ଉନ୍ନୟନ ସମିତି ଓ ଗ୍ରାମ୍ୟୋଦୟ ବୈଠକ : ଜିଲ୍ଲାକୁ ପ୍ରବାସୀ ଶ୍ରମିକ ମୁକ୍ତ କରିବାକୁ ଆହ୍ୱାନ
ନୂଆପଡ଼ା : ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦ୍ଭାବନା ସଭା ଗୃହରେ ଜିଲ୍ଲା ଉନ୍ନୟନ ସମିତି ବୈଠକ ସହିତ ଗ୍ରାମୋଦୟ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସମସ୍ତ ବିଭାଗରେ ସମନ୍ୱୟ ଓ ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ ପାଇଁ ପ୍ରତି ମାସରେ ଏହି ସଭା ହେଉଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ୍, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ଧନେଶ୍ୱର ସେଠୀଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଏବଂ ଲାଇନ୍ ବିଭାଗ ଅଧିକାରୀମାନେ ଯୋଗ ଦେଇଥିଲେ । ଉପନିର୍ଦ୍ଦେଶକ ପରିସଂଖ୍ୟାନ, ଡିଲେଶ୍ୱର ଧରୁଆ, ବିଗତ ମାସର ବୈଠକର ବିବରଣୀ ଓ ବିଭିନ୍ନ ବିଭାଗ ନେଇଥିବା ପଦକ୍ଷେପ ଗୃହରେ ପଠନ କରିଥିଲେ । ବୈଠକରେ ଜଳସେଚନ, ପଞ୍ଚାୟତିରାଜ, ରାଜସ୍ୱ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ, ରାସ୍ତା ଓ ଗୃହନିର୍ମାଣ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଉଠା ଜଳସେଚନ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ପ୍ରାଣୀ ସମ୍ପଦ, ପରିବହନ, ଶିକ୍ଷା, ସ୍ୱାସ୍ଥ୍ୟ, ଜଙ୍ଗଲ, ଖଣି, ଟୁରିଜିମ୍ ଇତ୍ୟାଦି ସମସ୍ତ ବିଭାଗର କାର୍ଯ୍ୟ ଉପରେ ସମୀକ୍ଷା ହୋଇଥିଲା । ନୂଆପଡ଼ାର ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ଜିଲ୍ଲାପାଳ କହିଥିଲେ । ଏହାର ସୁବିନିଯୋଗ କରି ଜିଲ୍ଲାକୁ ପ୍ରବାସୀ ଶ୍ରମିକ ମୁକ୍ତ କରିପାରିବା । ତହସିଲଦାରମାନଙ୍କ ଦ୍ୱାରା ବିଭିନ୍ନ ଶିକ୍ଷାନୁଷ୍ଠାନ, ଚିକିତ୍ସାଳୟ, ପ୍ରାଣୀ ଚିକିତ୍ସାଳୟ, ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କୁ ଜମି ପଟ୍ଟା ଯୋଗାଇବା ସହ ସେମାନଙ୍କର ନୂତନ କୋଠା ନିର୍ମାଣ ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା । ଗ୍ରାମୋଦୟ ସଭାରେ ଜିଲ୍ଳାପାଳ ବନାଞ୍ଚଳରେ ରାସ୍ତାର ଉନ୍ନତି ସହ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜନସାଧାରଣଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ, ଯୋଗାଯୋଗ, ଆଧାର ଇତ୍ୟାଦି ସୁବିଧା ଯୋଗାଇବା ଉପରେ ଗୁରୁତ୍ୱ ଦେଇଥିଲେ ।