‘ଅଣଦେଖା ପାଇଁ ବିଜେଡ଼ି ଛାଡ଼ିଲୁ’ : ମୋ ସ୍ୱାମୀଙ୍କ ଫଟୋ ନଲଗାଉ ବିଜେଡ଼ି : କଳ୍ପନା
ନୂଆପଡ଼ା : ମୋର ପତି ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆ ପାଖାପାଖି ୨୪ ବର୍ଷ ଯାଏଁ ‘ବିଜୁ ଜନତା ଦଳ’ ପାଇଁ ପୂରା ନିଷ୍ଠାର ସହିତ କାମ କରିଛନ୍ତି । କିନ୍ତୁ ତାଙ୍କର ଅନ୍ତିମ ସମୟରେ ଯେତେବେଳେ ସେ ଅସୁସ୍ଥ ଥିଲେ, ସେହି ସମୟରେ ବିଜେଡି ପକ୍ଷରୁ କେହି ପଚାରିନଥିଲେ । କେହି ଫୋନ୍ କରିନଥିଲେ । ରାଜେନ୍ଦ୍ର ଢୋଲକିଆ କେମିତି ଅଛନ୍ତି ବୋଲି ପଚାରି ନଥିଲେ । ଦଳ ଅଣଦେଖା କରିବାରୁ ସେମାନେ ବିଜେଡ଼ି ଛାଡ଼ିଲେ । ଏମିତି କହିଛନ୍ତି ରାଜେନ୍ଦ୍ରଙ୍କ ପତ୍ନୀ କଳ୍ପନା ଢୋଲକିଆ ।
ସେ କହିଥିଲେଯେ, ରାଜେନ୍ଦ୍ର ଢୋଲକିଆ ୨୪ ବର୍ଷ ପର୍ଯ୍ୟନ୍ତ ବିଜେଡିକୁ ସମୟ ଦେଇଥିଲେ । ଏହାପରେ ମଧ୍ୟ ବିଜେଡି ଆମକୁ ଅଣଦେଖା କରିଥିଲା । ଏଠାରେ ମୁଁ କହିବାକୁ ଚାହୁଁଛି, ନିଜର ଲୋକ ଯେତେବେଳେ ସହଯୋଗ ନକରନ୍ତି ମନୋବଳ ଭାଙ୍ଗିଯାଇଥାଏ । ବିଜେଡିର ଅଣଦେଖା ଦଳରେ ନରହିବାର ପ୍ରମୁଖ କାରଣ ବୋଲି ସେ ଦର୍ଶାଇଛନ୍ତି ।
କଳ୍ପନା ଦୁଃଖର ସହ କହିଛନ୍ତିଯେ, ସେମାନେ ଆଜି ଆମ ପାରିବାରିକ ସଂପର୍କ ଉପରେ ଟିପ୍ପଣୀ ଦେଉଛନ୍ତି । ଯେଉଁ ବ୍ୟକ୍ତି ୨୪ ବର୍ଷ ଦଳକୁ ସମୟ ଦେଇଥିଲେ, ତାଙ୍କର ପୁଅଙ୍କୁ ନେଇ ଅଙ୍ଗୁଳି ଉଠାଇବା ସମ୍ବେଦନଶୀଳ ରାଜନୀତି ନୁହେଁ କି ବୋଲି କଳ୍ପନା ପ୍ରଶ୍ନ କରିଛନ୍ତି । ମୁଁ ଏଠାରେ ଗୋଟିଏ କଥା କହିବାକୁ ଚାହୁଁଛି, ଢୋଲକିଆଙ୍କୁ ନେଇ କହିବାର ପରିବାରର ଅଧିକାର ଅଛି । ଅନ୍ୟ କୌଣସି ଦଳର ନୁହେଁ । ବିଜେଡି ଦ୍ୱାରା ଢୋଲକିଆଙ୍କ ଫଟୋ ନେଇ ପ୍ରଚାର କରିବାକୁ ପରିବାର ପକ୍ଷରୁ ବିରୋଧ କରାଯାଉଛି । କୁହାଯାଉଛିଯେ, ଜୟ ଅର୍ଥ ଓ ଟଙ୍କାର ଲାଭ ନେଇ ଦଳ ବଦଳାଇଛନ୍ତି । ଏହା ସଂପୂର୍ଣ୍ଣ ମିଛ । ନୂଆପଡାର ବିକାଶ ତୀବ୍ର ପାଇଁ ବିଜେପିରେ ଜୟ ଯୋଗ ଦେଇଛି । ସ୍ୱର୍ଗତ ଢେ଼ାଲକିଆଙ୍କର ଏହା ସ୍ୱପ୍ନ ଥିଲା ବୋଲି ସେ କହିଛନ୍ତି ।