୭ଦଫା ଦାବି ନେଇ କଂଗ୍ରେସର ଧାରଣା
ଟାଙ୍ଗୀ/ଚୌଦ୍ୱାର : କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକର ଉଚ୍ଛପଦା ପଞ୍ଚାୟତରେ ଥିବା ଡାଲମିଆ କମ୍ପାନୀ ନିରୀହ ଗରିବ ଆଦିବାସୀମାନଙ୍କ ଜମି ଅଧିଗ୍ରହଣ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନକରିବା ପରିପ୍ରେକ୍ଷୀରେ ଟାଙ୍ଗୀ ବ୍ଲକ କଂଗ୍ରେସ ପକ୍ଷରୁ କଟକ ଜିଲ୍ଲା ସଭାପତିଙ୍କ ସମେତ ଶତାଧିକ କର୍ମୀ ଡାଲମିଆ କମ୍ପାନୀର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ । ଏଥିରେ ଟାଙ୍ଗୀ ସାଲେପୁର ବରିଷ୍ଠ କଂଗ୍ରେସ ନେତା ୟାକୁବ୍ ଖାନ କମ୍ପାନୀକୁ ଚେତାବନୀ ଦେବା ସହ ଅଞ୍ଚଳର ଲୋକମାନଙ୍କର ବିଭିନ୍ନ ଦାବିଉଲ୍ଲେଖ କରିଥିଲେ । କମ୍ପାନୀ ପକ୍ଷରୁ ଆଞ୍ଚଳିକ ଯୁବକମାନଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଦେବା, ସୁସ୍ଥ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା, ରାସ୍ତାଘାଟର ପୁନରୁଦ୍ଧାର କରିବା, ଆଲୋକୀକରଣ କରିବା, ପାନୀୟ ଜଳ ଯୋଗାଣ, ମହିଳାମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ ଓ ସହଯୋଗର ହାତ ବଢ଼ାଇବା ଆଦି ପ୍ରତିଶ୍ରୁତି ଦିଆଯାଇଥିଲା । ପନ୍ଦର ଦିନ ଭିତରେ କମ୍ପାନୀ ଦାବି ପୂରଣ ନ କଲେ ଆନେ୍ଦାଳନ ତୀବ୍ର କରିବା ସହ ରାଜ୍ୟସ୍ତରୀୟ ନେତା ଏଥିରେ ଯୋଗ ଦେବେ ବୋଲି ପ୍ରକାଶ ସେ କରିଛନ୍ତି । ଏଥିରେ ଟାଙ୍ଗୀ ବ୍ଲକ କଂଗ୍ରେସ ସଭାପତି ଆଶୁତୋଷ ବରାଳ, କଂଗ୍ରେସ କମିଟି ସଂଯୋଜକ ପ୍ରଦୀପ୍ତ ଦାସ, ଆଦିବାସୀ ବିଭାଗ ଅଧିକାରୀ ଯଶବନ୍ତ ସିଂ ଲାଗୁରି, ସଞ୍ଜୟ ସ୍ୱାଇଁ, ତ୍ରିନାଥ ମଲ୍ଲିକ, ଅମୂଲ୍ୟ ମାଝୀ, ବଳରାମ ତରାଇ, ଫକୀର ବେହେରା, ଅୟେସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।