୩ଟି ବ୍ଲକରେ ଜଳ ପ୍ରକଳ୍ପର ଶିଳାନ୍ୟାସ

ଭୁବନେଶ୍ୱର : ଆଜି ପୁରୀ ଜିଲ୍ଲା ପୁରୀ-ସଦର, ଗୋପ ଓ ନିମାପଡ଼ା ବ୍ଲକରେ ବିଭିନ୍ନ ମେଗା ପାଇପ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ମନ୍ତ୍ରୀ ରବିନାରାୟଣ ନାଏକଙ୍କ କରକମଳରେ ତିନୋଟି ବ୍ଲକ୍ର ୨୮ ଗ୍ରାମ ପଞ୍ଚାୟତ ଅଧିନସ୍ଥ ୧୫୭ଟି ଗ୍ରାମ ପାଇଁ ମେଗା ପାଇପ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ ଅନୁଷ୍ଠିତ ହୋଇଥିଲା । ସମୁଦାୟ ୨୧୩.୯୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁଥିବା ଏହି ମେଗା ପାଇପ ପାନୀୟ ଜଳ ପ୍ରକଳ୍ପଗୁଡିକରେ ଭାର୍ଗବୀ ନଦୀକୁ ଜଳସ୍ରୋତ ରୂପେ ଗ୍ରହଣ କରାଯାଇଛି । ଏହି ପ୍ରକଳ୍ପ ଗୁଡିକ କାର୍ଯ୍ୟକ୍ଷମ ହେବାପରେ ପୁରୀ-ସଦର ବ୍ଲକ୍ର ୧୨ ଗୋଟି ପଞ୍ଚାୟତର ୬୭ଟି ଗ୍ରାମ, ଗୋପ୍ ବ୍ଲକ୍ର ୧୪ ଗୋଟି ପଞ୍ଚାୟତର ୮୪ଟି ଗ୍ରାମ ଓ ନିମାପଡା ବ୍ଲକର ଦୁଇଟି ପଞ୍ଚାୟତର ଛଅଟି ଗ୍ରାମର ଅଧିବାସୀ ସ୍ୱଚ୍ଛ ନିରାପଦ ପାନୀୟଜଳ ପାଇ ପାରିବେ ।