୪ କୋଟିର ଓଆରଏସ ଜବତ : ଦୋକାନରେ ସ୍ୱାସ୍ଥ୍ୟ ବିଭାଗର ଚଢ଼ଉ
ଭୁବନେଶ୍ୱର : ବଜାରରେ ଗୁଣବତ୍ତା ନଥିବା ଓଆରଏସ ମିଳୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ କଡ଼ା ପଦକ୍ଷେପ ନିଆଯାଇଛି । ଔଷଧ ଦୋକାନରୁ ବିଭ୍ରାନ୍ତିକର ଛାପା ଥିବା ଓଆରଏସ ପ୍ୟାକେଟ ଚିହ୍ନଟ ଓ ଫେରସ୍ତ ଅଭିଯାନ ଜାରି ରହିଛି । ଇତିମଧ୍ୟରେ ପ୍ରାୟ ୮ ଲକ୍ଷ ୟୁନିଟ୍ ଓଆରଏସ ଫେରସ୍ତ ନିଆଯାଇଥିବାବେଳେ ତାହାର ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବ । ଏ ବିଷୟରେ ସୂଚନା ଦେଇ ଡ୍ରଗ୍ସ କଣ୍ଟ୍ରୋଲର ମାମିନା ପଟ୍ଟନାୟକ କହିଛନ୍ତି, ଓଆରଏସ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଙ୍କ ଦ୍ୱାରା ସୁପାରିଶ ଫର୍ମୁଲା ଅନୁସାରେ ପ୍ରସ୍ତୁତ ହେବା ଆବଶ୍ୟକ । ଏଗୁଡିକ ଲାଇସେନ୍ସ ପ୍ରାପ୍ତ ଉତ୍ପାଦକଙ୍କ ଦ୍ୱାରା ତିଆରି ହୁଏ ଓ ସାଧାରଣତଃ ଔଷଧ ଦୋକାନରେ ବିକ୍ରୟ ହୁଏ । ବର୍ତ୍ତମାନ ବଜାରରେ କିଛି ତରଳ ପାନୀୟ ପ୍ୟାକେଟ୍ ଓଆରଏସ ବୋଲି ଭ୍ରମ ସୃଷ୍ଟିକାରୀ ଛାପା ଓ ପ୍ୟାକେଟ ବିକ୍ରୟ ହେଉଥିବା ଦେଖାଯାଉଛି । ଏଗୁଡିକ ଡିହାଇଡ୍ରେସନ ପରିଚାଳନା ପାଇଁ ଉପଯୁକ୍ତ ନୁହେଁ । ଡ୍ରଗ୍ସ କଣ୍ଟ୍ରୋଲର ନିର୍ଦ୍ଦେଶାଳୟର ଅଧିକାରୀମାନେ ଗତ ଦୁଇ ସପ୍ତାହ ଧରି ଏହି ବିଭ୍ରାନ୍ତିକର ପ୍ୟାକେଟ୍ ଚିହ୍ନଟ କରି ଔଷଧ ଦୋକାନରୁ ଫେରସ୍ତ ନିମନ୍ତେ ବିଶେଷ ଅଭିଯାନ ଚଳାଇଛନ୍ତି । ପ୍ରାପ୍ତ ତଥ୍ୟରୁ ଜଣାପଡିଛି, ଆଜି ପର୍ଯ୍ୟନ୍ତ ବିଭିନ୍ନ କମ୍ପାନୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ଏହିପରି ପ୍ରାୟ ୭.୯୨ ଲକ୍ଷ ପ୍ୟାକେଟ ଔଷଧ ଦୋକାନରୁ ଫେରସ୍ତ (ରିକଲ) କରାଯାଇଛି ।