ଆଦିବାସୀ ମହିଳାଙ୍କୁ ଫିଟ୍ ରଖିଛି ମାଣ୍ଡିଆ : ପ୍ରଭାତୀ

ଭୁବନେଶ୍ୱର : ଫିଟ୍ ରହିବା ପାଇଁ ସୁସ୍ଥ ଖାଦ୍ୟ ସହ ସୁସ୍ଥ ମନର ଆବଶ୍ୟକତା ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମତ ପ୍ରକାଶ କରିଛନ୍ତି । ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଓ ୟୁନିସେଫର ମିଳିତ ସହଭାଗିତାରେ ଭୁବନେଶ୍ୱରସ୍ଥିତ ଲେମନଟ୍ରି ପ୍ରିମିଅମରେ ‘ହେଲଦି ଡାଏଟ୍ ଅଭିଯାନ’ର ଶୁଭାରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଖାଦ୍ୟାଭ୍ୟାସ ଉପରେ ଚର୍ଚ୍ଚା କରିବା ସହ ଆଦିବାସୀ ମହିଳାମାନଙ୍କର ସୁସ୍ଥ ଶରୀରର କାରଣ ମାଣ୍ଡିଆ ବୋଲି ମତ ପ୍ରକାଶ କରିଥିଲେ । ବଜାରର ଜଙ୍କ ଫୁଡଠୁ ଦୂରରେ ରହି ଘର ତିଆରି ଖାଦ୍ୟ ସହ ପାରମ୍ପରିକ ଖାଦ୍ୟ ତଥା ମାଣ୍ଡିଆ, ପଖାଳ ଓ ପିଠା ଆଦିକୁ ଆପଣେଇବା ପାଇଁ ସେ ପରାମର୍ଶ ଦେଇଥିଲେ । ବିଶେଷକରି ଗାଁର ମହିଳାମାନଙ୍କର ମୋଟାପା ଦୂର କରିବା ଉପରେ ସେ ବିଶେଷ ଫୋକସ ଦେଇଥିଲେ । କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ବିଭାଗୀୟ ନିଦେ୍ର୍ଦଶିକା ମୋନିଷା ବାନାର୍ଜୀ, ଓଡିଆ ଚଳଚ୍ଚିତ୍ରର ସୁପ୍ରତିଷ୍ଠିତ ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଓ ଅଭିନେତ୍ରୀ ଅନୁ ଚୌଧୁରୀ, ପୋଷଣ ବିଶେଶଜ୍ଞ ତଥା ୟୁନିସେଫର ବରିଷ୍ଠ ଅଧିକାରୀ ସୌରଭ ଭଟ୍ଟାଚାର୍ଯ୍ୟ, ମହିଳା ଓ ଶିଶୁ ବିକାଶ ବିଭାଗ ଓ ୟୁନିସେଫର ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । ଗାଁରେ ଅଙ୍ଗନବାଡି ଓ ସ୍କୁଲ ଯାଉଥିବା ପିଲାମାନଙ୍କର ଚିପ୍ସ ଓ ନୁଡୁଲସ ଖାଇବା ଅଭ୍ୟାସ ପ୍ରତି ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଚିନ୍ତା ପ୍ରକଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଗଦର୍ଶନରେ ମହିଳା ଓ ଶିଶୁମାନଙ୍କର ଖାଦ୍ୟାଭ୍ୟାସକୁ ପରିବର୍ତ୍ତନ କରିବା ପାଇଁ ବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଅତିଥିମାନେ ସାମାଜିକ ବ୍ୟବହାରିକ ପରିବର୍ତ୍ତନ ବିଷୟରେ ଏକ ପୋଷ୍ଟର ଉନ୍ମୋଚନ କଲେ ।