ଖୋର୍ଦ୍ଧାକୁ ୫୧୬ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଖୋର୍ଦ୍ଧା ମହୋତ୍ସବ ଏକ ଉତ୍ସବ କିମ୍ବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଞ୍ଚ ହୋଇ ରହିନି, ଏହା ଆଜି ପାଲଟିଛି ବିକାଶର ମଞ୍ଚ, ଏହା କହି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାର ବିକାଶ ପାଇଁ  ପ୍ରାୟ ୫୧୬ କୋଟି ଟଙ୍କାର ବ୍ୟୟ ବରାଦରେ ୩୯ଟି ପ୍ରକଳ୍ପର ଶୁଭରମ୍ଭ କରିଛନ୍ତି । ଏଥି ମଧ୍ୟରୁ ୩୨ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବା ସହିତ ୭ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ । ଏହି ସମସ୍ତ ପ୍ରକଳ୍ପ ମାନଙ୍କ ମଧ୍ୟରେ  ରାସ୍ତା , ସ୍ୱାସ୍ଥ୍ୟ, ପରିବହନର ପ୍ରକଳ୍ପ ମାନ ସ୍ଥାନିତ ହୋଇଛି । ମୁଖ୍ୟମନ୍ତ୍ରୀ କହିଥିଲେଯେ ଖୋର୍ଦ୍ଧାକୁ ସମୃଦ୍ଧ ଓଡିଶାର ଏକ ନମ୍ବର ଜିଲ୍ଲା  ଭାବେ ବିକଶିତ କରିବା କାରଣ ଆଗାମୀ ଦିନରେ ଏଇ ଖୋର୍ଦ୍ଧା ପାଇକ ମାଟିର ଯୁବ ପିଢିିଙ୍କ ହାତରେ ସେମିକଣ୍ଡକ୍ଟର ଚିପ ତିଆରି ହେବ ଆଉ ଅଗ୍ନି, ପୃଥ୍ୱୀ, ଆକାଶ ଭଳି ମିସାଇଲରେ ଏହି ଚିପ ବ୍ୟବହାର ହେବ ।

    ୨୦୩୬ ରେ ଯେତେବେଳେ ଆମେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଏକ ଶହେ ବର୍ଷ ପୂର୍ତ୍ତି ପାଳନ କରିବା, ସେତେବେଳେ ଆମ ରାଜ୍ୟ ଦେଶର ପ୍ରଥମ ପାଞ୍ଚଗୋଟି ବିକଶିତ ରାଜ୍ୟ ଭାବେ ସ୍ଥାନ ପାଇବ । ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଆମ ସରକାର ପ୍ରଥମ ଦିନରୁ ହିଁ କାର୍ଯ୍ୟ କରି ଆସୁଛନ୍ତି । ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ୧୮୧୭ ମସିହାରେ ଏ ମାଟିର ବୀର ପାଇକ, ଚାଷୀ, ମୂଲିଆ, ସାଧାରଣ ଲୋକେ, ବର୍ବର ଇଂରେଜ ଶାସକ ବିରୁଦ୍ଧରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ଲଢିଥିଲେ । ଏହାର ବହୁ ପୂର୍ବରୁ ୧୮୦୪ ମସିହାରେ ଏହି ବିଦ୍ରୋହ କୁହୁଳିଥିଲା ଖୋର୍ଦ୍ଧା ଗଡର ବାଳକ ରାଜା ମୁକୁଣ୍ଡାଦେବଙ୍କ ଚାଳକ ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ । ପାଇକଙ୍କ ଏହି ବିଦ୍ରୋହ ବ୍ରିଟିଶ ସରକାରକୁ ସେ ସମୟରେ ବି ଦୋହଲାଇ ଦେଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ପ୍ରଶାନ୍ତ ଜଗଦେବ, ପୂର୍ବତନ ବିଧାୟକ ଦିଲୀପ ହରିଚନ୍ଦନ, ମହୋତ୍ସବ ସମ୍ପାଦକ ନରେନ୍ଦ୍ର ପୃଷ୍ଟି, ଜିଲ୍ଲାପାଳ ଶ୍ରୀ ଅମୃତ ଋତୁରାଜ, ସିଡିଓ ଜ୍ୟୋତି ଶଙ୍କର ସାହୁ, ବିଏମସି କମିଶନର ଚଞ୍ଚଳ ରାଣା ପ୍ରମୁଖ ମଂଚାସୀନ ଥିଲେ ।