ମାଟି ତଳୁ ମାଓବାଦୀଙ୍କ ୩୫ ଲକ୍ଷ ଟଙ୍କା ଉଦ୍ଧାର କଲା ପୁଲିସ

ଲାଲବାହିନୀକୁ ଶକ୍ତ ଝଟକା। ଆନ୍ଧ୍ର ପ୍ରଦେଶ ବିଜୟୱାଡା ଠାରେ କୁଖ୍ୟାତ ମାଓ ଦମ୍ପତିଙ୍କ ଆତ୍ମସମର୍ପଣ । ଗତ ତିନି ଦଶନ୍ଧି ଧରି ମାଓ ସଂଗଠନରେ ସକ୍ରିୟ ଥିବା ମାଓ ଦମ୍ପତି ଜୋରିଗେ ନାଗରାଜୁ ଓରଫ କମଲେଶ ଓ ତାଙ୍କ ପତ୍ନୀ ମେଦକା ଜ୍ୟୋତିଶ୍ୱରୀ ଓରଫ ଅରୁଣା  ଆନ୍ଧ୍ର ପୁଲିସ ମହାନିର୍ଦେଶକ ହରିଶ କୁମାର ଗୁପ୍ତାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମାଓ ଦମ୍ପତ୍ତିଙ୍କ ସୂଚନା ଆଧାରରେ ବିଭିନ୍ନ ସ୍ଥାନରୁ ପୁଲିସ ୧୮ଟି ବନ୍ଧୁକ ଓ ବିପୁଳ ମାଓ ସାମଗ୍ରୀ ଜବତ କରିଛି । ମାଓଦମ୍ପତିଙ୍କ ସୂଚନା ଆଧାରରେ ଆଲୁରି ସୀତାରାମରାଜୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗୋଟିଏ ଏକେ-୪୭ ବନ୍ଧୁ,  ୫ ଟି ଏସଏସଆର, ୨ଟି ଇନସାସ୍, ୨ଟି ବିଜିଏସ ସହ ୬୦୬ ରାଉଣ୍ଡ ଗୁଳି ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।  କମଲେଶ ପୂର୍ବ ବସ୍ତର ଡିଭିଜନ ମାଓ ସଙ୍ଗଠନର ପ୍ରଭାରୀ ସହ ଦଣ୍ଡକାରଣ୍ୟ ସ୍ପେଶାଲ ଯୋନାଲ କମିଟି ସଦସ୍ୟ ଭାବେ ସକ୍ରୀୟ ଥିଲେ । ୩୪ ବର୍ଷ ଧରି ମାଓ ସଂଗଠନରେ ସକ୍ରିୟ ଥାଇ ବହୁ ହିଂସାକାଣ୍ଡ ଘଟାଇ ଥିବା ବେଳେ ତାଙ୍କ ନାଁରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ସେହିପରି ଅରୁଣା ଡିଭିଜନାଲ୍‌ କମିଟି ସଦସ୍ୟ ଏବଂ ମାଓ ସଙ୍ଗଠନର ମୋବାଇଲ୍ ଏକାଡେମିକ୍ ପଲିଟିକାଲ୍ ଅର୍ଗାନାଇଜେସନର ପ୍ରଭାରୀ ଥିଲେ । ଅରୁଣାଙ୍କ ନାଁରେ ଥିଲା ୫ ଲକ୍ଷ ଟଙ୍କା ପୁରସ୍କାର। ମାଓ ସଂଗଠନର ନୀତି ଏବଂ ବିଫଳତାରେ ନିରାଶ ହୋଇ ଉଭୟ ସାଧାରଣ ଜୀବନ ଯାପନ କରିବା ଲାଗି ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି ।