ଭୁଶୁଡ଼ିଲା ବ୍ରିଜ: ୧୧ ମୃତ
ବଡ଼ଦୋରା:
ଗୁଜରାଟର ବଡ଼ଦୋରା ଜିଲ୍ଲାରେ ଏକ ୪୩ ବର୍ଷର ପୁରାତନ ପୋଲ ଭୁଶୁଡ଼ି ୧୧ ଜଣଙ୍କ ମୃତୁ୍ୟ ହୋଇଛି । ଏହାସହ ୯ରୁ ଊଦ୍ଧ୍ୱର୍ ଲୋକ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୩ଜଣ ଥିବା ଜଣାପଡ଼ିଛି । ବିପଦସଙ୍କୁଳ ଭାବେ ପୋଲଟି ମଝିରୁ ଭାଙ୍ଗି ଯିବାରୁ ଏକାଧିକ କାର ସମେତ ଗୋଟିଏ ଭାରୀଯାନ ଓ ଦୁଇଟି ବାଇକ୍ ନଦୀ (ମହିଶୂର) ମଧ୍ୟକୁ ଖସିପଡ଼ିଥିଲା । ବ୍ରିଜ୍ ଭାଙ୍ଗିଥିବା ତଳସ୍ତରଟି ନଦୀର ଗଭୀରତମ ସ୍ଥାନ ହୋଇ ନ ଥିଲେ ମଧ୍ୟ ଅତ୍ୟଧିକ ଉଚ୍ଚରୁ ଗାଡ଼ି ସମେତ ଖସିପଡ଼ିବାରୁ ଅଧିକାଂଶ ଲୋକଙ୍କ ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ତେବେ ଗତବର୍ଷ ଏହି ସର୍ବପୁରାତନ ପୋଲର ମରାମତି କରାଯାଇଥିବା ବେଳେ ଆଜି ଏଭଳି ଦୁର୍ଘଟଣାକୁ ନେଇ ଲୋକେ ରାଜ୍ୟସରକାରଙ୍କ ଉପରେ ଦୋଷ ଲଦିଛନ୍ତି ।
ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍ ସମେତ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତାହତଙ୍କୁ ଉଦ୍ଧାର କରି ସ୍ଥାନୀୟ ପାଦ୍ରା ରେଫରାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ବଡ଼ଦୋରା ଏସ୍ପି ରୋହନ ଆନନ୍ଦ ସୂଚନା ଦେଇଛନ୍ତି । ଘଟଣାକୁ ନେଇ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରାଯିବା ସହ ଜିଲ୍ଲାପାଳଙ୍କ ନିଦେ୍ର୍ଦଶ କ୍ରମେ ତଦନ୍ତ ଜାରି ରହିଥିବା ଏସ୍ପି କହିଛନ୍ତି । ତେବେ ଏହି ପୋଲଟି ପାଦ୍ରା ତାଲୁକାର ମୁଜପୁରରୁ ଆନନ୍ଦ ଜିଲ୍ଲାର ଗମ୍ଭୀରାକୁ ସଂଯୋଗ କରୁଥିବା ବେଳେ ପୋଲଟି ପ୍ରାୟ ୪୩ ବର୍ଷ ତଳର । ମୃତାହତଙ୍କ ମଧ୍ୟରେ ଅଧିକାଂଶ ଗୁଜରାଟର ହୋଇଥିବା ବେଳେ ଆଉ କେତେକ ଯାତ୍ରୀ ରାଜସ୍ଥାନର ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଅପରପକ୍ଷେ ଏହି ଦୁର୍ଘଟଣାକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହାସହ ଆହତମାନଙ୍କ ଆରୋଗ୍ୟ କାମନା କରିଛନ୍ତି । ପ୍ରଭୁ ଜଗନ୍ନାଥ ମୃତକଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ଆହତଙ୍କୁ ଆରୋଗ୍ୟ କରିଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିଜ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ସେହିପରି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ମଧ୍ୟ ମୃତକଙ୍କ ଆତ୍ମାର ସଦ୍ଗତି କାମନା କରିଛନ୍ତି ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।