରେ, ଗୋବିନ୍ଦଙ୍କର ନିଜ ଗ୍ରାମ ନିକଟସ୍ଥ ଗ୍ରାମ ଫାସିଙ୍ଗା ଶିବମନ୍ଦିର ନିକଟରେ ଏକ ଫାର୍ମ ହାଉସ ରହିଛି  । ସବୁଦିନ ପରି ଗତକାଲି ରାତିରେ ଗୋବିନ୍ଦ ନିଜ ଫାର୍ମ ହାଉସରେ ଶୋଇଥିଲେ  । ରାତି ସାଢେ ୨ ଟାରେ ତାଙ୍କର ସମ୍ପର୍କୀୟ ଭିଣୋଇ ରମେଶ ଏକ ଦେଶୀ ବନ୍ଧୁକ ସାଙ୍ଗରେ ଆଣି ଜନ୍ତୁ ଶିକାର ଲାଗି ନିକଟସ୍ଥ ଜଙ୍ଗଲକୁ ଯିବାକୁ ଶଳା ଗୋବିନ୍ଦଙ୍କୁ କହିଥିଲେ । ଗୋବିନ୍ଦ ତାଙ୍କ ପ୍ରସ୍ତାବରେ ରାଜି ହେବା ସହ  ସାଙ୍ଗହୋଇ ଶିକାର ପାଇଁ ବାହାରିଥିଲେ  । ଫାର୍ମ ହାଉସ ଠାରୁ ୫୦୦ ମିଟର ଦୂର ଜଙ୍ଗଲ ଭିତରରେ ପହଂଚିବା ପରେ  ଗୋବିନ୍ଦଙ୍କୁ ବୁଦାଭିତରକୁ ଯାଇ ଜଙ୍ଗଲୀଜନ୍ତୁଙ୍କୁ ଘଉଡାଇବା ଲାଗି ରମେଶ କହିଥିଲେ ।  ଗୋବିନ୍ଦ ଜଙ୍ଗଲ ଭିତରକୁ ଯିବା ପରେ ଗଛପତ୍ର ହଲିବାରୁ  ଜନ୍ତୁ ଆସୁଥିବା ଭାବି ରମେଶ ଗୁଳି ଚଳାଇଥିଲେ  । ଫଳରେ ସେହି ଠାରେ ସେ ଖସି ପଡିଥିଲେ । ଖବର ପାଇ ପରିବାର ଲୋକ ଭୋରରୁ ସେଠାରେ ପହଂଚି ଗୋବିନ୍ଦଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତି କରିଥିଲେ  । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ଏହି ଘଟଣା ନେଇ ସଦର ଥାନାରେ ଆର୍ମସ ଆକ୍ଟରେ ଏକ ମାମଲା ରୁଜୁ କରାଯାଇଥିଲା ।