୩ ରାଜ୍ୟରେ ୬ମାସ ବଢ଼ିଲା ଏଏଫ୍ଏସ୍ପିଏ

 ନୂଆଦିଲ୍ଲୀ : ଅଶାନ୍ତ ମଣିପୁର ସମେତ ଅରୁଣାଞ୍ଚଳପ୍ରଦେଶ ଏବଂ ନାଗାଲାଣ୍ଡରେ ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା (ଏଏଫ୍ଏସ୍ପିଏ)କୁ ଆହୁରି ୬ମାସ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ତେବେ ମଣିପୁରର ୬ ପାହାଡ଼ି ଜିଲ୍ଲାର ୧୩ ଥାନା ଅଞ୍ଚଳକୁ ବାଦ ଦେଇ ଆଉ ସମସ୍ତ ସ୍ଥାନରେ ଏହି ବର୍ଦ୍ଧିତ ନିୟମ ଲାଗୁ କରାଯାଇଛି ବୋଲି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଆଜି ସୂଚନା ଜାରି କରାଯାଇଛି । ଏହି ୬ଟି ଜିଲ୍ଲା ହେଉଛି ପଶ୍ଚିମ ଇମ୍ଫାଲ, ପୂର୍ବ ଇମ୍ଫାଲ୍, ଥୋଉବାଲ୍, ବିଷ୍ଣୁପୁର ଏବଂ କାକଚିଙ୍ଗ । ବିଗତ ଦିନରେ ଭାରତର ଅରୁଣାଞ୍ଚଳପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ ଏବଂ ତ୍ରିପୁରା ଆଦି ଉତ୍ତରପୂର୍ବ ରାଜ୍ୟଗୁଡ଼ିକୁ ‘ବିଶୃଙ୍ଖଳିତ ଅଞ୍ଚଳ’ ଭାବେ ଚିହ୍ନଟ କରାଯାଇଥିବା ବେଳେ ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏଠାରେ ଦୀର୍ଘଦିନରୁ ଏଫ୍ଏସ୍ପିଏ ଲାଗୁ କରାଯାଇଛି । ଏବେ ଉପରୋକ୍ତ ୩ ରାଜ୍ୟରେ ବିଶୃଙ୍ଖଳା ସ୍ଥିତି ବୃଦ୍ଧି ପାଇଥିବାରୁ ଏଠାରେ ଏଫ୍ଏସ୍ପିଏକୁ ଆହୁରି ଅଧିକ ୬ମାସ ବୃଦ୍ଧି କରାଯାଇଥିବା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ମଣିପୁରରେ କେନ୍ଦ୍ର ସରକାଣଙ୍କ ଚେତାବନୀ ସତ୍ତ୍ୱେ ପରିସ୍ଥିତି ଶାନ୍ତ ପଡ଼ୁ ନ ଥିବା ବେଳେ ଏଠାରେ ସୁରକ୍ଷାକର୍ମୀ ଏବଂ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟଙ୍କ ମଧ୍ୟରେ ଦଙ୍ଗା ହିଂସା ପରିସ୍ଥିତି ବୃଦ୍ଧି ପାଇବାରେ ଲାଗିଛି । ଏଣୁ ଏହାକୁ ଆଖି ଆଗରେ ରଖି ଏଏଫ୍ଏସ୍ପିଏ କୁ ୬ମାସ ବୃଦ୍ଧି କରାଯାଇଛି । ସେହିପରି ଗତ ଅକ୍ଟୋବର ୧ରୁ ନାଗାଲାଣ୍ଡର ଦିମାପୁର, ନିଉଲାଣ୍ଡ, ଚୁମୌକେଦିମା, ମୋନ, କିଫିରେ, ନୋକଲାକ, ଫେକ ଏବଂ ପେରେନ୍ ଆଦି ୮ ଜିଲ୍ଲା ଅଧୀନ ୨୧ ଥାନା ଅଞ୍ଚଳକୁ ‘ବିଶୃଙ୍ଖଳିତ ଅଞ୍ଚଳ’ ଚିହ୍ନଟ କରାଯାଇ ଏଠାରେ ଏଏଫ୍ଏସ୍ପିଏ ଲାଗୁ କରାଯାଇଛି । ପୁନଃ ଏହି ଚିହ୍ନଟ ଅଞ୍ଚଳଗୁଡ଼ିକରେ ଏଏଫ୍ଏସ୍ପିଏକୁ ଆହୁରି ୬ମାସ ବୃଦ୍ଧି କରାଯାଇଛି । ଅପରପକ୍ଷେ ଅରୁଣାଞ୍ଚଳ ପ୍ରଦେଶର ତିରାପ, ଚାଙ୍ଗଲାଙ୍ଗ, ନମସାଇ (ଆସାମ ସୀମାନ୍ତ ଜିଲ୍ଲା) ଏବଂ ଲଙ୍ଗଦିଙ୍ଗ ଜିଲ୍ଲାରେ କେତେକ ଅଞ୍ଚଳକୁ ‘ବିଶୃଙ୍ଖଳିତ ଅଞ୍ଚଳ’ ଚିହ୍ନଟ କରାଯାଇ ଆସନ୍ତା ଏପ୍ରିଲ୍ ୧ରୁ ଏଠାରେ ଏଏଫ୍ଏସ୍ପିଏକୁ ବଳବତ୍ତର କରାଯିବ । ସୂଚନାଯୋଗ୍ୟ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂଙ୍କ ଇସ୍ତଫା ପରେ ଫେବ୍ରୁଆରୀ ୧୩ ପରଠାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି । ଆସନ୍ତା ୨୦୨୭ ପର୍ଯ୍ୟନ୍ତ ରାଷ୍ଟ୍ରପତି ଶାସନ ଜାରି ରହିବ ବୋଲି କୁହାଯାଇଛି ।