୭୬ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି : ଭୁବନେଶ୍ୱରରେ ପତାକା ଉଡ଼ାଇବେ ରାଜ୍ୟପାଳ

ଭୁବନେଶ୍ୱର: ଆସନ୍ତା ରବିବାର ଜାନୁଆରୀ ୨୬ ଦିନ ଦେଶ ପାଳିବ ୭୬ତମ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ପ୍ରଶାସନିକସ୍ତରରେ ବିଭିନ୍ନ ରାଜ୍ୟ ପକ୍ଷରୁ ପ୍ରାକ୍ପ୍ରସ୍ତୁତି ଶେଷ ହୋଇଛି । ଏହି କ୍ରମରେ ଓଡ଼ିଶାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ସ୍କୁଲ୍, କଲେଜ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସାଧାରଣତନ୍ତ୍ର ଦିବସ ପାଳିତ ହେବାକୁ ଯାଉଛି ।   ରାଜ୍ୟର ବିଭିନ୍ନ ପ୍ରମୁଖ ସ୍ଥାନରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ, କେଉଁ ମନ୍ତ୍ରୀ, କେଉଁ ଅଧିକାରୀ ଅତିଥି ଭାବେ କେଉଁ ଜିଲ୍ଲାରେ ଯୋଗ ଦେଇ ପତାକା ଉତ୍ତୋଳନ କରିବେ ପ୍ରଶାସନ ପକ୍ଷରୁ ତାହାର ମଧ୍ୟ ପୂର୍ବପ୍ରସ୍ତୁତି ଶେଷ ହୋଇଛି । ସେହିପରି ରାଜ୍ୟପାଳଙ୍କ ସମେତ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କିଭଳି କଡ଼ାକଡ଼ି କରାଯିବ ତାହାକୁ ନେଇ ବରିଷ୍ଠ ଅଧିକାରୀମାନେ ଘନ ଘନ ବୈଠକ ମଧ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ ଭୁବନେଶ୍ୱର ଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ହରିବାବୁ କମ୍ଭମପତି ଯୋଗ ଦେଇ ପତାକା ଉତ୍ତୋଳନ କରିବେ ଏବଂ ଦିବସର ଆଭିମୁଖ୍ୟ ବିଷୟରେ ନିଜର ବକ୍ତବ୍ୟ ରଖିବେ । ସେପଟେ କଟକ ଠାରେ ଆୟୋଜିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବେ ଏବଂ ରାଜ୍ୟବାସୀଙ୍କୁ ଦେଶର ସାର୍ବଭୌମତ୍ୱ ଓ ଏକତାର ଆହ୍ୱାନ ଦେବାର କାର୍ଯ୍ୟକ୍ରମ ରହିଛି । 
ସେହିପରି ପୁରୀ ଠାରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଖୋର୍ଦ୍ଧାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସୁନ୍ଦରଗଡ଼ରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ, ସୁବର୍ଣ୍ଣପୁରରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, କୋରାପୁଟରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ, ଜଗତସିଂହପୁରରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଯାଜପୁରରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରାୟଗଡ଼ାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମାହାଲିଙ୍ଗ, ଗଜପତିରେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ବାଲେଶ୍ୱରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, କେନ୍ଦୁଝରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ, ନୂଆପଡ଼ାରେ କ୍ରୀଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଢେଙ୍କାନାଳରେ ବୟନ ଓ ହସ୍ତଶୀଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ମାଲକାନଗିରିରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ନୟାଗଡ଼ରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ପ୍ରମୁଖ ମୁଖ୍ୟଅତିଥି ଭାବେ ଯୋଗ ଦେଇ ୭୬ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ବାଦ ଦେଇ କେନ୍ଦ୍ରାପଡ଼ା, ବ୍ରହ୍ମପୁର, ରାଉରକେଲା, ଅନୁଗୋଳ, ବାରିପଦା, ବରଗଡ଼, ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, ଦେଓଗଡ଼, ଛତ୍ରପୁର, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, ସମ୍ବଲପୁର ଓ ଫୁଲବାଣୀ ଆଦି ଜିଲ୍ଲା ଏବଂ ସବ୍ଡିଭିଜନ୍ମାନଙ୍କରେ ଆର୍ଡିସି ଓ ଜିଲ୍ଲାପାଳ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବେ ।