୨୦୨୬ ସୁଦ୍ଧା ଜମି ପଟ୍ଟା ବାଣ୍ଟ : ରାଜ୍ୟପାଳ

 ଭୁବନେଶ୍ୱର :  କୋରାପୁଟର ସଦଭାବନା ସଭାଗୃହ ଠାରେ ଆଜି କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ  ରାଜ୍ୟପାଳ ଡ ହରି ବାବୁ କମ୍ଭମପାଟି ସମୀକ୍ଷା କରିଛନ୍ତି । ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରଦାନ କରିବାକୁ ଏବଂ ଜଳ ଜୀବନ ମିଶନ କାର୍ଯ୍ୟକ୍ରମର ସମସ୍ତ ପ୍ରକଳ୍ପ ୨୦୨୬ ମସିହା ଡିସେମ୍ବର ମାସ ଶେଷ ସୁଦ୍ଧା ଶେଷ କରିବାକୁ ରାଜ୍ୟପାଳ ନିଦେ୍ର୍ଦଶ ଦେଇଛନ୍ତି । ଭାରତମାଳା ଅନ୍ତର୍ଗତ ରାସ୍ତା ନିର୍ମାଣ କାର୍ଯ୍ୟ ୨୦୨୬ ମସିହା ମାର୍ଚ୍ଚ ମାସ ସୁଦ୍ଧା ଶେଷ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । କୋରାପୁଟ ଜିଲ୍ଲାରେ ଶିଳ୍ପର ବିକାଶ ପାଇଁ ଅନେକ ସୁବିଧା ରହିଛି  ଏବଂ ଏ ଦିଗରେ ବିହିତ ପଦକ୍ଷେପ ନେବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ । ମାଲକାନଗିରି ଜିଲ୍ଲାର ସୀତାକୁଣ୍ଡ ଓ କୋରାପୁଟ ଜିଲ୍ଲାର ଦେଓମାଳି ପର୍ଯ୍ୟଟନ ସ୍ଥଳୀ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ହୋଇଥିବାରୁ ଏହାର ବିକାଶ ଉପରେ  ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ । ସାମାଜିକ ସୁରକ୍ଷା ଯୋଜନାରେ ବ୍ୟାଙ୍କ ସମୂହ କିପରି କାର୍ଯ୍ୟ କରୁଛନ୍ତି  ତାହାର ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଓଡିଶା ଜୀବିକା ମିଶନ, ଜଙ୍ଗଲ ଅଧିକାର ଆଇନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟଗ ଯୋଜନା ତଥା ଅନ୍ୟ ସାମାଜିକ କଲ୍ୟାଣ ଯୋଜନା ଏବଂ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟପାଳ ସମୀକ୍ଷା କରିଥିଲେ । ଏହି ବୈଠକରେ କୋରାପୁଟ ବିଧାୟକ ରଘୁରାମ ମାଛ, ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା, କୋଟପାଡ ବିଧାୟକ ରୁପୁ ଭତ୍ରା, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ରାଜ୍ୟପାଳଙ୍କ କମିସନର ତଥା ଶାସନ ସଚିବ ରୁପା ରୋଶନ ସାହୁ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଡା. କେ.ବି.ସିଂ, କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ,କୋରାପୁଟ ଏସପି ରୋହିତ ବର୍ମା, ମାଲକାନଗିରି ଏସପି ବିନୋଦ ପାଟିଲ ଏଚଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।